ପୁଲିସ ସଂସ୍ପର୍ଶରେ ଆସିଥିଲେ କରୋନା ଆକ୍ରାନ୍ତ, ପରୀକ୍ଷା ପାଇଁ ପଠାଗଲା ନମୁନା

ସଂଗରୋଧରେ ଯାଇପାରନ୍ତି ବଡ଼ଗଡ଼ ଥାନା କର୍ମଚାରୀ

ଭୁବନେଶ୍ବର : ବଡ଼ଗଡ଼ ମହିଷାଖାଲରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିପଦ ବଢିଛି। କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏଥର ଆସିଛନ୍ତି ପୁଲିସ କର୍ମଚାରୀ। ପିସିଆର ଭ୍ୟାନ୍ କର୍ମଚାରୀ ଓ ବଡ଼ଗଡ଼ ଥାନା ପୁଲିସ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଚିନ୍ତା ବଢ଼ିଯାଇଛି। ସେଦିନ ଡ୍ୟୁଟିରେ ଥିବା ପିସିଆର ଭ୍ୟାନ୍ କର୍ମଚାରୀ ଓ ଥାନାରେ କେତେ ଜଣ କର୍ମଚାରୀଙ୍କର ନମୁନା ପରୀକ୍ଷା ପାଇଁ ଯାଇଥିବା ଜଣାପଡ଼ିଛି। ପିସିଆର ଭ୍ୟ‌ାନକୁ ମଧ୍ୟ ସାନିଟାଇଜ୍ କରାଯାଇଛି। ଆସନ୍ତାକାଲି ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ।

ମିଳିଥିବା ସୂଚନା ଅନୁସାରେ, ମହିଷାଖାଲରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କର ଗତ ୪ ତାରିଖରେ ଭଡ଼ା ଘର ମାଲିକଙ୍କ ସହ ବିବାଦ ହୋଇଥିଲା। ମାଲିକ ତାଙ୍କୁ ଘରେ ପୂରାଉ ନ ଥିବା ଅଭିଯୋଗ କରି ସେ ସପରିବାର ଥାନାର ଦ୍ବାରସ୍ଥ ହୋଇଥିଲେ। ଥାନାରେ କିଛି ସମୟ ବସିବା ପରେ ପିସିଆର ଭ୍ୟାନ୍ ତାଙ୍କୁ ନେଇ ଓୟୁଏଟିରେ ଥିବା କ୍ବାରାଣ୍ଟିନ ଵାର୍ଡରେ ଛାଡ଼ିଥିଲା। ପିସିଆର ଭ୍ୟାନ୍ ତାଙ୍କୁ ଛାଡ଼ି ଫେରିବା ପରେ କଳ୍ପନା ଛକରେ ଡ୍ୟୁଟି ସାରି ଛିଡ଼ା ହୋଇଥିବା କର୍ମଚାରୀଙ୍କୁ ଧରି ଥାନାକୁ ଫେରିଥିଲା। ସେହି ପିସିଆର ଭ୍ୟାନରେ କିଛି କର୍ମଚାରୀ ବସି ଯିବା ଆସିବା ମଧ୍ୟ କରିଥିଲେ। କିନ୍ତୁ ପରଦିନ ମହିଷାଖାଲର ସମ୍ପୃକ୍ତ ବ୍ୟକ୍ତିଙ୍କର ପରୀକ୍ଷା ଲାଗି ଯାଇଥିବା ନମୁନା ରିପୋର୍ଟ କରୋନା ପଜିଟିଭ୍ ବାହାରିଥିଲା। ଏହାପରେ ସେଦିନ ଡ୍ୟୁଟିରେ ଥିବା ପିସିଆର କର୍ମଚାରୀ ଓ ଭ୍ୟାନରେ ଯିବା ଆସିବା କରିଥିବା ଥାନା କର୍ମଚାରୀଙ୍କର ନମୁନା ପରୀକ୍ଷା ଲାଗି ପଠାଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ଏହି ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି। ଯଦି ଗୋଟିଏ ବି ରିପୋର୍ଟ ପଜିଟିଭ୍ ଆସେ ତା’ହେଲେ ଥାନା କର୍ମଚାରୀଙ୍କୁ ସଂଗରୋଧରେ ପଠାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର