ପୁଲିସ୍‌ ବାରାକ୍‌ରେ ପଶିଲା କରୋନା : ପୁଲିସ, ଡାକ୍ତର ବି ଆକ୍ରାନ୍ତ, ଗୋଟିଏ ଦିନରେ ୧୦

ଭୁବନେଶ୍ୱରରେ ୬୧ ଆକ୍ରାନ୍ତ, ୨୧ ସୁସ୍ଥ, ବାରଙ୍ଗ ବ୍ଲକରେ ୮୭ ଜଣଙ୍କ ଆଣ୍ଟିଜେନ୍‌ ପରୀକ୍ଷା

ଭୁବନେଶ୍ୱର : କୋଭିଡ୍‌ ମୁକାବିଲାରେ ମୁଖ୍ୟ ଭୂମିକା ନିଭାଇଥିବା ଯୋଦ୍ଧା କରୋନାର କବଳିତ ହେଉଛନ୍ତି। କମିସନରେଟ୍‌ ପୁଲିସରେ କନେଷ୍ଟବଳ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ପର୍ଯ୍ୟନ୍ତ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ସାରିଥିବା ବେଳେ ଆଜି ପୁଲିସ ବାରାକ୍‌ରେ ୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ଥିବା ଏହି ବାରାକ୍‌ରେ ୭ ଜଣ ପୁରୁଷ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଲିଙ୍ଗରାଜ, କ୍ୟାପିଟାଲ ଓ ମଞ୍ଚେଶ୍ବର ଥାନାରେ ଜଣେ ଲେଖାଏଁ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ କମିସନରେଟ୍‌ ପୁଲିସରେ ସର୍ବାଧିକ ୧୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ବିମ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଦ୍ୟାବଧି ଭୁବନେଶ୍ବର କମିସନରେଟ୍‌ ପୁଲିସରେ ୬୧ ଜଣ କର୍ମଚାରୀ ଆକ୍ରାନ୍ତ ହୋଇ ସାରିଲେଣି। ୨୮ ଜଣଙ୍କ ପାଖରେ ଲକ୍ଷଣ ପ୍ରକାଶ ପାଇଥିବା ବେଳେ ୧୨ ଜଣଙ୍କ ପାଖରେ ଲକ୍ଷଣ ନଥିବା ଜଣାପଡ଼ିଛି। ୩୯ ଜଣ ଚିକିତ୍ସାଧୀନ ରହିଛନ୍ତି। ଜଣେ ଅଧିକାରୀ ଗୃହ ସଙ୍ଗରୋଧରେ ରହିଛନ୍ତି। ୨୧ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୩ ଜଣ କାର୍ଯ୍ୟରେ ଯୋଗ ଦେଇ ସାରିଛନ୍ତି। ତେବେ ବିଭାଗ ମଧ୍ୟରେ କରୋନା ଦ୍ରୁତ ଗତିରେ ବ୍ୟାପୁଥିବାରୁ କର୍ମଚାରୀଙ୍କ ପରିବାରବର୍ଗ ଭୟରେ ଅଛନ୍ତି।

Image Source–ndtv

କେବଳ ଏତିକି ନୁହେଁ, ଭୁବନେଶ୍ବରର ଏକ ବାଟାଲିୟନର ଜଣେ ଡାକ୍ତର ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ସମ୍ପୃକ୍ତ ଡାକ୍ତର କେବଳ ପୁଲିସ ଓ ପୁଲିସ ପରିବାରବର୍ଗଙ୍କର ଚିକିତ୍ସା କରୁଥିବାରୁ ଚିନ୍ତା ବଢ଼ିଛି। ସେ ଚିକିତ୍ସା କରିଥିବା ସମସ୍ତ ପୁଲିସ କର୍ମଚାରୀ ସଙ୍ଗରୋଧରେ ଯାଇଛନ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ବରି‌ଷ୍ଠ ପୁଲିସ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଏହି ସଂଖ୍ୟା ବୃଦ୍ଧିକୁ ନେଇ ଏବେ ଚିନ୍ତା ବଢ଼ିଛି। ପୂର୍ବରୁ କ୍ୟାପିଟାଲ ଥାନାରେ ୧୭ କର୍ମଚାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅନେକ କର୍ମଚାରୀ ସଙ୍ଗରୋଧରେ ରହିଛନ୍ତି। ଫଳରେ ଥାନାଗୁଡ଼ିକରେ କର୍ମଚାରୀଙ୍କ ଘୋର ଅଭାବ ରହିଛି। ସେହିଭଳି ପୂର୍ବରୁ ମଞ୍ଚେଶ୍ବର, କ୍ୟାପିଟାଲ, ଚନ୍ଦ୍ରଶେଖରପୁର, ଚନ୍ଦକା ଥାନାରେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଶ୍ରୀଲିଙ୍ଗରାଜ ଥାନା ସମେତ ଅନ୍ୟ ଦୁଇ ଥାନାରୁ ଚିହ୍ନଟ ହୋଇଛନ୍ତି। ଏହି ସବୁ ଥାନାର ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇଛନ୍ତି। କେତେକ କର୍ମଚାରୀ ନିଜକୁ ସଙ୍ଗରୋଧରେ ରଖିଛନ୍ତି।

ବାରଙ୍ଗ ବ୍ଲକରେ ୮୭ ଜଣଙ୍କ ଆଣ୍ଟିଜେନ୍‌ ପରୀକ୍ଷା
ତ୍ରିଶୂଳିଆ : ବାରଙ୍ଗ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଆଜି ପ୍ରଥମଥର ପାଇଁ ଲୋକଙ୍କ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଛି। ଦାଢ଼ାପାଟଣା, ନରାଜ, ମାର୍ଥାପୁର, ଶ୍ରୀବନ୍ତପୁର ଆଦି ପଞ୍ଚାୟତର ମୋଟ ୮୭ଜଣଙ୍କ ଏହି ପରୀକ୍ଷା କରାଯାଇଥିବା ବିଡିଓ ସୂଚନା ଦେଇଛନ୍ତି। ଗ୍ରାମାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର