ଉଜୁଡ଼ି ଗଲାଣି ‘ବଜେଟ୍‌ ହୋଟେଲ୍‌’ ଶିଳ୍ପ, ହାତ ବାନ୍ଧି ବସିଛନ୍ତି ୨୦ ହଜାର କର୍ମଚାରୀ

ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ହୋଟେଲ ଶିଳ୍ପ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଅନଲକ୍‌ ପ୍ରକ୍ରିୟାରେ ହୋଟେଲ ଖୋଲିବାକୁ ଅନୁମତି ମିଳିଥିଲେ ହେଁ ନୂତନ ଗାଇଡ୍‌ଲାଇନ୍‌ ଅନୁଯାୟୀ, ମାତ୍ର ୩୦ ପ୍ରତିଶତ ଗ୍ରାହକଙ୍କୁ ରଖି‌‌‌ହେଉଛି। ଏପରି ନିୟମ ଦ୍ବାରା ବଡ଼ ବଡ଼ ହୋଟେଲଗୁଡ଼ିକ ଯେନତେନ ପ୍ରକାରେ କାମ ଚଳାଇ ନେଉଛନ୍ତି। କିନ୍ତୁ ୧୦/୨୦ ରୁମ୍‌ ଥିବା ଛୋଟ ହୋ‌ଟେଲ ବା ଲଜ୍‌ (ବଜେଟ୍‌ ହୋଟେଲ), ଗେଷ୍ଟହାଉସ୍‌ଗୁଡ଼ିକ ପକ୍ଷରେ ଅସମ୍ଭବ ହୋଇପଡ଼ିଛି ବୋଲି ରାଜ୍ୟ ବଜେଟ ହୋଟେଲ ଓ ଗେଷ୍ଟ ହାଉସ୍‌ ସଂଘ ପକ୍ଷରୁ କୁହାଯାଇଛି। ସରକାର ଶୀଘ୍ର ଏନେଇ କିଛି ନିଷ୍ପତ୍ତି ନ ନେଲେ, ଏଭଳି ବଜେଟ୍‌ ହୋଟେଲରେ ନିୟୋଜିତ ଥିବା ରାଜ୍ୟର ପ୍ରାୟ ୨୦ ହଜାର ଲୋକ ଓ ସେମାନଙ୍କ ପରିବାରଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିବ।

ସଂଘର ସମ୍ପାଦିକା ତଥା ଟ୍ରଷ୍ଟି ପୁଷ୍ପାଞ୍ଜଳି ମିଶ୍ର କହିଛନ୍ତି, ବଜେଟ ହୋଟେଲ ଓ ଗେଷ୍ଟହାଉସ୍‌ କେମିତି ଚାଲିବ ସେ ନେଇ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି। ବ୍ୟାଙ୍କରୁ କିଛି ଋଣ ବ୍ୟବସ୍ଥା କରାଇବା ସହ ଭଡ଼ା ସୂତ୍ରରେ ଚାଲୁଥିବା ହୋଟେଲ୍‌ଗୁଡ଼ିକର ଭଡ଼ା ଛାଡ଼ ପାଇଁ ଘର ମାଲିକଙ୍କୁ କୁହାଯାଉ ବୋଲି ସେ କହିଛନ୍ତି। ଅଧିକାଂଶ ବଜେଟ ହୋଟେଲ ବିଲ୍‌ଡିଂ ଲିଜ୍‌ରେ ଚାଲୁଥିବାରୁ ଏବେ ଭଡ଼ା ଟଙ୍କା ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଛି। ଗୋଟେ ପଟେ ବିଲ୍‌କୁଲ ବ୍ୟବସାୟ ନାହିଁ, ଅନ୍ୟପଟେ ଏହାର ରକ୍ଷଣାବେକ୍ଷଣ, କରୋନା ନିୟମାବଳି ଅନୁଯାୟୀ ବିଶୋଧନ ପ୍ରକ୍ରିୟା, କର୍ମଚାରୀଙ୍କ ଦରମା ସହ ସେମାନଙ୍କ ଖାଇବା ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇଗଲାଣି। ୩୦% କର୍ମଚାରୀରେ ହୋଟେଲ ଖୋଲିବା ତାରକା ହୋଟେଲମାନଙ୍କୁ ସୁହାଇବ। ମାତ୍ର ଆମେ ଯେଉଁମାନେ ୧୦ଟା କି ୨୦ଟି ରୁମ୍‌ ନେଇ ହୋଟେଲ ଚଳାଉଛୁ, ସେମାନଙ୍କ ପାଇଁ ଏହା ଅଧିକ କ୍ଷତି ଆଣିବ। ଏପରିକି ୩ଟି କି ୬ଟି ରୁମ୍‌କୁ ନେଇ ବ୍ୟବସାୟ କରିବା ଆଦୌ ସମ୍ଭବ ନୁହେଁ ବୋଲି ସଂପାଦିକା ମିଶ୍ର କହିଛନ୍ତି। ଏମିତି ହୋଟେଲ ଖୋଲି କ୍ଷତି ସହିବା ଅପେକ୍ଷା ହୋଟେଲ ବନ୍ଦ କରି ଦେବାକୁ ମାଲିକମାନେ ଶ୍ରେୟ ମଣିଲେଣି।

ସଂଘ ପକ୍ଷରୁ କୁହାଯାଇଛି, ରାଜ୍ୟରେ ଏବେ ପ୍ରାୟ ୫ ହଜାର ପଞ୍ଜୀକୃତ ବଜେଟ ହୋଟେଲ ରହିଛି। କିନ୍ତୁ ଅଣପଞ୍ଜୀକୃତ ହୋଟେଲ ଓ ଗେଷ୍ଟ୍‌ ହାଉସ୍‌କୁ ମିଶାଇଲେ ପ୍ରାୟ ୭ ହଜାର ୫ଶହ ହେବ। ହଜାର ହଜାର କର୍ମଚାରୀଙ୍କ ପରିବାରର ଗୁଜରାଣ ଏହା ଉପରେ ନିର୍ଭର କରେ। କିନ୍ତୁ ଏହି କରୋନା ମହାମାରୀ ଓ ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟରେ ପ୍ରାୟ ୨୦ ହଜାର କର୍ମଚାରୀଙ୍କ ଅବସ୍ଥା ବିଗିଡ଼ିଗଲାଣି। କେବଳ ଭୁବନେଶ୍ବରରେ ପ୍ରାୟ ସାଢ଼େ ୪ରୁ ୫ ହଜାର ବଜେଟ ହୋଟେଲ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଏଭଳି ଚାଲିଲେ ଆଗକୁ ସ୍ଥିତି ସଙ୍ଗିନ୍‌ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ସଂଘ ପକ୍ଷରୁ ପର୍ଯ୍ୟଟନ ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କୁ ଭେଟି ବାରମ୍ବାର ଅଭିଯୋଗ କରାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ। ତେଣୁ ବଜେଟ୍‌ ହୋଟେଲଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ଓ କିଛି ବ୍ୟାଙ୍କ ଋଣ ବ୍ୟବସ୍ଥା ଯୋଗାଇ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର