ପୁଲିସ ହାଉସିଂ କର୍ପୋରେସନ୍‌ରେ ପଶିଲା କରୋନା

ଭୁବନେଶ୍ୱର : ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନରେ ପଶିଲା କରୋନା। ଏଠାରେ କାର୍ଯ୍ୟରତ ଜଣେ ଯୁଗ୍ମ ପରିଚାଳକ କରୋନା ସଂକ୍ରମିତ ହୋଇଛନ୍ତି। ଏଭଳି ଜଣାପଡ଼ିବା ପରେ ତାଙ୍କୁ ସଂ‌ଗରୋଧରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଅନ୍ୟପଟେ କାର୍ଯ୍ୟାଳୟକୁ ସାନିଟାଇଜ୍‌ କରାଯାଇଛି। କିନ୍ତୁ ଅନ୍ୟମାନଙ୍କୁ ସଙ୍ଗରୋଧ ପାଇଁ ପରାମର୍ଶ ଦିଆଯାଇ ନାହିଁ କିମ୍ବା‌ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରାଯାଇନାହିଁ। ଏଣୁ ଅନ୍ୟ କର୍ମଚାରୀମାନେ ଭୟଭୀତ ଅବସ୍ଥା‌ରେ ଅଛନ୍ତି। କେତେକ ନିଜ ଆଡ଼ୁ ନିଜର କରୋନା ପରୀକ୍ଷା କରାଇଛନ୍ତି। ଅଧିକାରୀଜଣକ ବିଭିନ୍ନ କର୍ମଚାରୀ ଓ ଅନ୍ୟ ଅଧିକାରୀଙ୍କ ସହ ମିଶିଛନ୍ତି।

ଗତ ୨୩ ତାରିଖରେ ସିଏମ୍‌ଡି ଏମ୍‌. ଅକ୍ଷୟ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ଅନ୍ୟ ଅଧିକାରୀଙ୍କ ସହ ସମ୍ପୃକ୍ତ ଅଧିକାରୀ ମଧ୍ୟ ଫୁଲତୋଡ଼ା ଦେଇ ତାଙ୍କୁ ସ୍ବାଗତ କରିଥିଲେ। ଏଣୁ ସେଠାରେ ଥିବା ଅନ୍ୟ ଅନ୍ୟ ସମସ୍ତଙ୍କୁ ସଂକ୍ରମଣ ନେଇ ଆଶଙ୍କା ରହିଛି। କାର୍ଯ୍ୟାଳୟ ପୂର୍ବବତ୍‌ ଚାଲିଥିବାରୁ ବାକି ଥିବା ସମସ୍ତ କର୍ମଚାରୀଙ୍କୁ ସଂକ୍ରମଣ ଭୟ ବଢ଼ିଛି। ସେ ସଂକ୍ରମିତ ଥିବା ଅପ୍ରତ୍ୟାଶିତ ଭାବରେ ପଦାକୁ ଆସିଛି। ସେ ନିୟମିତ କାର୍ଯ୍ୟାଳୟ ଆସୁଥିଲେ। ଅନ୍ୟ ଅଧିକାରୀମାନଙ୍କ ଭଳି କାମ କରୁଥିଲେ। କିନ୍ତୁ ନିକଟ ଅତୀତରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ମେଡିକାଲ ଟେଷ୍ଟ ପାଇଁ ଯାଇଥିଲେ। ତାଙ୍କର ପ୍ରଥମେ କୋଭିଡ୍‌ ପରୀକ୍ଷା ହୋଇଥିଲା। ସେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ପୂର୍ବରୁ କମିସନରେଟ୍‌ ପୁଲିସର ବିଭିନ୍ନ ଥାନା ଓ ପୁଲିସ ସେବାଭବନରେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ।

ସମ୍ବନ୍ଧିତ ଖବର