କର୍ପୋରେଟର ପ୍ରାର୍ଥୀ ଅଙ୍କ ଛିଣ୍ଡୁନି

ଭୁବନେଶ୍ବର: ବିଏମ୍‌ସିର ୬୦ ୱାର୍ଡ ଲାଗି ପ୍ରା‌ର୍ଥୀ ଚୂଡ଼ାନ୍ତ କରିଛି ବିଜେଡି। କିଏ କେଉଁ ୱାର୍ଡରୁ ପ୍ରାର୍ଥୀ ହେବେ ସେନେଇ ତାଲିକା ବି ପ୍ରସ୍ତୁତ ସରିଛି। ବିଜେପି ମଧ୍ୟ ୫୬ ୱାର୍ଡ ଲାଗି ତାଲିକା ଧରି ବସିଛି। ଦଳର କିଛି ପ୍ରାର୍ଥୀ ମଧ୍ୟ ଇତି ମଧ୍ୟରେ ନାମାଙ୍କନ ଦାଖଲ କରିସାରିଲେଣି। ମାତ୍ର ଉଭୟ ଦଳ ୬୭ ୱାର୍ଡ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରୁ ନାହାନ୍ତି। ପରସ୍ପର ମଧ୍ୟରେ ଛକାପଞ୍ଝା ଜାରି ରହିଛି। କିଏ ଆଗ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ, ଆଉ କିଏ ଅସନ୍ତୁଷ୍ଟଙ୍କୁ ନିଜ ଆଡ଼କୁ ଟାଣିବ, ସେନେଇ କସରତ ଜାରି ରହିଛି। ବିଜେଡିର ୭ଟା ୱାର୍ଡରେ ପ୍ରାର୍ଥୀ ଚୟନ ଅଙ୍କ ଛିଣ୍ଡୁ ନ ଥିବା ବେଳେ ବିଜେପିର ୧୧ଟା ୱାର୍ଡରେ ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରୁ ନ ଥିବା ଜଣାପଡ଼ିଛି।

ତାଲିକା ଘୋଷଣା କରିପାରିଲେନି ବିଜେଡି-ବିଜେପି

ବିଧାୟକଙ୍କ ଘରେ ଆଶାୟୀ ଗୋଷ୍ଠୀ ମୁହାଁମୁହିଁ

୩୦ରେ ଅଟକିଛି କଂଗ୍ରେସ, ଅସନ୍ତୁଷ୍ଟଙ୍କ ଉପରେ ନଜର

୭ଟି ୱାର୍ଡର ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ବିବାଦ ଘନେଇବାରେ ଲାଗିଛି। ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲି ଗଲାଣି। ଯେଉଁଥିପାଇଁ ଆଜି ଜଣେ ବିଧାୟକଙ୍କ ବାସଭବନରେ ବିଜେଡିର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। କେବଳ ବିଧାୟକଙ୍କ ବାସଭବନ ନୁହେଁ, ବରଂ ସହରର ଗଳିକନ୍ଦିରେ ରାଜନୀତି ହିଂସା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ବଡ଼ଗଡ଼ ଓ ବମିଖାଲରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଆଜି ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରସ୍ପରକୁ ଦୋଷାରୋପ କରିବା ସହ ନିର୍ବାଚନ ମଇଦାନରେ ଦେଖା ଦେଖି ହେବା ନେଇ ଚେତାବନୀ ଦେଇଛନ୍ତି।

ଦୁଇ ଦିନ ହେଲା ରାଜଧାନୀରେ ବିଜେଡି ସ୍ଥିତି ବିଗୁଡ଼ିଥିବା ଦେଖି ବରିଷ୍ଠ ନେତାମା‌ନେ ହସ୍ତକ୍ଷେପ କଲେଣି। କାହାକୁ ଟିକେଟ୍‌ ଦେବେ? କାହାକୁ କାଟିବେ? ଅସନ୍ତୁଷ୍ଟଙ୍କୁ କିଭଳି ବୁଝାଇବେ?, ସେନେଇ ମଧ୍ୟରାତି ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ ବରିଷ୍ଠ ବିଜେଡି ନେତାଙ୍କ ବୈଠକ ବସିଥିଲା। ନିଜ ସମର୍ଥକଙ୍କୁ ଟିକେଟ୍‌ ଦେବା ଲାଗି ଟଣାଓଟରା ଲାଗି ରହିଥିବାରୁ ସମାଧାନର ବାଟ ବାହାରିପାରି ନଥିବା ଜଣାପଡ଼ିଛି। ସେପଟେ ବିଜେଡି ଆଶାୟୀଙ୍କ ଛାତି ଏବେ ଧଡ଼ଧଡ଼। ଟିକେଟ୍‌ ମିଳୁଥିବା ଜାଣିଥିଲେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ପାରୁନାହାନ୍ତି।

ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ୬୦ ୱାର୍ଡ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ୭ଟି ୱାର୍ଡରେ ସମସ୍ୟା ରହିଛି। ତାହାର ସମାଧାନ ଲାଗି ଆଜି ରାତିରେ ବୈଠକ ବସିଥିଲା। ଆପାତତଃ ସମାଧାନ ହୋଇଯାଇଛି। ଆସନ୍ତାକାଲି ପୂର୍ବାହ୍ନରେ ସମସ୍ତ ୬୭ଟି ୱାର୍ଡ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବାକୁ ନିଷ୍ପତ୍ତି ହୋଇଛି। ଯେଉଁ ୱାର୍ଡଗୁଡ଼ିକ ଲାଗି ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛନ୍ତି, ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ରଖିବାକୁ ଆଗୁଆ ଜଣାଇ ଦିଆଯାଇଛି। ନାମ ଘୋଷଣା ପରେ ସେମାନେ ନାମାଙ୍କନ ଦାଖଲ କରିବେ।

ବିଜେପିରେ ମଧ୍ୟ ଅନୁରୂପ ଅବସ୍ଥା। ୫୬ ୱାର୍ଡ ଲାଗି ପ୍ରାର୍ଥୀ ଚୟନ ସରିଛି। ମାତ୍ର ଘୋଷଣା କରାଯାଇପାରୁନାହିଁ। କାଳେ କେଉଁଠୁ ବିଦ୍ରୋହ ସୃଷ୍ଟି ହେବ, ସେନେଇ ଦଳର ନେତାମାନେ ଆଶଙ୍କାରେ ରହିଛନ୍ତି। ଏମିତିରେ ବି ୨୦୧୪ରେ ୬୩ନମ୍ବର ୱାର୍ଡରେ ବିଜେପିରୁ ପ୍ରାର୍ଥୀ ହୋଇ ଜିତିଥିବା ରଘୁନାଥ ମହାନ୍ତି ଦଳ ଛାଡ଼ିଛନ୍ତି। ସ୍ବାଧୀନ ଭାବେ ଛିଡ଼ା ହେବାକୁ ଘୋଷଣା ମଧ୍ୟ କରିଛନ୍ତି। ଆଉ ଅଧିକ ୱାର୍ଡରେ ଯେମିତି ସେଭଳି ବିଦ୍ରୋହ ଯେପରି ନ ହୁଏ, ସେଥିପାଇଁ ନିର୍ବାଚନରେ ବିଜେପିର ମଙ୍ଗ ସମ୍ଭାଳିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ଭାବିଚିନ୍ତି ନିଷ୍ପତ୍ତି ନେଉଛନ୍ତି। ବିଜେଡି ପ୍ରାର୍ଥୀ ଘୋଷଣା ଉପରେ ଦଳ ଏବେ ନଜର ରଖିଛି। ଯଦି କେଉଁ ୱାର୍ଡରୁ ବିଜେଡି ଅସନ୍ତୁଷ୍ଟ ବାହାରନ୍ତି, ତେବେ ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ପରିବର୍ତ୍ତନ କରିପାରେ। ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ପରିବର୍ତନ କରିବ।

ଅନ୍ୟପକ୍ଷରେ ନାମାଙ୍କନ ଲାଗି ଆଉ ଦୁଇ ଦିନ ‌ଥିଲେ ମଧ୍ୟ କଂଗ୍ରେସ ସବୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନାହିଁ। ଗତକାଲି ୩୦ଟି ୱାର୍ଡ ଲାଗି ନାଁ ଘୋଷଣା କରିଥିଲା। ସେଥିମଧ୍ୟରୁ କିଛି ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଛନ୍ତି। ବାକି ୩୭ଟି ୱାର୍ଡ ପାଇଁ ଆଜି ବି ପ୍ରାର୍ଥୀ ଚୟନ କରିପାରିନି ଦଳ। ୧୫ରୁ ୨୦ ୱାର୍ଡରେ ଦଳ ଭିତରୁ ସେଭଳି ଆଶାୟୀ ବାହାରୁ ନାହାନ୍ତି। ତେଣୁ ଅସନ୍ତୁଷ୍ଟ ବିଜେଡି କିମ୍ବା ବିଜେପି ଆଶାୟୀଙ୍କ ଉପରେ ନଜର ରଖିଛି କଂଗ୍ରେସ। ଯାହା ସୂଚନା ମିଳୁଛି ରବିବାର ଅପରାହ୍‌ଣ ସୁଦ୍ଧା ଦଳ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ।

ସମ୍ବନ୍ଧିତ ଖବର