କରୋନା ଆତଙ୍କ : ଶ୍ରୀଲିଙ୍ଗରାଜ ମନ୍ଦିରରେ ରହିବ ହ୍ୟାଣ୍ଡୱାସ

ପୁରୁଣା ଭୁବନେଶ୍ବର: କରୋନା ଭୂତାଣ ସଂକ୍ରମଣର ଭୟାବହତାକୁ ନେଇ ଶ୍ରୀଲିଙ୍ଗରାଜ ମନ୍ଦିରରେ ରହିବ ହ୍ୟାଣ୍ଡୱାସ। ମନ୍ଦିରକୁ ପ୍ରବେଶ ପରେ ଓ ବାହାରିବା ବେଳେ ହାତ ଧୋଇବା ପାଇଁ ବେସିନ୍‌ ନିକଟରେ ହ୍ୟାଣ୍ଡୱାସ ରଖାଯିବ। ଏଥିସହ ଲୋକଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯିବ। ଦର୍ଶନ କରିବାକୁ ଆସୁଥିବା ଲୋକ ଭିଡ଼ କରି ଠିଆ ହେବାକୁ ବାରଣ କରାଯିବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି। ସେହିପରି ମନ୍ଦିର ଭିତରେ କେହି ଛେପ ପକାଇବାକୁ ବାରଣ କରାଯିବ। ମନ୍ଦିରକୁ ଆସୁଥିବା‌ ତୀର୍ଥଯାତ୍ରୀ ଓ ସେବାୟତମାନଙ୍କ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା କରାଯିବ। ତେବେ ଖୁବ୍‌ ଶୀଘ୍ର ମନ୍ଦିର ପ୍ରବେଶ ସିଂହଦ୍ବାର ନିକଟ ପାଦ ପ୍ରକ୍ଷାଳନ ଓ ମନ୍ଦିରକୁ ପ୍ରବେଶ ପରେ ସିଂହଦ୍ବାର ନିକଟ ବେସିନ୍‌ ନିକଟରେ ମଧ୍ୟ ହ୍ୟାଣ୍ଡୱାସ ରଖାଯିବ। ଆବଶ୍ୟକ ପଡ଼ିଲେ ମନ୍ଦିର କର୍ମଚାରୀ ମାସ୍କ ବ୍ୟବହାର କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପୂଜାପଣ୍ଡା ନିଯୋଗ ସଭ୍ୟ ମଣ୍ଟୁ ପୂଜାପଣ୍ଡା ପ୍ରଶାସନର ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି।

ହାଟରେ ସଚେତନ କରିବ ପୁଲିସ
କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ସାପ୍ତାହିକ ହାଟରେ ସଚେତନତା କରିବ ପୁଲିସ। ଆସନ୍ତାକାଲି ରବିବାର ସୁନ୍ଦରପଦା ହାଟରେ ଏୟାର ଫିଲଡ୍‌ ଥାନା ପୁଲିସ ପକ୍ଷରୁ ଏହି ଏଭିଯାନ ଆରମ୍ଭ ହେବ। ହାଟକୁ ଆସୁଥିବା ଲୋକଙ୍କୁ ଓ ହାଟ ବ୍ୟବସାୟୀଙ୍କୁ ସଚେତନ କରାଯିବ। ବିଭିନ୍ନ ସମୟରେ ଲୋକ ଭିଡ଼ କରି ଠିଆ ହେବାକୁ ବାରଣ କରିବା ଓ ବାରମ୍ବାର ହ୍ୟାଣ୍ଡୱାସ ବ୍ୟବହାର କରିବାକୁ ଲୋକଙ୍କୁ କୁହାଯିବ ବୋଲି ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ କହିଛନ୍ତି।

ଆହାର କେନ୍ଦ୍ରରେ ହାତ ଧୋଇ ଖାଇବା ପ୍ରହସନ
ସମସ୍ତ ଆହାର କେନ୍ଦ୍ରରେ ଆବଶ୍ୟକ ସାନି‌ଟାଇଜର୍ ଓ ହ୍ୟାଣ୍ଡୱାସ୍ ରଖାଯିବ ବୋଲି ଶୁକ୍ରବାର ସଂଧ୍ୟାରେ ବିଏମ୍‌ସି କମିସନର କହିଥିଲେ। ହେଲେ ଆଜି ସକାଳୁ କୌଣସି ଆହାର କେନ୍ଦ୍ରରେ ଏହି ବ୍ୟବସ୍ଥା ହୋଇପାରି ନ ଥିଲା। ବରଂ ଲୋକମାନେ ଯେମିତି ଭିତରକୁ ଆସୁଥିଲେ ଟୋକନ୍ ଧରି ଲାଇନ୍‌ରେ ଛିଡ଼ା ହେଉଥିଲେ। ଏପରିକି କେହି ବି ହାତ ଧୋଇବାକୁ କହୁ ନ ଥିଲେ। ଆହାର କେନ୍ଦ୍ରରେ ଖାଦ୍ୟ ପରଷୁଥିବା କର୍ମଚାରୀମାନେ ଯଦିଓ ମାସ୍କ ପିନ୍ଧିଥିଲେ, କିନ୍ତୁ ଖାଉଥିବା ଲୋକ ସେତେଟା ସଚେତନ ଥିବା ପରି ମନେ ହେଉ ନ ଥିଲା।

କିସ୍‌’ ଛାତ୍ରାବାସର ଛୁଟି ଘୋଷଣା
ଚନ୍ଦ୍ରଶେଖରପୁର : କରୋନା ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ମୁତାବକ କିସ୍‌ କର୍ତୃପକ୍ଷ ଛୁଟି ଘୋଷଣା କରିଛନ୍ତି। ଏଠାରେ ପଢ଼ୁଥିବା ୩୦ ହଜାର ଛାତ୍ରଛାତ୍ରୀଙ୍କୁ ଆଜି ଛୁଟି ଦିଆଯାଇଛି। ଆଜି ସକାଳେ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ କରୋନା ସଂପର୍କରେ ସଚେତନ କରାଇବା ସହ ଘରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। କିସ୍‌ ଛାତ୍ରଛାତ୍ରୀମାନେ ନିଜ ଗାଁରେ ଅନ୍ୟମାନଙ୍କୁ ସଚେତନ କରିବାକୁ କୁହାଯାଇଛି। ଏହି ଛୁଟି ସମୟରେ ପିଲାମାନଙ୍କ ପାଠପଢ଼ାରେ ଯେଭଳି କୌଣସି ଅସୁବିଧା ନହୁଏ ସେଥିପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ଚନ୍ଦ୍ରଶେଖରପୁର ଅ‌ଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରାବାସଗୁଡ଼ିକୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ଇନ୍‌ଫୋସିଟି, ପଟିଆ, କାନନବିହାର, ନୀଳାଦ୍ରିବିହାର, ମୈତ୍ରୀବିହାର, ଶୈଳଶ୍ରୀବିହାର, ଡମଣା ଓ ବିଡିଏ କଲୋନି ଅଞ୍ଚଳରେ ଥିବା ଛାତ୍ରବାସଗୁଡ଼ିକରୁ ଆଜି ପ୍ରଥମ ଦିନରେ ୫ହଜାର ପାଖାପାଖି ଛାତ୍ର ହଷ୍ଟେଲ୍ ଛାଡ଼ିଥିବା ସୂଚନା ମଳିଛି।

ରେଳଷ୍ଟେସନ, ବସଷ୍ଟାଣ୍ଡ୍‌ରେ ସଚେତନତା ନାହିଁ
ଭୁବନେଶ୍ବର : ରାଜ୍ୟ ସରକାର ହ୍ୟାଣ୍ଡୱାସ୍ କିମ୍ବା ସାନିଟାଇଜର୍‌ରେ ବାରମ୍ବାର ହାତ ଧୋଇବା ଓ କେଉଁଠି ବି ଅଧିକ ଲୋକ ଗହଳି ନ କରିବାକୁ କହୁଛନ୍ତି। ହେଲେ ବରମୁଣ୍ଡା ବସଷ୍ଟାଣ୍ଡ କି ଭୁବନେଶ୍ବର ରେଳ ଷ୍ଟେସନରେ ସ୍ଥିତି ପୂରା ଓଲଟା। ରେଳ ଷ୍ଟେସନରେ ଯଦିଓ କିଛି ଯାତ୍ରୀ ମାସ୍କ ପିନ୍ଧି ଯାତାୟାତ କରୁଥିବା ଦେଖାଯାଉଛି, କିନ୍ତୁ ବସଷ୍ଟାଣ୍ଡରେ ସେପରି ଦେଖା ଯାଉନାହିଁ। କାଁ ଭାଁ ଲୋକ ମାସ୍କ ପିନ୍ଧି ଥିବା ଦେଖିବାକୁ ମିଳୁଛି। ଏଠାରୁ ରାଜ୍ୟ ଓ ରାଜ୍ୟ ବାହାରକୁ ବସ୍ ଯାତାୟାତ କରୁଥିଲେ ହେଁ ଲୋକଙ୍କୁ ଭଲ ଭାବେ ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ନେଇ ସଚେତନ କରାଯାଉନି। ଫଳରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଯାତ୍ରୀମାନେ ସଚେତନ ଥିବା ପରି ଜଣାପଡ଼ୁ ନାହିଁ।

ସମ୍ବନ୍ଧିତ ଖବର