କିଏ କାହାକୁ ଡରୁଛି: ବର୍ଷର ଶେଷ କର୍ପୋରେସନ୍ ବୈଠକ ବି ବସିବନି!

ଜ‌ାନୁଆରି ୧୬ରେ ସରିବ କର୍ପୋରେଟରଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ଜାନୁଆରି ୧୬ରେ ବିଏମ୍‌ସି କର୍ପୋରେଟରଙ୍କ କାର୍ଯ୍ୟକାଳ ସରିବ। ହେଲେ ଏହା ପୂର୍ବରୁ ବିଏମ୍‌ସିର ଶେଷ କାଉନସିଲ୍‌ ବୈଠକ ବସୁନି। କର୍ପୋରେଟର୍‌ଙ୍କ ୫ବର୍ଷ କାର୍ଯ୍ୟକାଳ ସରିବାକୁ ଯାଉଥିବାବେଳେ ଶେଷ କାଉନସିଲ୍‌ ବୈଠକ କାହିଁକି ବସୁନି ‌େସନେଇ ଏବେ ପ୍ରଶ୍ନ ଉଠିଲାଣି। ବିଏମ୍‌ସି କର୍ତ୍ତୃପକ୍ଷ କର୍ପୋରେଟରମାନଙ୍କୁ ଡରି କାଉନସିଲ୍‌ ବୈଠକ ଡାକୁ ନଥିବା ଚର୍ଚ୍ଚା ହେଉଥିବାବେଳେ କର୍ପୋରେଟରମାନେ ମିଳିମିଶି କାଉନସିଲ୍ ବୈଠକ ନ ଡାକିବାକୁ ବିଏମ୍‌ସି ଉପରେ ଚାପ ପକାଉଥିବା ବି ଚର୍ଚ୍ଚା ହେଉଛି। କିଏ କାହାକୁ ଡରି କର୍ପୋରେସନ୍ ବୈଠକ ବାତିଲ୍ ହେଉଛି ସେନେଇ ଏବେ ଜୋରଦାର୍ ଚର୍ଚ୍ଚା। ୨୦୧୪ ବିଏମ୍‌ସି ନିର୍ବାଚନରେ ବିଜେଡିର ୪୯ଜଣ କର୍ପୋରେଟର ଜିତି ଏକପାଖିଆ ଭାବେ ବିଏମ୍‌ସିକୁ କବ୍‌ଜାକୁ ନେଇଯାଇଥିଲେ। ରାଜଧାନୀବାସୀ ଭାବିଥିଲେ ଶାସକ ଦଳ ହାତରେ ବିଏମ୍‌ସି ରହୁଥିବାରୁ ରାଜଧାନୀରେ ବହୁ ଉନ୍ନତିମୂଳକ କାର୍ଯ୍ୟ ହେବ। ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ସହଜରେ ମିଳିବ। କିନ୍ତୁ ୫ବର୍ଷ ଶେଷ ହେଲା ବେଳକୁ ସ୍ଥିତିରେ ‌ସେହିଭଳି ଆଶାନୁରୂପକ ପରିବର୍ତ୍ତନ ହେଲାନି। କର୍ପୋରେଟର୍‌ମାନେ ଆସନ୍ତା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ହେଁ ଆଖି ଆଗରେ କୁଢ଼କୁଢ଼ ସମସ୍ୟା ଥିବାରୁ କିପରି ଲୋକଙ୍କୁ ବୁଝାଇବେ, କ’ଣ ପାଇଁ ପ୍ରତିଶ୍ରୁତି ପାଳନ ହେଲାନି ସେନେଇ ଉତ୍ତର ରଖିବାକୁ ଏବେ ବାହନା ଖୋଜି‌େଲଣି। କିନ୍ତୁ ଲୋକ କିଛି ବୁଝିବାକୁ ନାରାଜ।

ୱାର୍ଡ ସ୍ତରରେ ଏବେ ଅସନ୍ତୋଷ କୁହୁଳୁଛି। ତେଣୁ କର୍ପୋରେଟର୍‌ମାନେ ଏବେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ମୁଣ୍ଡରେ ଦୋଷ ଲଦିବାକୁ ପୂରା ସଜବାଜ ହୋଇଛନ୍ତି। ଗତ କିଛି ବର୍ଷ ହେଲା ବିଏମ୍‌ସିର ପରିମଳ ବ୍ୟବସ୍ଥାରେ ଉନ୍ନତି ହୋଇଥିଲେ ହେଁ ୨୦୧୮ରେ ଏହା ପୂରା ବିଗିଡ଼ି ଯାଇଛି। ରାଜଧାନୀର ଗଳିକନ୍ଦିରେ କୁଢ଼କୁଢ଼ ଆବର୍ଜନା ଗଦା ହୋଇଛି। ମେକାନିକାଲ୍ ସୁଇପିଂ ବ୍ୟବସ୍ଥା ଆରମ୍ଭ ହେବା ପରେ ରାଜଧାନୀର ମୁଖ୍ୟ ରାସ୍ତାଗୁଡ଼ିକରେ ଯଦିଓ ପରିମଳ ବ୍ୟବସ୍ଥା ସୁଧୁରିଛି କିନ୍ତୁ ଗଳିକନ୍ଦିରେ ସ୍ଥିତି ସଙ୍ଗିନ୍ ହୋଇଯାଇଛି। କେବଳ ଏତିିକି ନୁହେଁ ସବୁ ଗଳିକନ୍ଦି ରାସ୍ତା ନଷ୍ଟ ହୋଇ ଯାଇଥିବାବେଳେ ଏହାର ମରାମତି ହୋଇନି। ଛୋଟ ଡ୍ରେନ୍‌ରୁ ଆରମ୍ଭ କରି ମୁଖ୍ୟ ଡ୍ରେନ୍ ପର୍ଯ୍ୟନ୍ତ ସବୁଠି ସମସ୍ୟା। ମୁଖ୍ୟ ଡ୍ରେନ୍ ଉପରୁ ଜବରଦଖଲ ହଟାଇବା ସହ ବର୍ଷା ଜଳ ନିଷ୍କାସନ ସମସ୍ୟା ଦୂର କରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଇଥି‌େଲ ହେଁ ଏବେ ପୂରା ଠପ୍ ହୋଇଯାଇଛି। ସ୍ବେରେଜ୍ ଲାଇନ୍ ବିଛାଇବା ପାଇଁ ଅଧା ରାଜଧାନୀକୁ ଖୋଳି ତାଡ଼ି ଦିଆଯାଇଛି। ଏପରିକି ଯେଉଁଠି ସ୍ବେରେଜ୍ କାମ ସରିଲାଣି ସେଠାରେ ରାସ୍ତା ମରାମତି ହେଉ ନଥିବାରୁ ଲୋକଙ୍କ ଯାତାୟାତରେ ବହୁ ସମସ୍ୟା ଉପୁଜୁଛି। ଏନେଇ ପୂର୍ବରୁ କର୍ପୋରେଟରମାନେ କାଉନସିଲ୍ ବୈଠକରେ ସ୍ବର ଉଠାଇଥିଲେ ହେଁ କିଛି ସମାଧାନ ହୋଇନି। ଅମୃତ ଯୋଜନାରେ ପାଇପ୍ ଲାଇନ୍ ବିଛାଇବା ସହ ସବୁ ଘରକୁ ପାଣି ସଂଯୋଗ ଦେବାକୁ କର୍ପୋରେଟରମାନେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପାଇପ୍ ଲାଇନ୍ ତ ବିଛା ସରିଲାନି ବରଂ ପାଇପ୍ ବିଛାଇବା ଆଳରେ ରାସ୍ତା ଖୋଳି ତାଡ଼ି ଦିଆଯାଇଛି। ଓପିଟିସିଏଲ୍‌ର ଭୂତଳ କେବୁଲ୍ ବିଛା କାର୍ଯ୍ୟ ଧାର୍ଯ୍ୟ ସମୟରେ ସରି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଅଛି। ଏହି ସବୁ ସମସ୍ୟା ନେଇ କର୍ପୋରେଟରମାନେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଘେରିବାର ଆଶଙ୍କା ଥିବାରୁ କର୍ତ୍ତୃପକ୍ଷ ଡରି ଯାଇଛନ୍ତି।

