ଭୁବନେଶ୍ୱର: ଛଅ ଶହ କୋଟିର ବଜେଟ୍ ରାତାରାତି ବଢ଼ି ହଜାରେ କୋଟିରେ ପହଞ୍ଚିବା ବେଳେ ଖୁସି ମନାଉଥିବା ବିଏମ୍ସି ବିଏମ୍ସି ଏବେ କପର୍ଦକ ଶୂନ୍ୟ। ସବୁ ବାକିରେ ଚାଲିଛି। ଯେତିକି ପୁରୁଣା ପ୍ରକଳ୍ପ ଯୋଜନା ହୋଇଥିଲା ତାହା ସରିପାରୁନି, ଆଉ ନୂଆ କଥା ନ କହିବା ଭଲ। ଯେତିକି ଅଟକଳ ହୋଇଛି ସେ ସବୁକୁ ଯୋଜନା ଅନୁସାରେ ସାରିବାକୁ ହେଲେ ଆଉ ୨୫୦ କୋଟି ଟଙ୍କାର ଆବଶ୍ୟକତା ରହିଛି। ସେଥିପାଇଁ କଚ୍ଚାପକା ରାସ୍ତା ଅଧାଖଣ୍ଡିଆ ହୋଇ ରହିଛି। ଅନେକ ପ୍ରକଳ୍ପ ଟେଣ୍ଡର ସରିଛି ହେଲେ କାର୍ଯ୍ୟାଦେଶ ଦିଆଯାଇପାରୁନି। ଅନେକ ପ୍ରକଳ୍ପ ସରିବା ସରିବା ହେଲାଣି ହେଲେ ବିଲ୍ ଦେବାକୁ ଟଙ୍କା ନାହିଁ। କଚ୍ଚାପକା ରାସ୍ତା ପାଇଁ ରାଜ୍ୟ ସରକାର ଅର୍ଥ ଦେବାକୁ କହିଥିଲେ ଦେଇ ନାହାନ୍ତି। ସରକାର କେବଳ ରା୍ସତା କଥା କହିଥିବା ବେଳେ ବିଏମ୍ସି ସେଥିରେ ଡ୍ରେନ୍ ଯୋଡ଼ି ଟେଣ୍ଡର ପରିମାଣ ବଢ଼ାଇ ଦେଇଛି। ମୁକ୍ତା ଓ ଜାଗା ମିସନରେ ମଧ୍ୟ ଯେତିକି ମିଳିବା କଥା ସେତିକି ମଧ୍ୟ ସରକାରଙ୍କ ଠାରୁ ମିଳିନାହିଁ। ରାଜ୍ୟରୁ ମିଳିବ ଆଶା କରି ବିଏମ୍ସି ଅଟକଳ କରିବା ସହ ନିଜ ପାଣ୍ଠିରୁ ମଧ୍ୟ ଖର୍ଚ୍ଚ କରିଛି। ଫଳରେ ଏଭଳି ଏକ ଅର୍ଥାଭାବ ସ୍ଥିତି ସୃଷ୍ଟି ହୋଇଛି। ଏଣେ ସରକାର ବଦଳି ଯାଇଥିବାରୁ ଏହି ଅର୍ଥ ମିଳିବ କି ମିଳିବ ତାହା ମଧ୍ୟ ଆଶଙ୍କାରେ ରହିଛି। ଏ ନେଇ ଆଜି ବିଏମ୍ସିରେ ବସିଥିବା କର୍ପୋରେସନ ବୈଠକରେ ସରଗରମ ଆଲୋଚନା ହୋଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି।
ବର୍ଜ୍ୟବସ୍ତୁ ପରିଚାଳନା ବାବଦରେ ଆବାସିକ ଓ ସରକାରୀ ଆବାସସ୍ଥଳ, ସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଏବଂ ବ୍ୟାବସାୟିକ ସଂସ୍ଥା ଠାରୁ ୟୁଜର୍ସ ଫି ଆଦାୟ ହେବ। କଲ୍ୟାଣ ମଣ୍ଡପ, ବିବାହ ମଣ୍ଡପ, ପ୍ରଦର୍ଶନୀ ପଡ଼ିଆ, ମେଳା ପଡ଼ିଆ, ଖୋଲା ସ୍ଥାନରେ ହେଉଥିବା ସାମୁହୀକ ଉତ୍ସବ ପାଇଁ ମଧ୍ୟ ଏଭଳି ବ୍ୟବସ୍ଥା ହୋଇଛି। ମଣ୍ଡପ ତଥା ଖୋଲା ପଡ଼ିଆର କ୍ଷେତ୍ରଫଳ ଓ ବର୍ଜ୍ୟ ବସ୍ତୁର ଓଜନ ଆଧାରରେ ଏହି ଦେୟ ଧାର୍ଯ୍ୟ ହୋଇଛି। ବର୍ଜ୍ୟ ବସ୍ତୁ ସଂଗ୍ରହ ବେଳେ ଓଜନ କରିବା ପ୍ରାବଧାନ ନଥିବାରୁ ଓଜନ ବଦଳରେ ‘ଟ୍ରିପ୍’ ଆଧାରରେ କରିବାକୁ ସ୍ଥିର କରାଯାଇଛି। ଅନ୍ୟପଟେ ଏନ୍ଫୋର୍ସମେଣ୍ଟ ଟିମ୍ ଓ ସାନିଟାରି ଇନ୍ସ୍ପେକ୍ଟର ବୁଲିବା ବେଳେ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ନୂଆ ପ୍ରକାରର ଉଲଘଂନ ଦୃଷ୍ଟିଗୋଚର ହେଉଛି। ଏଣୁ ଏହି ସବୁ ନୂଆ ବର୍ଗର ଭଲଂଘନ ପାଇଁ ମଧ୍ୟ ଜରିମାନା ଧାର୍ଯ୍ୟ ହୋଇଛି। ଖୁବ୍ଶୀଘ୍ର ଏ ବାବଦରେ ସର୍ବସାଧାରଣଙ୍କୁ ଅବଗତ କରାଯିବାକୁ ଯୋଜନା ହୋଇଛି। ଭେଣ୍ଡିଂ ଜୋନ୍ ଭଡ଼ା ଦେଇଥିଲେ ଏଥର ବ୍ୟବସାୟୀଙ୍କ ଆଲଟ୍ମେଣ୍ଟ ବାତିଲ କରାଯିବାକୁ ନିଷ୍ପତ୍ତି ହୋଇଛି। ଅନେକ ବ୍ୟବସାୟୀ ଭେଣ୍ଡିଂ ଜୋନ୍ରେ ଦୋକାନ ନେଇଛନ୍ତି କିନ୍ତୁ ଏହାକୁ ଭଡ଼ା ଲଗାଇଥିବା ଅଭିଯୋଗ ବାରମ୍ବାର ଆସିବା ପରେ ବିଏମ୍ସି ଆଜି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। କେବଳ ଭଡ଼ା ଲଗାଇଲେ ନୁହେଁ, ବରଂ ଯେଉଁମାନେ ବନ୍ଦ ରଖି ଅନ୍ୟତ୍ର ବ୍ୟବସାୟ କରୁଥାନ୍ତି ତେବେ ତାଙ୍କର ମଧ୍ୟ ଆଲଟ୍ମେଣ୍ଟ ବାତିଲ ହେବ। ଏ ନେଇ ଖୁବ୍ଶୀଘ୍ର ଜୋନ୍ସ୍ତରରେ ସର୍ଭେ ହେବ ବୋଲି ଜଣାପଡ଼ିଛି। ବାତିଲ୍ ହୋଇଥିବା ଆଲଟ୍ମେଣ୍ଟ ଅନ୍ୟ ବ୍ୟବସାୟୀଙ୍କୁ ଦେଇ ଦିଆଯିବ।
ରାସ୍ତା କଡ଼ରେ ଯେଉଁମାନେ ବର୍ଜ୍ୟ ପକାଉଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ରାସ୍ତା ଉପରେ ଗୃହ ନିର୍ମାଣ ଓ ଭଗ୍ନାବଶେଷ ସାମଗ୍ରୀ ଗଦା କଲେ ଜରିମାନା ଆଦାୟ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଭାଙ୍ଗି ଯାଇଥିବା ସ୍ଲାବ ଓ ବିଭିନ୍ନ ରାସ୍ତାରେ ଥିବା ‘ପାଥ୍ ହୋଲ୍’ ଗୁଡିକୁ ମରାମତି କରିବା ପାଇଁ ନିର୍ଦେଶ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିସନର ଘାସିରାମ ମୁର୍ମୁ ଓ ସସ୍ମିତା ସାହୁ, ସିଟି ଇଂଜିନିୟର ବିଳାସ ବେହେରା ମଞ୍ଚାସୀନ ଥିଲେ। ସଂଯୋଜନା କରିଥିଲେ ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ।
ଆଦାୟ ହେବ ୟୁଜର୍ସ ଫି
ଭେଣ୍ଡିଂ ଜୋନ୍ ଭଡ଼ା ଦେଇଥିଲେ ବାତିଲ ହେବ ଆଲଟ୍ମେଣ୍ଟ
କିଏ ମାପିଥିଲା ନଳା ସ୍ଲାବ୍?
ଭୁବନେଶ୍ବରରେ ଥିବା ବିଏମ୍ସିର ୧୩୮୦ କିମି ନଳାରୁ ୨୭ କିମି ନଳାରେ ଢାଙ୍କୁଣି ନାହିଁ। ୬୭ ୱାର୍ଡରୁ ୫୪ଟି ୱାର୍ଡରେ ଏହି ୨୭ କିମି ନଳା ମୁକୁଳା ରହିଛି। ନଳା ମରାମତି ଓ ଢାଙ୍କୁଣି ପକାଇବା ବିଏମ୍ସି ୧୨କୋଟି ୪୦ ଲକ୍ଷ ୧୪ ହଜାର ୪୬୭ ଟଙ୍କାର ବ୍ୟୟ ଅଟକଳ କରି ଟେଣ୍ଡର ଦେଇଛି। ହେଲେ ୨୭ କିମି ନଳାରେ ଢାଙ୍କୁଣୀ ନାହିଁ ବୋଲି ଏହି ସ୍ଲାବ୍ ଗଣିଥିଲା? କାହିଁକି ଏ ବାବଦରେ କର୍ପୋରେଟରମାନଙ୍କୁ ଅବଗତ କରାଗଲା ନାହିଁ? ଆଜି ବୈଠକରେ ଏଭଳି ପ୍ରଶ୍ନ ପଚାରିଛନ୍ତି ଏକାଧିକ କର୍ପୋରେଟର। କର୍ପୋରେଟରଙ୍କ ପ୍ରଶ୍ନରେ ସିଟି ଇଞ୍ଜିନିୟର ବିଳାସ କୁମାର ବେହେରା ଝାଳନାଳ ହୋଇପଡ଼ିଥିଲେ। କେବଳ ଏହି ପ୍ରସଙ୍ଗ ନୁହେଁ, ବରଂ ଅନେକ ପ୍ରସଙ୍ଗରେ ଅଧିକାରୀମାନେ ଆଗୁଆ ନିଷ୍ପତ୍ତି ନେଇ ପରେ କର୍ପୋରେସନର ସ୍ବୀକୃତି ମାଗୁଥିବାରୁ ଏକାଧିକ କର୍ପୋରେଟର ପ୍ରଶ୍ନ ଉଠାଇବାରୁ ହୋ ହଲ୍ଲା ହୋଇଥିଲା।
ଏଲ୍ଆର୍ସି ପାଇଁ ଜମା ହୋଇଛି ୨୦ କୋଟି
