ରାଜଧାନୀରୁ ଲଗାତାର ଦ୍ୱିତୀୟ ଦିନରେ ୨ଶହରୁ ଅଧିକ ଚିହ୍ନଟ

ହୋଟେଲରୁ ୬ ପଜିଟିଭ୍, କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ୱାର୍ଡରୁ ୨ ଆକ୍ରାନ୍ତ

ଭୁବନେଶ୍ୱର : ଜୟଦେବ ବିହାରର ଏକ ହୋଟେଲର ବହୁ ସଂଖ୍ୟାରେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ନୂଆପଲ୍ଲୀ ଅଞ୍ଚଳର ଏକ ହୋଟେଲରେ ପଶିଛି କରୋନା। ସଂପୃକ୍ତ ହୋଟେଲର ୬ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। କେବଳ ହୋଟେଲ ନୁହେଁ, ରାଜଧାନୀର ଏକାଧିକ ବସ୍ତିରୁ ପୁଳାପୁଳା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୨୪୭ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୪୨ରେ ପହଞ୍ଚିଛି। ଗତକାଲି ରାଜଧାନୀରୁ ୨୩୭ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଲଗାତାର ଦ୍ବିତୀୟ ଦିନ ଲାଗି ରାଜଧାନୀରେ ୨ଶହରୁ ଅଧିକ ପଜିଟିଭ୍ ବାହାରିଛନ୍ତି। ଏଥିରୁ ୧୪୮ଜଣ ସଙ୍ଗରୋଧରୁ ଓ ୯୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ରାଜଧାନୀର ୨ଟି ଘରୋଇ ହସ୍ପିଟାଲରୁ ୫ଜଣ କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସରକାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକରେ ସଂକ୍ରମଣ ରୋକିବା ଲାଗି ଏସ୍‌ଓପି ଜାରି ସତ୍ତ୍ବେ ସଂକ୍ରମଣ ନିୟନ୍ତ୍ରଣ ହୋଇପାରୁନାହିଁ। ସେହିପରି ରାଜଧାନୀର ବହୁ ଅଞ୍ଚଳରୁ ସ୍ଥାନୀୟ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଦିନକରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତଙ୍କ ହାର ୪୦ ପ୍ରତିଶତ ରହିଛି। ତେବେ ଖୋର୍ଧା ଜିଲ୍ଲାରେ କରୋନା ରୋଗୀଙ୍କ ସୁସ୍ଥ ହାର ୫୭ ପ୍ରତିଶତ ଥିବା ବେଳେ ରାଜଧାନୀରେ କରୋନା ରୋଗୀଙ୍କ ସୁସ୍ଥ ହାର ୬୪ ପ୍ରତିଶତ ରହିଛି। ଏବେ ବି ରାଜଧାନୀରେ ୧୬୯୫ ରୋଗୀ ଚିକିତ୍ସିତ ହେଉଛନ୍ତି।

କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ୱାର୍ଡରୁ ୨ ଆକ୍ରାନ୍ତ, ଏମ୍‌ଆର୍‌ଆଇ ପାଇଁ ହସ୍ପିଟାଲରେ କାର୍ଯ୍ୟ ଆରମ୍ଭ
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ୱାର୍ଡରୁ ୨ଜଣ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଆସନ୍ତାକାଲିର ସ୍ବାଧୀନତା ଦିବସରେ ହସ୍ପିଟାଲର ବହୁ ସଂଖ୍ୟାର ଡାକ୍ତର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ଦୃଷ୍ଟିରୁ ୧୬ଜଣ ଡାକ୍ତରଙ୍କ ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ସ୍ବାଧୀନତା ଦିବସରେ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ପାଇଁ ଆସନ୍ତାକାଲି ହସ୍ପିଟାଲର ଏକାଧିକ ଡାକ୍ତର ଯୋଗ ଦେବାର କାର୍ଯ୍ୟ ରହିଛି। ତେଣୁ ଯେଉଁ ଡାକ୍ତରଙ୍କ କରୋନା ନମୁନା ନେଗେଟିଭ୍ ରହିବ, ସେମାନେ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ। ତେବେ ସମୁଦାୟ କେତେ ଜଣ କାର୍ଯ୍ୟକ୍ରମରେ ଯୋଗଦେବେ, ତାହା ସ୍ପଷ୍ଟ ହୋଇପାରି ନାହିଁ। ଅପରପକ୍ଷରେ ଆଜି ହସ୍ପିଟାଲରେ ଏମ୍‌ଆରଆଇ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ସିଟି ସ୍କାନ୍ ୱାର୍ଡ ନିକଟରେ ଏମ୍‌ଆରଆଇ ୟୁନିଟ୍‌ ଖୋଲିବ। ଏଥିପାଇଁ ପୂର୍ବରୁ ବିଶେଷଜ୍ଞ ଦଳ ହସ୍ପିଟାଲରେ ଏହାର ତଦାରଖ କରି ସାରିଛନ୍ତି। ରାଜ୍ୟ ଔଷଧ ନିଗମ ପକ୍ଷରୁ ଏଥିପାଇଁ ଯନ୍ତ୍ରପାତି ଯୋଗାଇ ଦିଆଯିବ। ଫଳରେ ଗରିବ ‌‌ରୋଗୀମାନଙ୍କୁ ଆଉ ଘରୋଇ ଡାଏଗ୍ନୋଷ୍ଟିକ ସେଣ୍ଟର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଆସନ୍ତା ୨ମାସ ଭିତରେ ଏହା କାର୍ଯ୍ୟକ୍ଷମ କରିବା ଲାଗି ଲକ୍ଷ୍ୟ ରଖାଯାଇଥିବା ହସ୍ପିଟାଲର ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର