ବାଲିପାଟଣାରେ ବଢ଼ୁଛନ୍ତି ଆକ୍ରାନ୍ତ

ତିନିଦିନର ରିପୋର୍ଟରେ ୪୬ ପଜିଟିଭ୍‌, ୧୨୭ ଆକ୍ରାନ୍ତ, ୭୮ ସୁସ୍ଥ

ବାଲିପାଟଣା : ବାଲିପାଟଣା ଅଞ୍ଚଳରେ ଚଳିତ ମାସରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୦୦ ଟପିଲାଣି। ଗତ ଶନିବାର ସୁଦ୍ଧା ମୋଟ ୧୨୭ ଆକ୍ରାନ୍ତ ହୋଇଥିବା ବେଳେ ୭୮ଜଣ ସୁସ୍ଥ ହୋଇଥିବା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି। ଗତ ୧୭ ଓ ୨୨ ଏବଂ ୨୩ ତାରିଖ ତିନିଦିନରେ ଏହି ଅଞ୍ଚଳରୁ ୪୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୪୬ଜଣ ପଜିଟିଭ୍‌ଙ୍କ ମଧ୍ୟରେ ମଝିହରା ପଞ୍ଚାୟତରୁ ୧୨, ଭାପୁର ୨, ଭାକରସାହି ୨୦, ବନମାଳିପୁର ଅଞ୍ଚଳର ୧, ଅଠାନ୍ତର ୩, ମୁକୁନ୍ଦଦାସପୁର ୧, ଗୁଆପୁର ୨, ବାଲିପାଟଣା ଥାନାର ୪, ବ୍ଲକର ଜଣେ ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି।

ସବୁଠାରୁ ବଡ଼ କଥା ହେଲା ବାଲିପାଟଣା ଥାନାରେ କରୋନା ପଶିଛି। ଗତ ଗୁରୁବାର ୩ ଜଣ ଓ ଶନିବାର ପୁଣି ୪ ଜଣ ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ସଂକ୍ରମଣ ବଢ଼ୁଥିବା ବେଳେ ସାପ୍ତାହିକ ହାଟ, ବଜାର, ଗାଁ ଗହଳି ଉପରେ ପ୍ରଶାସନ ନିଘା ରଖୁନଥିବା ଅଭିଯୋଗ ହେଉଛି। ଫଳରେ ଲୋକ ସାମାଜିକ ଦୂରତା କଟକଣା ମାନୁନାହାନ୍ତି।

ବାଲିଅନ୍ତାରେ ୧୮ ପଜିଟିଭ୍‌
ବାଲିଅନ୍ତା : ସରଦେଇପୁରସ୍ଥିତ ସ୍ବାବ୍‌ ପରୀକ୍ଷା କେନ୍ଦ୍ର ଏବଂ ବାଲିଅନ୍ତା ବ୍ଲକ ଅଧୀନ ଜୟଦେବ ପଞ୍ଚାୟତ ସ୍ବାବ୍‌ ପରୀକ୍ଷା କେନ୍ଦ୍ରରେ ଆଜି ମୋଟ ୧୪୬ ଜଣଙ୍କର ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ମୋଟ ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜୟଦେବ ପଞ୍ଚାୟତ ସ୍ବାବ କେନ୍ଦ୍ରରେ ପରୀକ୍ଷା କରାଯାଇଥିବା ୫୦ ଜଣଙ୍କ ମଧ୍ୟରୁ ୨ଜଣ ଏବଂ ଡାକବଙ୍ଗଳା ପରୀକ୍ଷା କେନ୍ଦ୍ରରେ ୯୪ ଜଣଙ୍କ ମଧ୍ୟରୁ ୧୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜୟଦେବ ପଞ୍ଚାୟତର ୧୨ଟି ୱାର୍ଡର ଜନସାଧାରଣ ସ୍ବାବ୍‌ ପରୀକ୍ଷା କରାଇଥିଲେ। ହେଲେ ଡାକବଙ୍ଗଳା ସ୍ବାବ୍‌ ଟେଷ୍ଟ କେନ୍ଦ୍ରରେ ବାଲିଅନ୍ତା ବ୍ଲକର ବାକି ୧୫ଟି ଗ୍ରାମ ପଞ୍ଚାୟତ ସମେତ ବାହାର ଅଞ୍ଚଳର ଲୋକମାନେ ସ୍ବାବ୍‌ ପରୀକ୍ଷା କରିଥିଲେ। ପଜିଟିଭ୍‌ଙ୍କ ମଧ୍ୟରେ ମହିଳା ଏବଂ ପୁରୁଷ ସଂକ୍ରମଣ ହାର ପାଖାପାଖି ସମାନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର