ଭୁବନେଶ୍ୱର କୋର୍ଟରେ ପଶିଲା କରୋନା, ସିଏସ୍ଆଇ କର୍ମଚାରୀ ଆକ୍ରାନ୍ତ

ଆଳୁ ଗଦିରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଟପିଲା, କ୍ୟାପିଟାଲ ହସ୍ପିଟାଲରୁ ୨ ପଜିଟିଭ୍

ଭୁବନେଶ୍ୱର : ରାଜଧାନୀରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଭୁବନେଶ୍ୱର କୋର୍ଟରେ ପଶିଛି କରୋନା। କୋର୍ଟ ସବ୍ଇନ୍ସପେକ୍ଟର(ସିଏସ୍ଆଇ) କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହା ପରେ ରାତିରେ କୋର୍ଟକୁ ବିଶୋଧନ କରାଯାଇଛି। କୋର୍ଟରେ ବିଶୋଧନ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ ଆବାସିକ କାର୍ଯ୍ୟାଳୟରୁ କାମ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଜ୍। ଜରୁରୀ ମାମଲାର ଶୁଣାଣି ଲାଗି ଭିଡ଼ିଓ କନଫରେନ୍ସିଂ କିମ୍ବା ଜିଟସି ସଫ୍ଟଵୟାର ଜରିଆରେ ଶୁଣାଣି କରିବା ପାଇଁ କୁହାଯାଇଛି। ସିଭିଲ୍ କୋର୍ଟ ରେଜିଷ୍ଟ୍ରାର୍ ଏ ନେଇ ଓକିଲ ସଂଘର ଅନ୍ତରୀଣ କମିଟି ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଆଳୁ ଗଦିରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଟପିଲା
ଭୁବନେଶ୍ୱର : ଆଇଗିଣିଆ ଆଳୁଗଦିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଟପିଛି। ଆଜି ୧୭ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ୬୦ ଟପିଛି। ଏଥିରେ ପରିବା ଗୋଦାମ ବ୍ୟବସାୟୀଙ୍କ ଦୋକାନ ଓ ପରିବାରଲୋକ ଅଛନ୍ତି। ଏପରିକି କିଛି ଶ୍ରମିକଙ୍କ ପରିବାରଲୋକ ବି ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆଜି ଚିହ୍ନଟ ବ୍ୟକ୍ତିଙ୍କ ମଧ୍ୟରେ ୧୬ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। ୧୬ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୪୫ ବର୍ଷ, ୪୫ବର୍ଷ, ୪୦ବର୍ଷ, ୪୮ବର୍ଷ, ୪୮ବର୍ଷ, ୧୦ବର୍ଷ, ୧୧ବର୍ଷ, ୨୫ବର୍ଷ, ୩୫ ବର୍ଷ, ୩୫ବର୍ଷ, ୩୩ବର୍ଷ, ୪୦ବର୍ଷ, ୫୦ବର୍ଷ, ୪୮ବର୍ଷ, ୩୫ବର୍ଷ, ୪୫ବର୍ଷ। ମହିଳା ଆକ୍ରାନ୍ତ ଜଣଙ୍କର ବୟସ ୩୫ବର୍ଷ। ଏଠାରେ ଜଣେ ପରିବା ଗୋଦାମ ବ୍ୟବସାୟୀ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ପ୍ରାୟ ୬୦ଜଣ ଆସି ଆକ୍ରାନ୍ତ ହେଲେଣି।

କ୍ୟାପିଟାଲ ହସ୍ପିଟାଲରୁ ୨ ପଜିଟିଭ୍
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରୁ ଆଜି ୨ଜଣ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜଣେ ସ୍ତ୍ରୀ ଓ ପ୍ରସୂତି ୱାର୍ଡ ଓ ଅନ୍ୟ ଜଣେ ସର୍ଜରି ୱାର୍ଡରୁ ଚିହ୍ନଟ ହୋଇଛନ୍ତି। ଦୁହିଁଙ୍କ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା କରାଯିବା ପରେ ପଜିଟିଭ୍ ଥିବା ଜଣାପଡ଼ିଥିଲା। ଦୁହିଁଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର