କରୋନା ଟିକାକରଣ ଅଭିଯାନ : ଏମ୍‌ସ ନିର୍ଦେଶକଙ୍କଠାରୁ ଶୁଭାରମ୍ଭ

୧୮ରେ ୨ଶହ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଯୋଜନା

ଭୁବନେଶ୍ବର : ଟିକାକରଣରେ ଭୁବନେଶ୍ବର ଏମ୍‌ସ ସାମିଲ ହୋଇଛି। ନିର୍ଦେଶିକା ଡା.ଗୀତାଞ୍ଜଳି ବି. ପ୍ରଥମେ ନିଜେ କରୋନା ଟିକା ନେଇ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ପ୍ରଥମ ଦିନରେ ୧୦୦ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଅପରାହ୍‌ଣ ୫ଟା ସୁଦ୍ଧା ସମସ୍ତଙ୍କୁ ଟିକା ଦିଆଯାଇଥିଲା। ଏଥିରେ ୪୪ ଡାକ୍ତର, ୨୯ ନର୍ସିଂ କର୍ମଚାରୀ, ୧୪ ସୁରକ୍ଷା କର୍ମୀ, ୧୩ ହାଉସକିପିଂ କର୍ମଚାରୀ ଓ ପରିଚାଳନା କର୍ମଚାରୀ ରହିଛନ୍ତି। ସମସ୍ତଙ୍କୁ ୩୦ ମିନିଟ୍‌ ନିରୀକ୍ଷଣରେ ରଖିବା ପରେ ଛାଡ଼ି ଦିଆଯାଇଛି। ଆସନ୍ତା ୧୮ତାରିଖରେ ୨ଶହ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରିବା ଲାଗି ଏମ୍‌ସ ପକ୍ଷରୁ ଯୋଜନା ହୋଇଥିବାବେଳେ ଆସନ୍ତା ସପ୍ତାହରେ ୬୫୦ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଯୋଜନା ହୋଇଛି। ଆଜିର ଟିକାକରଣ କାର୍ଯ୍ୟକ୍ରମରେ ଏମ୍‌ସର ନୋଡାଲ ଅଧିକାରୀ ଡା.ବିନୋଦ ପାତ୍ର, କମିଟି ସଦସ୍ୟ ଡା.ଅରବିନ୍ଦ ସିଂ, ଡା.ସ୍ବୟମ୍ ପ୍ରଜ୍ଞାନ ପରିଡ଼ା ଓ ଏକ ୫ଜଣିଆ ଭ୍ୟାକ୍ସିନେଟର ଅଧିକାରୀ ଏଥିରେ ସାମିଲ ହୋଇଥିଲେ।

ସମ୍‌ରେ ଟିକା ନେଲେ ଡା.ଅଶୋକ ମହାପାତ୍ର
ସମ୍ ହସ୍ପିଟାଲ ମଧ୍ୟ କରୋନା ଟିକାକରଣ ଅଭିଯାନରେ ସାମିଲ ହୋଇଛି। ସୋଆର କୁଳପତି ଡା.ଅଶୋକ ମହାପାତ୍ର ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିଥିଲେ। ଟିକା ନେବା ପରେ ଡା.ମହାପାତ୍ର ସଂପୂର୍ଣ୍ଣ ସୁସ୍ଥ ଥିବା ବେଳେ ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନ ଥିବା କହିଛନ୍ତି। ଏହି ଟିକା ମୃତ ଭାଇରସ୍‌କୁ ନେଇ ତିଆରି ହୋଇଛି ଓ ଖୁବ ପ୍ରଭାବଶାଳୀ। ତେଣୁ ଟିକାକୁ ଭୟ ନ କରି ଟିକା ନେବାକୁ ଆଗେଇ ଆସିବା ଲାଗି ଡା.ମହାପାତ୍ର ଆହ୍ବାନ କରିଛନ୍ତି।

ପ୍ରଥମ ଦିନରେ ୧୦୦ଜଣ ଡାକ୍ତର, ନର୍ସ, ପାରାମେଡିକ ଓ ସଫେଇ କର୍ମଚାରୀଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି। ଟିକାକରଣ କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ ମେଡିକେୟାରର ଅନେକ ଡାକ୍ତର ସାମିଲ ଥିଲେ। ମେଡିସିନ୍ ବିଭାଗର ମୁଖ୍ୟ ଡା.ବାନାମ୍ବର ରାୟ, ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ ସୁପରିନଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅତିରିକ୍ତ ଡିନ୍ ପ୍ରଫେସର ଅ‌ଜୟ ଜେନା, ଅତିରିକ୍ତ ମେଡିକାଲ ସୁପରିନଟେଣ୍ଡେଣ୍ଟ ଡା.ରାଜେଶ ଲେଙ୍କା, କମ୍ୟୁନିଟି ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ, ସମ୍ ହସ୍ପିଟାଲର କୋଭାକ୍ସିନ୍ ପରୀକ୍ଷଣର ପ୍ରମୁଖ ପରୀକ୍ଷକ ପ୍ରଫେସର ଇ.ଭେଙ୍କଟ ରାଓ ଓ ଇମ୍ୟୁନୋଲୋଜି ଏଣ୍ଡ ରୁୢମାଟୋଲୋଜି ବିଭାଗର ପ୍ରଫେସର ଡା.ପ୍ରଦୀପ୍ତ ଶେଖର ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

କିମ୍‍ସରେ ଟିକାଦାନ ଆରମ୍ଭ
କିମ୍‌ସ ହସ୍ପିଟାଲରେ ଶନିବାର ପ୍ରଥମ ଦିନରେ ଶହେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ଓ କିମ୍‍ସ ମେଡିକାଲ୍‍ର ମହାନିର୍ଦ୍ଦେଶକ ମେଜର ଜେନେରାଲ୍‍ ଡା. ପି.କେ ପଟ୍ଟନାୟକ ପ୍ରଥମେ ଟିକା ନେବା ପରେ ଅନ୍ୟ ଡାକ୍ତର, ନର୍ସ, ପାରାମେଡିକ୍‌ କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ଏଥିପାଇଁ ହସ୍ପିଟାଲରେ ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସ୍ୱତନ୍ତ୍ର ଟିକାକରଣ ଗୃହ ସହ ଅପେକ୍ଷା କକ୍ଷ ଓ ନିରୀକ୍ଷଣ କକ୍ଷ ପ୍ରସ୍ତୁତ କରାଯାଇଥିଲା। ହିତାଧିକାରୀଙ୍କ ପରିଚୟପତ୍ର ଯାଞ୍ଚ ପରେ ଟିକା ଦିଆଯାଇଥିଲା। ଟିକା ଗ୍ରହଣ ପରେ ସେମାନଙ୍କୁ ନିରୀକ୍ଷଣ କକ୍ଷରେ ଅତି କମ୍‌ରେ ଅଧଘଣ୍ଟା ପର୍ଯ୍ୟନ୍ତ ଜଣେ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଥିଲା। କିମ୍‍ସର କମ୍ୟୁନିଟି ମେଡିସିନ୍‍ ବିଭାଗ ମୁଖ୍ୟ ପ୍ରଫେସର ଡା. ଓମ୍‍ ପ୍ରକାଶ ପାଣିଗ୍ରାହୀଙ୍କୁ ଟିକାକରଣ କେନ୍ଦ୍ରର ନୋଡାଲ୍‍ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଥମ ଦିନର ସଫଳ ଟିକାକରଣ ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ସହ ଧନ୍ୟବାଦ ଜଣାଇଛନ୍ତି।

ୟୁନିଟ-୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଛରେ ପଡ଼ିଲା
ଶନିବାର ରାଜଧାନୀର ୬ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ହୋଇଥିଲା। ଏଥିରେ ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୦ ଜଣ ଲେଖାଏଁ ହସ୍ପିଟାଲ କର୍ମଚାରୀଙ୍କୁ ଟିକା ଦେବାକୁ ଯୋଜନା ହୋଇଥିଲା। ଏଥିରେ ୪ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ୧୦୦ ଜଣ ଲେଖାଏଁ ଟିକା ନେଇଥିବାବେଳେ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ୧୦୨% ହୋଇଥିଲା। ହେଲେ ୟୁନିଟ-୪‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାତ୍ର ୫୬ଜଣ ଟିକା ନେଇଥିଲେ। ଅର୍ଥାତ ଏଠାରେ ୫୬% ଟିକାକରରଣ ହୋଇଥିଲା। ୟୁନିଟ-୪ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାଦାନ ଟାର୍ଗେଟ୍‌ ପୂରଣ ନହେବା ନେଇ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଏଠାରେ ନ’ତାଲାରେ ଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ଓ ଡିଏମ୍‌ଇଟିର କର୍ମଚାରୀଙ୍କୁ ଟିକା ଦେବାର ଥିଲା। ହେଲେ ଅଧିକାଂଶ କର୍ମଚାରୀ ଆସିନଥିଲେ। କେବଳ ନ’ତାଲା ନୁହେଁ; ୟୁନିଟ-୪ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ବି ଏଠାକୁ ଆସିନଥିଲେ। ହସ୍ପିଟାଲ ଆସିଲେ କାଳେ କିଏ ଟିକା ନେବାକୁ କହିବ ବୋଲି ଆଗୁଆ ଛୁଟିରେ ରହିଯାଇଥିଲେ।

ଯାଞ୍ଚ କଲେ ସ୍ବାସ୍ଥ୍ୟ ସଚିବ, ବିଏମ୍‌ସି କମିସନର
ଆଜି ୬ଟି ‌ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟିକାକରଣ ଆରମ୍ଭ ହୋଇଥିବା‌େ‌ବଳେ ସମସ୍ତଙ୍କ ନଜର ଥିଲା କ୍ୟାପିଟାଲ ହସ୍ପିଟାଲ ଉପରେ। ଏଠାରେ ଟିକାକରଣ ଯେପରି ବ୍ୟବସ୍ଥିତ ଢଙ୍ଗରେ ହେବ ସେଥିପାଇଁ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ, କ୍ୟାପିଟାଲ ହସ୍ପିଟାଲ ଉପଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରତିନିଧି ଡାକ୍ତର ନିହାର ରଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର