ଭୁବନେଶ୍ୱର: ବିଧାନସଭା ଯୋଗୁଁ ଗତ ମାସରେ ବସିପାରିନଥିବା ବିଏମ୍‌ସି ମାସିକ ବୈଠକ ଆସନ୍ତା ୨୯ ତାରିଖରେ ବସିବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେ‌ଷ ହୋଇଛି। କର୍ପୋରେଟରମାନଙ୍କର ଦୁଇ ମାସର ପ୍ରଶ୍ନର ଉତ୍ତର ପ୍ରସ୍ତୁତ ହୋଇଥିବା ବେଳେ ଅନୁମୋଦନ ପାଇଁ ବିଏମ୍‌ସି ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବ ପ୍ରସ୍ତୁତ ରଖିଛି। ସେପଟେ ମେୟରଙ୍କୁ ଘେରିବା ପାଇଁ ବିରୋଧୀ କର୍ପୋରେଟର ପ୍ରସ୍ତୁତ ହୋଇଛନ୍ତି। ଜାଗା ମିସନ୍‌ ବାସ୍ତବ ରୂପ ନେଇ ପାରୁନଥିବାରୁ ପ୍ରବଳ ଅସନ୍ତୋଷ ଏହି ବୈଠକରେ ପ୍ରତିଫଳିତ ହେବାକୁ ଯାଉଛି।

Advertisment

ପୂର୍ବରୁ ୪୩୮ ସ୍ବୀକୃତିପ୍ରାପ୍ତ ବସ୍ତି ଥିବା ବେଳେ ସର୍ଭେ ସମୟରେ ଆଉ ୩୩ ବସ୍ତି ଚିହ୍ନଟ ହୋଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନ ମିଳିବାରୁ ୧୩୫ ବସ୍ତିରେ ଡ୍ରୋନ୍‌ ସର୍ଭେ ହୋଇପାରି ନାହିଁ। ସର୍ଭେ ପରେ ଶହ ଶହ ହିତାଧିକାରୀ ବାଦ୍‌ ପଡ଼ିଥିବା ଜଣାପଡ଼ିବା ପରେ ତନାଘନା ହୋଇଛି। ଏସ୍‌ଡିଏମାନେ ହସ୍ତକ୍ଷେପ କରି ହିତାଧିକାରୀଙ୍କ ନାମ କାଟି ଦେଇଥିବା ଅଭିଯୋଗ ହୋଇଛି। ବିଏମ୍‌ସି ପ୍ରମାଣ ପାଇବା ସହ ଅଭିଯୁକ୍ତ ଏସ୍‌ଡିଏମାନଙ୍କୁ ନୋଟିସ୍‌ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଏଭଳି ଶହ ଶହ ଅଭିଯୋଗ ରହିଥିବାରୁ ଉଚିତ୍‌ ସମୟରେ ଜମି ଅଧିକାର ପ୍ରମାଣପତ୍ର ବାଣ୍ଟିବା ସମ୍ଭବ ହୋଇନାହିଁ। ଏଭଳି ଅଭିଯୋଗକୁ ନେଇ ବିରୋଧୀ ଘେରିବାକୁ ଯାଉଛନ୍ତି। ଦୁଇ ମାସର ବୈଠକ ବସିବାକୁ ଥିବାରୁ ପ୍ରଶ୍ନ ଓ ପ୍ରସ୍ତାବ ସଂଖ୍ୟା ମଧ୍ୟ ଅଧିକ ରହିଛି। ପୋଷା କୁକୁର ପାଇଁ ଆସିବାକୁ ଥିବା ବାଇ ଲ’ ମଧ୍ୟ ଏହି ବୈଠକରେ ମଞ୍ଜୁରି ପାଇବ।

ଅନ୍ୟପଟେ ଏଷ୍ଟାବ୍ଲିସ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି ବସି ପାରିନାହିଁ। ଧାର୍ଯ୍ୟ ତାରିଖରେ ଖୋଦ୍‌ ଅଧ୍ୟକ୍ଷ ଅଭିମାନରେ ବୈଠକରେ ଯୋଗ ନ ଦେବାରୁ ଏହାକୁ ବାତିଲ କରାଯାଇଛି। ୨୯ ତାରିଖ ମଧ୍ୟରେ ନ ବସିପାରିଲେ ଏହି ବୈଠକକୁ ଉପେକ୍ଷା କରି କର୍ପୋରେସନ ବୈଠକ ବସାଇବାକୁ ସ୍ଥିର କରାଯାଇଛି। ଏଣୁ ବିବାଦ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଇଛି। ଏଣୁ କ’ଣ କରାଯିବ ସେ ନେଇ ବିଏମ୍‌ସି କର୍ତ୍ତୃପକ୍ଷ ହରଡ଼ଘଣାରେ ପଡ଼ିଥିବା ଜଣାପଡ଼ିଛି।