ଭୁବନେଶ୍ବର : ମଙ୍ଗଳବାର ଚିନ୍ତାମଣିଶ୍ବର ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ। ଏନେଇ ବିଏମ୍ସି କର୍ତ୍ତୃପକ୍ଷ ତାଙ୍କୁ ଫୋନ୍ କରି ଜଣାଇଲେ। କିନ୍ତୁ କୋଭିଡ୍ ହସ୍ପିଟାଲକୁ ନେବାକୁ ଆସିଲେନି। ଦେହରେ ଜ୍ବର ବଢ଼ିବାରୁ ସେ ପାରସିଟାମଲ୍ ଖାଇଲେ। ବିଏମ୍ସିର ହେଲ୍ପଲାଇନ୍ ନମ୍ବର, ରାଜ୍ୟ ସରକାରଙ୍କ ୨୪ଘଣ୍ଟିଆ ସହାୟତା କେନ୍ଦ୍ର ନମ୍ବର ୧୦୪କୁ ଫୋନ୍ କଲେ। ସମସ୍ତେ କହିଲେ ଆପଣଙ୍କୁ ହସ୍ପିଟାଲକୁ ଆଣିବା ପୂର୍ବରୁ ଫୋନ୍ କରାଯିବ। ଘରେ ରୁହନ୍ତୁ।
ଏହି ଆକ୍ରାନ୍ତଙ୍କ ଘରେ ଆଉ ୭ଜଣ ସଦସ୍ୟ ଥିବାରୁ ସମସ୍ତେ ଛାନିଆ ହୋଇଗଲେ। ଏପରିକି ପଡ଼ୋଶୀ ବି ଭୟରେ ତାଙ୍କ ଘରକୁ ଆସିଲେନି। ଆକ୍ରାନ୍ତ ଜଣଙ୍କ ଘରେ ଗୋଟିଏ ରୁମ୍ରେ ରହିଲେ। ବାକି ପରିବାର ଆଉ ଦୁଇଟି ରୁମ୍ରେ ରହିଲେ। ବିଏମ୍ସି କର୍ତ୍ତୃପକ୍ଷ ଆକ୍ରାନ୍ତଙ୍କୁ ନେଲେନି କି ତାଙ୍କୁ ଡାକ୍ତରୀ ପରାମର୍ଶ ଦେଲେନି। କ’ଣ ଖାଇବେ, କେଉଁ ଔଷଧ ଖାଇବେ, କିପରି ରହିବେ ସେନେଇ କିଛି ପରାମର୍ଶ ଦେଲେନି। ଫଳରେ ପରିବାର ଲୋକ ଆକ୍ରାନ୍ତଙ୍କୁ ଘରେ ଯାହା ରନ୍ଧା ହେଲା ତାହା ଖାଇବାକୁ ଦେଲେ, ଆଉ ଜ୍ବର ଆସିଲେ ପାରାସିଟାମଲ୍ ଦେଲେ। କରୋନା ପାଇଁ କିଛି ଔଷଧ ଦେଇପାରିଲେନି। କେବଳ ଏତିକି ନୁହେଁ, ପରିବାର ଲୋକ ସଚେତନତା ଦେଖାଇ ବାହାରକୁ ବାହାରିବେନି ବୋଲି ପଡ଼ୋଶୀଙ୍କୁ ବାହାରୁ କିଛି ସାମଗ୍ରୀ ଆଣିବାକୁ କହିଲେ ବି କେହି ଶୁଣିଲେନି। ଫଳରେ ପରିବାରର କିଛି ସଦସ୍ୟ ବାହାରକୁ ଯାଇ ହାଟ, ବଜାରରୁ ସାମଗ୍ରୀ କିଣିଲେ। ଆଉ ଆଜି ଅପରାହ୍ନରେ ବିଏମ୍ସି କର୍ତ୍ତୃପକ୍ଷ ଆକ୍ରାନ୍ତଙ୍କୁ ହସ୍ପିଟାଲକୁ ନେଲେ।
ବିଏମ୍ସି କର୍ତ୍ତୃପକ୍ଷ ଆକ୍ରାନ୍ତ ଜଣଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ନ କରିବା ଦ୍ବାରା ଆକ୍ରାନ୍ତଙ୍କ ମାନସିକ ଅବସାଦ ବଢ଼ିଲା। ପରିବାର ଲୋକ କରୋନା ଆକ୍ରାନ୍ତଙ୍କ କି ନୁହେଁ ଜଣାପଡ଼ିନଥିଲେ ବି ସେମାନେ ବାହାରକୁ ବାହାରିଲେ। କିଛି ଲୋକଙ୍କ ସଂସ୍ପର୍ଶେର ବି ଆସିଲେ।
କେବଳ ଏହି ଗୋଟିଏ ଉଦାହରଣ ନୁହେଁ। ସେହି ଚିନ୍ତାମଣିଶ୍ବର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଜ୍ବର ହେବାରୁ ସେ ଏକ ଘରୋଇ ହସ୍ପିଟାଲରେ ୨୨୦୦ ଟଙ୍କା ଦେଇ ସ୍ବାବ୍ ପରୀକ୍ଷା କରାଇଲେ। ମଙ୍ଗଳବାର ସକାଳେ ନମୁନା ଦେଇ ଆସିବା ପରେ ସଂଧ୍ୟାରେ ହସ୍ପିଟାଲ କର୍ତ୍ତୃପକ୍ଷ ଫୋନ୍ କରି ଜଣାଇଲେ ଯେ, ଆପଣଙ୍କର କରୋନା ପଜିଟିଭ୍ ଥିବା ଭଳି ଲାଗୁଛି। ଆପଣ ଆଉ ଥରେ ପରୀକ୍ଷା କରନ୍ତୁ। ଏହାପରେ ବ୍ୟକ୍ତି ଜଣଙ୍କ ପୁଣି ୨୨୦୦ଟଙ୍କା ଦେଇ ପରୀକ୍ଷା କରିବାକୁ ରସିଦ୍ କାଟିଲେ। କିନ୍ତୁ ତାଙ୍କର ଆଉ ସ୍ବାବ୍ ସଂଗ୍ରହ ହେଲାନି। ବୁଧବାର ସକାଳୁ ହସ୍ପିଟାଲ କର୍ତ୍ତୃପକ୍ଷ କହିଲେ ଆପଣଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିଛି। ଏହାପରେ ଉକ୍ତ ବ୍ୟକ୍ତି ଜଣକ ବିଏମ୍ସିକୁ ଜଣାଇବା ସହ ନିଜେ ହସ୍ପିଟାଲରେ ଭର୍ତ୍ତି ହେବାକୁ କିମ୍ସ ନିକଟକୁ ଯାଇଥିଲେ। କିନ୍ତୁ ବିଏମ୍ସି କର୍ତ୍ତୃପକ୍ଷ କହିଥିଲେ ଆପଣ ଘରକୁ ଯାଆନ୍ତୁ। ଆମେ ଯାଇ ଆଣିବୁ। କିନ୍ତୁ ଉକ୍ତ ବ୍ୟକ୍ତିି ଜଣଙ୍କୁ ଆଜି ଅପରାହ୍ନରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ସମାନ ଅବସ୍ଥା ଚକେଇସିଆଣିରେ ଜଣେ କରୋନା ଆକ୍ରାନ୍ତଙ୍କୁ ନେଇ ହୋଇଛି। ତାଙ୍କର କାଲିଠାରୁ କରୋନା ପଜିଟିଭ୍ ବାହାରିଥିଲେ ବି ଆଜି ସଂଧ୍ୟାରେ ତାଙ୍କୁ ହସ୍ପିଟାଲକୁୁ ନିଆଯାଇଥିଲା। ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଣାୟତ୍ତ ହେଉଥିବାବେଳେ ବିଏମ୍ସି କର୍ତ୍ତୃପକ୍ଷ ତୁରନ୍ତ ଆକ୍ରାନ୍ତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରୁନଥିବାରୁ ସେମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାଧ୍ୟ ହୋଇ ବାହାରକୁ ବାହାରୁଛନ୍ତି। କେବଳ ଏତିକି ନୁହେଁ ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାରେ ବିଳମ୍ବ ହେଉଥିବାରୁ ସେମାନଙ୍କ ପରିବାର ଲୋକ ବାହାରେ ବୁଲୁଛନ୍ତି। କେତେକ ନିଜ ଅଫିସ ଯାଉଛନ୍ତି, ଦୋକାନ ଖୋଲୁଛନ୍ତି। ଫଳରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ଅଜାଣତରେ ବଢ଼ିବାରେ ଲାଗିଛି।
ଏନେଇ ବିଏମ୍ସିର ଜଣେ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆମକୁ ସ୍ବାସ୍ଥ୍ୟ ବିଭାଗ କରୋନା ଆକ୍ରାନ୍ତଙ୍କ ତାଲିକା ଦେବା ପରେ ଆମେ ଦୁଇରୁ ତିନି ଘଣ୍ଟା ଭିତରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରୁଛୁ। ଏଥିପାଇଁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଯୋଜନା କରି ତାଲିକା ଦେଉଛୁ। ସେମାନେ ପ୍ରାୟ ୧୦ଟି ଆମ୍ବୁଲାନ୍ସରେ ଆକ୍ରାନ୍ତମାନଙ୍କୁ ସ୍ଥାନାନ୍ତର କରୁଛନ୍ତି। ଅଧିକାଂଶ ସ୍ଥାନରେ କରୋନା ଆକ୍ରାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ହେବାକୁ ମନା କରୁଛନ୍ତି। ଘରୁ ବାହାରିବାକୁ ଅଧ ଘଣ୍ଟାରୁ ଏକ ଘଣ୍ଟା ଲଗାଉଥିବାରୁ ବିଳମ୍ବ ହେଉଛି। ଅଯଥା ଖର୍ଚ୍ଚ କମାଇବାକୁ ଆମ୍ବୁଲାନ୍ସରେ ତିନିରୁ ଚାରି ଜଣ କରୋନା ଆକ୍ରାନ୍ତଙ୍କୁ ଏକସଙ୍ଗେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରଯାଉଛି।
ସୂଚନାଯୋଗ୍ୟ ଯେ, ବିଏମ୍ସି କର୍ତ୍ତୃପକ୍ଷ ପୂର୍ବରୁ କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରିବା ପାଇଁ ଜୋନାଲ୍ ଡେପୁଟି କମିସନରମାନଙ୍କୁ ଦାୟିତ୍ବ ଦେଇଥିଲେ। ସେମାନେ ନିଜ ନିଜ ଜୋନ୍ର କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରିବା ସହ କଣ୍ଟାକ୍ଟ ଟ୍ରେସିଂ କରୁଥିଲେ। କିନ୍ତୁ ଏବେ ବିଏମ୍ସି ମୁଖ୍ୟାଳୟରୁ ଯୋଜନା ପ୍ରସ୍ତୁତ କରୁଥିବାରୁ ଗୋଟିଏ ଦିନରେ ୫୦ରୁ ୬୦ ଜଣ ଆକ୍ରାନ୍ତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇପାରୁନି। ଯାହାକୁ ବିଏମ୍ସି କର୍ତ୍ତୃପକ୍ଷ ସ୍ବୀକାର କରିବାକୁ ନାରାଜ।