ଭୁବନେଶ୍ବର: ଆସନ୍ତା ବୁଧବାର ବିଏମ୍ସି ବୈଠକ ବସିବାକୁ ସ୍ଥିର ହୋଇଛି। ଏଥିରେ ପୋଷା କୁକୁରଙ୍କ ପାଇଁ ହେବାକୁ ଥିବା କଟକଣାକୁ ନେଇ ପ୍ରସ୍ତୁତ ଚିଠା ନିୟମାବଳୀ କର୍ପୋରେସନ ସ୍ବୀକୃତି ପାଇଁ ଉପସ୍ଥାପନ କରାଯିବ। କର୍ପୋରେସନର ମୋହର ବାଜିଲେ ତାହା ଗେଜେଟ୍ ବିଜ୍ଞପ୍ତି ପାଇଁ ସରକାରଙ୍କୁ ପଠାଯିବ। ସେହିଭଳି ପ୍ରସ୍ତୁତ ହୋଇଥିବା ଅତିରିକ୍ତ ବଜେଟ୍ ମଧ୍ୟ କର୍ପୋରେସନ ସ୍ବୀକୃତି ପାଇଁ ଉପସ୍ଥାପନ କରାଯିବ। ତେବେ ଏ ସବୁ ବାଦ୍ ମଶାକୁ ନେଇ ହୋ ହଲ୍ଲା ହେବ ବୋଲି ଜଣାପଡ଼ିଛି। ମଶା ଦମନ ପାଇଁ ଉଡ଼ିଥିବା ଡ୍ରୋନ୍ କୌଣସି କାମରେ ଲାଗି ନାହିଁ ବୋଲି କେତେକ କର୍ପୋରେଟର ଅଭିଯୋଗ କରିଥିବାରୁ ଏହା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେବ ବୋଲି କୁହାଯାଉଛି।
ବିଏମ୍ସି ଏ ବାବଦରେ କେତେ ଖର୍ଚ୍ଚ କଲା? ଡ୍ରୋନ୍ ଉଡ଼ାଉଥିବା ନିର୍ଦ୍ଦିଷ୍ଟ ସଂସ୍ଥାକୁ କିଭଳି ଚୟନ କଲା? କେତେ ମଶା ମଲେ? କେତେ ଉତ୍ସ ଚିହ୍ନଟ ହେଲା? ଏ ସବୁର ହିସାବ ମାଗିବେ କର୍ପୋରେଟର।
ଏହି ବୈଠକରେ ବିଏମ୍ସି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବ। ଏହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି। ବିଏମ୍ସି ବିନା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ବିଶେଷକରି ସବୁ ୱାର୍ଡରେ ୱାର୍ଡ ଅଫିସ୍ ନିର୍ମାଣ ପାଇଁ ବିଏମ୍ସି ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି। ଏଭଳି ଅନେକ ପ୍ରକଳ୍ପ ରହିଛି ଯେଉଁଥିରେ ଅକାରଣରେ ଅର୍ଥ ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଥିବାରୁ ଅତିରିକ୍ତ ବଜେଟ୍କୁ ନେଇ ମଧ୍ୟ ହୋ ହଲ୍ଲା ହୋଇପାରେ ବୋଲି କୁହାଯାଉଛି।
ଜବରଦଖଲ ଓ ଜବରଦଖଲ ହଟାଇବା ପ୍ରସଙ୍ଗରେ କର୍ପୋରେଟରମାନେ ମେୟର ଓ କମିସନରଙ୍କୁ ଘେରିବାକୁ ଯୋଜନା କରିଛନ୍ତି। କେତେକ ଜବରଦଖଲ ଉଚ୍ଛେଦ ଉଦ୍ଦେଶ୍ୟମୂଳକ ଭାବରେ ହୋଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ୫ ଥର ଆଦେଶ ହୋଇଥିଲେ ମଧ୍ୟ ଭଙ୍ଗାଯାଇନାହିଁ। ଏଥିପାଇଁ କର୍ପୋରେଟର ନୃପେଶ ନାୟକ ଜେସିବି ସାମ୍ନାରେ ଧାରଣା ମଧ୍ୟ ଦେଇଥିଲେ। ଏଣୁ ଜବରଦଖଲ ଓ ଉଚ୍ଛେଦ ପ୍ରସଙ୍ଗକୁ ନେଇ ବୈଠକରେ ହୋ-ହଲ୍ଲା ହେବା କୁହାଯାଉଛି। ଏହା ବ୍ୟତୀତ ଗତ ୨ଟି ବୈଠକରେ ପଚରା ଯାଇଥିବା ଏକାଧିକ ପ୍ରଶ୍ନର ଉତ୍ତର ଆସନ୍ତା ପରବର୍ତ୍ତି ବୈଠକରେ ଦେବା ପାଇଁ ବିଏମ୍ସି ପ୍ରତିଶ୍ରୁତି ଦେଇଆସୁଛି। ଏଥର ଉତ୍ତର ନ ମିଳିଲେ ବିଏମ୍ସି ଅଡ଼ୁଆରେ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।