ରାଜଧାନୀରେ କରୋନା ସଂକ୍ରମଣ ୨୨ହଜାର ନିକଟତର

ଦିନକରେ ୩୬୯ ପଜିଟିଭ୍, ୨ ମୃତ୍ୟୁ, ଶୈଳଶ୍ରୀବିହାରରୁ ୨୩ ରୋଗୀ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ୨୨ହଜାର ନିକଟତର ହୋଇଛି। ଗତ ୨୪ଘଣ୍ଟାରେ ଭୁବନେଶ୍ବରରେ ୩୬୯ ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୧,୮୯୫ରେ ପହଞ୍ଚିଛି। କ୍ରମାଗତ ଭାବେ ରାଜଧାନୀରେ ୩ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହେବାରେ ଲାଗିଛନ୍ତି। ଏହାସହ ରାଜଧାନୀରେ କରୋନା ମୃତ୍ୟୁ ମଧ୍ୟ ବଢ଼ି ଚାଲିଛି। ଆଜି ୨ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ ଘୋଷଣା ହୋଇଛି। ଜଣେ ୬୦ବର୍ଷର ପୁରୁଷ ଓ ୫୬ବର୍ଷର ମହିଳାଙ୍କ ମୃତ୍ୟୁ ହେବା ପରେ ରାଜଧାନୀରେ ମୋଟ ମୃତ୍ୟୁ ସଂଖ୍ୟା ୯୩ରେ ପହଞ୍ଚିଛି।

ଖୋର୍ଧା ଜିଲ୍ଲା ତୁଳନାରେ ଭୁବନେଶ୍ବରରେ ସିଂହଭାଗ ମୃତ୍ୟୁ ହେଉଛି କରୋନାରେ। ଚିହ୍ନଟ ୩୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ଜଣ ସଙ୍ଗରୋଧରୁ ଓ ୨୯୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ଥାନୀୟ ସଂକ୍ରମିତରେ ଶୈଳଶ୍ରୀବିହାରରୁ ୨୩ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାସହ ଚନ୍ଦ୍ରଶେଖରପୁର, ପଟିଆ, ରସୁଲଗଡ଼ରୁ ୧୨ ଲେଖାଏଁ, ସହିଦନଗର ୧୩, ପୋଖରୀପୁଟରୁ ୯, ୟୁନିଟ୍‌-୯ ଓ ୟୁନିଟ୍‌-୮ରୁ ୬ଜଣ ଲେଖାଏଁ, ଭିଏସ୍‌ଏସ୍ ନଗର, ନୂଆପଲ୍ଲୀ, ପଳାଶୁଣୀ, ସତସଙ୍ଗ ବିହାର, ସାମନ୍ତରାପୁର, ଜଗନ୍ନାଥ ନଗର, ଝାରପଡ଼ା, ଜାଗମରା, ଗଙ୍ଗନଗର, ଗଣ୍ଡମୁଣ୍ଡା, କଳିଙ୍ଗ ନଗର, ୟୁନିଟ୍‌-୩ ଓ ଅନ୍ୟାନ୍ୟ ଅଞ୍ଚଳରୁ ପୁଳା ପୁଳା ରୋଗୀ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ଚନ୍ଦ୍ରଶେଖରପୁର, ବ୍ରହ୍ମେଶ୍ବରପାଟଣା, ଡୁମୁଡୁମା, ଖଣ୍ଡଗିରି, ଗୌତମ ନଗର, ବରମୁଣ୍ଡା, କାନନ ବିହାର, ସାମନ୍ତରାପୁର, ରବି ଟକିଜ୍ ଛକ, ୟୁନିଟ୍‌-୬, ଶୈଳଶ୍ରୀ ବିହାର, ୟୁନିଟ୍‌-୪ ଓ ଅନ୍ୟ ଅଞ୍ଚଳରୁ ରୋଗୀ ବାହାରିଛନ୍ତି। ଗତ ୨୪ଘଣ୍ଟାରେ ରାଜଧାନୀରୁ ୩୫୬ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୮,୨୪୮ରେ ପହଞ୍ଚିଛି। ଏବେ ୩୫୩୭ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର

Comments are closed.