ରାଜଧାନୀରେ ଭୟଙ୍କର ସ୍ଥିତିରେ ବଢ଼ି ଚାଲିଛି କରୋନା : ୨୯ ଦିନରେ ବଢ଼ିଲେ ୨୧୭୦

୩୦ % ସ୍ଥାନୀୟ ସଂକ୍ରମିତ, ପ୍ରାୟ ୬ % ଦୈନିକ ବୃଦ୍ଧି
ଦିନକରେ ୧୩୭ ପଜିଟିଭ୍, ଚିହ୍ନଟ, ଅସମ୍ଭାଳ କଲାଣି ବସ୍ତି

ଭୁବନେଶ୍ୱର : ରାଜଧାନୀରେ ଭୟଙ୍କର ସ୍ଥିତିରେ ବଢ଼ି ଚାଲିଛି କରୋନା। ଜୁଲାଇ ମାସ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୨୧୭୦ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏଥିରେ ୬୬୩ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଯାହାର ହାର ରହିଛି ୩୦ ପ୍ରତିଶତ। ସେମାନଙ୍କ ମଧ୍ୟରୁ କେତେଜଣ ହଟ୍‌ସ୍ପଟ୍‌ ଅଞ୍ଚଳକୁ ଗସ୍ତ କରିଥିବା ବେଳେ ଅଧିକାଂଶ କେଉଁ ପରିସ୍ଥିତିରେ ସଂକ୍ରମିତ ହୋଇଛନ୍ତି ତାହା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇ ନାହିଁ।

ବିଏମ୍‌ସି ପକ୍ଷରୁ ସଙ୍ଗରୋଧରେ ପୁଳା ପୁଳା ସଂକ୍ରମିତ ଚିହ୍ନଟ ହେଉଥିବା କୁହାଯାଉଛି। ମାତ୍ର ବାସ୍ତବରେ ସଙ୍ଗରୋଧରେ ଥାଇ ମଧ୍ୟ ଅନେକ ବାହାରେ ପୂର୍ବଭଳି ବୁଲୁଛନ୍ତି। ଯାହାଫଳରେ ରାଜଧାନୀରେ କଣ୍ଟାକ୍ଟ କେସ୍ ଦିନକୁ ଦିନ ବଢ଼ି ଚାଲିଛି। ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଅନେକ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ କଣ୍ଟାକ୍ଟ କେସ୍‌ ସଂପର୍କରେ ସୂଚନା ଦିଆଯାଉଛି। ବିଶେଷକରି ବସ୍ତି ଅଞ୍ଚଳରେ ଏହା ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି। ଯାହାଫଳରେ ଗୋଟିଏ ଗୋଟିଏ ଅଞ୍ଚଳ ହଟ୍‌ସ୍ପଟ୍‌ ପାଲଟି ଯାଉଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୧୩୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ସଙ୍ଗରୋଧରୁ ୯୮ଜଣ ଓ ୩୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦୨ରେ ପହଞ୍ଚିଛି। ୧୨୧୬ଜଣ ସୁସ୍ଥ ହୋଇଥିବା ବେଳେ ୧୨୭୧ଜଣ ସକ୍ରିୟ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି। ୧୩ଜଣଙ୍କ ରାଜଧାନୀରେ ମୃତ୍ୟୁ ହୋଇଛି।

୩୨ ସ୍ଥାନୀୟ ସଂକ୍ରମିତଙ୍କ ସଂକ୍ରମଣଇତିହାସ ନାହିଁ
ରାଜଧାନୀରେ ୧୩୭ ପଜିଟିଭ୍‌ଙ୍କ ମଧ୍ୟରୁ ୩୯ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏଥିରେ ୭ଜଣ ହଟ୍‌ସ୍ପଟ୍‌ କିମ୍ବା ଅନ୍ୟ ଜିଲ୍ଲାକୁ ଗସ୍ତ କରିଛନ୍ତି। ମାତ୍ର ୩୨ଜଣଙ୍କ ସଂକ୍ରମଣ ଇତିହାସ ନାହିଁ। ଅର୍ଥାତ୍ ସେମାନେ କୌଣସି ହଟ୍‌ସ୍ପଟ୍‌ ଜିଲ୍ଲାକୁ ଗସ୍ତ କରି ନାହାନ୍ତି କି ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନାହାନ୍ତି। ତେଣୁ ସଂପୃକ୍ତ ବ୍ୟକ୍ତିମାନେ କିଭଳି ପଜିଟିଭ୍ ଚିହ୍ନଟ ହେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲା କି? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିବାକୁ ଆରମ୍ଭ କରିଛି।

fct.unl.pt

ଗତକାଲି ବାୟାବାବା, ଏବେ ୟୁନିଟ୍‌-୧ ବସ୍ତି
ରାଜଧାନୀରେ ଗତକାଲି ବାୟାବାବ ମଠରୁ ୧୯ଟି କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିଲେ। ଆଜି ପୁଣି ୨ଜଣ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ବସ୍ତିରେ ସଂକ୍ରମିତଙ୍କ ସଂଖ୍ୟା ୨୧ ଛୁଇଁଛି। ଅପରପକ୍ଷରେ ଆଜି ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନାରେ ୟୁନିଟ୍‌-୧ରୁ ୧୧ଜଣ ସଂକ୍ରମିତ ହୋଇଛନ୍ତି। ସମେସ୍ତ କଣ୍ଟାକ୍ଟ କେସ୍। ଏଥିରୁ ୪ଜଣ ପୁରୁଷଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ମହିଳା। ରାଜଧାନୀର ୪୦ରୁ ଅଧିକ ବସ୍ତିରେ ଏବେ କରୋନା ପଶି ସାରିଲାଣି। ଅନ୍ୟ ଜିଲ୍ଲାରୁ ବହୁ ସଂଖ୍ୟାରେ ଲୋକ ଲୁଚିଛପି ରାଜଧାନୀର ବିଭିନ୍ନ ବସ୍ତିକୁ ଆସୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ କରୋନା ନିୟନ୍ତ୍ରଣ ପାଇଁ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ବସ୍ତିରେ ଏହାକୁ ଲୋକମାନେ ଫୁ’ କରିଦେଉଛନ୍ତି। ଏହାବାଦ୍ ସତ୍ୟନଗରରୁ ୭ଜଣ, ଜୟଦୁର୍ଗା ନଗର ୫ଜଣ, ସହିଦ ନଗର ୪ଜଣ, କଳ୍ପନା ଛକରେ ୫ଜଣ, ୩ଜଣ ୟୁନିଟ୍‌-୪ ଏମ୍‌ଏଲଏ କଲୋନି ବସ୍ତି, ଘରୋଇ ହସ୍ପିଟାଲରୁ ୬ଜଣ କର୍ମଚାରୀ ଚିହ୍ନଟ ହୋଇଛନ୍ତି।

୧୦ଜଣଙ୍କ ସମ୍ପର୍କରେ ସୂଚନା ନାହିଁ
ଗତ ୨୪ଘଣ୍ଟାରେ ରାଜଧାନୀରେ ଯେତିକି ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ତହିଁରୁ ୧୦ଜଣ କେଉଁ ଅଞ୍ଚଳରେ ସେ ସଂପର୍କରେ ବିଏମ୍‌ସି ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ। ପୂର୍ବରୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୪ଜଣ ପୁରୁଷ ଓ ୬ଜଣ(ପୁରୁଷ ଓ ମହିଳା)ଙ୍କୁ ମିଶାଇ ସମୁଦାୟ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ସଂପୃକ୍ତ ଆକ୍ରାନ୍ତ ୧୦ଜଣ ରାଜଧାନୀ କିମ୍ବା ରାଜଧାନୀ ବାହାରର ସେ ସଂପର୍କରେ ମଧ୍ୟ ସୂଚନା ନାହିଁ।

ସମ୍ବନ୍ଧିତ ଖବର