କର୍ପୋରେଟରମାନଙ୍କ କହିବା କଥା ଯେ, ଚଳିତ ଆର୍ଥିକ ବର୍ଷରେ ବିଏମ୍‌ସି ୱାର୍ଡ ବଜେଟ୍‌ ଅକ୍ଟୋବର-ନଭେମ୍ବର ମାସରେ ମିଳିଲା। ସବୁ କାମ ଟେଣ୍ଡର କରି ଦେବାକୁ ନିଷ୍ପତ୍ତି ହେଲା। ଫଳରେ ଚଳିତବର୍ଷ ପାଇଁ ଯୋଜନା ହୋଇଥିବା ୬୦% କାମ ଆରମ୍ଭ ହୋଇପାରିଲାନି। ଜାନୁଆରି‌େର ବିଏମ୍‌ସି କର୍ପୋରେସନ୍ କାର୍ଯ୍ୟକାଳ ସରିବ ବୋଲି ନଭେମ୍ବର ପର୍ଯ୍ୟନ୍ତ ହିସାବ କରି ୱାର୍ଡ ପିଛା ୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ଏତିକି ଟଙ୍କା ବି ସମ୍ପୂର୍ଣ୍ଣ ବିନିଯୋଗ ହୋଇପାରିନି। ବିଏମ୍‌ସିର କୌଣସି ୱାର୍ଡରେ ଚଳିତବର୍ଷ ଆଖିଦୃଶିଆ କାର୍ଯ୍ୟ ହୋଇନି। ସବୁ ବିଏମ୍‌ସି ଅଧିକାରୀଙ୍କ ଅସହଯୋଗ ଯୋଗୁଁ ହୋଇଛି। ଯଦି କର୍ପୋରେସନ୍ ବୈଠକ ବସିବ ତେବେ ନିର୍ବାଚନ ପୂର୍ବରୁ ସବୁ ଅଧା ପ୍ରକଳ୍ପ ଶେଷ କରିବାକୁ ଆମେ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇଥାନ୍ତୁ। ହେଲେ କର୍ତ୍ତୃପକ୍ଷ ତ ଧରାଛୁ୍ଆଁ ‌େଦଉନାହାନ୍ତି ଆମେ କ’ଣ କରିବୁ। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସି କମିସନର କ୍ରିଷନ କୁମାରଙ୍କର ଗତ ସପ୍ତାହରେ ବଦଳି ହୋଇଛି। ତେଣୁ ସେ କାଉନସିଲ୍ ବୈଠକରେ ଉପସ୍ଥିତ ରହିବେନି। ତେଣୁ କର୍ପୋରେଟରମାନେ ନୂଆ କମିସନରଙ୍କୁ ଅଡ଼ୁଆରେ ପକାଇବାର ଆଶଙ୍କା ଅଛି। ଶୁଭମ୍‌ ସାକ୍‌ସେନା ନୂଆ କରି ଦାୟିତ୍ବ ନେଇଥିବାରୁ ପ୍ରଥମରୁ ହଟହଟ୍ଟାର ଶିକାର ହେବାକୁ ଚାହୁଁନାହାନ୍ତି। କର୍ପୋରେସନ୍ ବୈଠକ ସିନା ବସିଲେ ଅଡ଼ୁଆ ସୃଷ୍ଟି ହେବ, ନ ବସିଲେ କିଛି ନାହିଁ। ଅପରପକ୍ଷେ ଏନେଇ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, କର୍ପୋରେଟରଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗୋଟିଏ ବୈଠକ ବସିବ। ଯଦି ଏହି ମାସରେ ବସି ନପାରିବ ତେବେ ଜାନୁଆରି ପ୍ରଥମ ସପ୍ତାହରେ ବସିବ। ୨୯ତାରିଖ ଗୋଟିଏ ଦିନ ହାତରେ ଅଛି। ଯଦି ଏଜେଣ୍ଡା ପ୍ରସ୍ତୁତ ହୋଇଯିବ ତେବେ କାଉନସିଲ୍ ବୈଠକ ବସିବ।

ସମ୍ବନ୍ଧିତ ଖବର