ଜାଗା ମିସନ ଅଧୀନରେ ବସ୍ତିବାସିନ୍ଦାଙ୍କ ଠାରୁ ଏଲ୍ଆର୍ସି ବାବଦକୁ ଧାର୍ଯ୍ୟ ମାପଠାରୁ ଅଧିକ ଆକାରର ଜମି ରଖିଲେ ଯେଉଁ ଅର୍ଥ ଦେବାକୁ ପଡ଼େ ସେହି ବାବଦକୁ ୨୦କୋଟି ୨୪ ଲକ୍ଷ ୧୩ହଜାର ୬୩୨ ଟଙ୍କା ଆଦାୟ ହୋଇଛି। ଏହି ଅର୍ଥକୁ ଏଚ୍ଡିଏଫ୍ସି ବ୍ୟାଙ୍କ୍ର ଅର୍ବାନ୍ ପୁଅର ୱେଲ୍ଫେୟାର ଫଣ୍ଡରେ ଜମା ରଖାଯାଇଥିବା ବିଏମ୍ସି ସୂଚନା ଦେଇଛି। ତେବେ କେତେକ ବସ୍ତିବାସିନ୍ଦା ଦେୟ ଦାଖଲ କରିଥିଲେ ମଧ୍ୟ ଏଲ୍ଆରସି ପାଇ ନାହାନ୍ତି। ରେଳବାଇ, ଜଙ୍ଗଲ, ଓ ମନ୍ଦିର ଜମିରେ ରହିଥିବା ବାସିନ୍ଦାଙ୍କୁ ଏଲ୍ଆର୍ସି ଯୋଗାଇ ଦେବାକୁ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।
ଅବସରପ୍ରାପ୍ତ ଅଧିକାରୀ ବିଦା
ଅବସର ପରେ ନିଯୁକ୍ତି ପାଇ ଚର୍ଚ୍ଚାକୁ ଆସିଥିବା ଲାବଣ୍ୟ ଶବର ଓ ଅରୁଣ ନାୟକ ବିଦା ହୋଇ ଯାଇଛନ୍ତି। ସରକାରଙ୍କ ଠାରୁ ଅନୁମତି ନ ମିଳିବାରୁ ସେମାନଙ୍କର ପୁନଃନିଯୁକ୍ତି ସମ୍ଭବ ହୋଇ ନାହିଁ। ପୂର୍ବତନ ବିତ୍ତ ଅଧିକାରୀ ଲାବଣ୍ୟ ଶବରଙ୍କୁ ପୁନଃ ନିଯୁକ୍ତି ଦେବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ବିଏମ୍ସିକୁ ପତ୍ର ଲେଖିଥିଲା। ୬ ମାସ ଚାକିରି ପରେ ଆଉ ନବୀକରଣ ହେଲା ନାହିଁ। ସେହିଭଳି ଅରୁଣ ନାୟକଙ୍କୁ ବିଏମ୍ସି ଅବସର ପରେ ନିଯୁକ୍ତି ଦେଇ ସରକାରଙ୍କ ଠାରୁ ଅନୁମତି ମାଗିଥିଲା। ହେଲେ ଅନୁମତି ମିଳିଲା ନାହିଁ। କର୍ପୋରେଟର ନୃପେଶ ନାୟକଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛି ବିଏମ୍ସି। କିନ୍ତୁ ଆଉଟ୍ସୋର୍ସିଂ ମାଧ୍ୟମରେ ୩୦୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ନିଯୁକ୍ତି ଦେବା ବେଳେ ବିଏମ୍ସି କାହିଁକି ସରକାରଙ୍କ ଅନୁମତି ନେଲା ନାହିଁ ପ୍ରଶ୍ନର ଉତ୍ତର ରଖିପାରିନି ବିଏମ୍ସି।