ଭୁବନେଶ୍ୱର: କପର୍ଦ୍ଦକ ଶୂନ୍ୟ ହୋଇଯାଇଛି ବିଏମ୍‌ସି। ସବୁ ବଦ ଖର୍ଚ୍ଚ କରି ଏବେ ସ୍ଥାୟୀ ଜମା ଭାଙ୍ଗିବାକୁ ବସିଛନ୍ତି। ଜନହିତକର ପ୍ରକଳ୍ପ ପ୍ରଭାବିତ ହୋଇଛି। କର୍ପୋରେଟର ଲୋକଙ୍କୁ ମୁହଁ ଦେଖାଇ ପାରୁ ନାହାନ୍ତି। ବାରମ୍ବାର ପ୍ରତିବାଦ ସତ୍ତ୍ବେ ଅନେକ ପ୍ରକଳ୍ପ କର୍ପୋରେସନକୁ ଲୁଚାଇ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ସିଟି ଇଞ୍ଜିନିୟର ଦାୟୀ। ଏଣୁ ତାଙ୍କୁ ତୁରନ୍ତ ବିଦା କରାଯାଉ। ଏଭଳି ଦାବିରେ ଆଜି ବିଏମ୍‌ସିରେ ବସିଥିବା ସାଧାରଣ ପରିଷଦ ବୈଠକରେ ପ୍ରବଳ ହୋ ହଲ୍ଲା ହୋଇଛି। ତା’ ଛଡ଼ା କର୍ପୋରେସନର ବିନା ସ୍ବୀକୃତିରେ କାମ ହେଉଥିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ନୃପେଶ ନାୟକ ଓ ଅନ୍ୟ କର୍ପୋରେଟରମାନେ ସଭାଗୃହରେ ଧାରଣା ଦେବାରୁ ରାସ୍ତା କାମ ଓ ଘର ଘର ବୁଲି ପରିମଳ କାର୍ଯ୍ୟରେ ସହାୟତା ପାଇଁ ଏନ୍‌ଜିଓ ସଂସ୍ଥା ଚୟନ କରିବାକୁ ହୋଇଥିବା ଟେଣ୍ଡର ବାତିଲ୍‌ କରିବାକୁ ନିଷ୍ପତ୍ତି ହୋଇଛି। ବିନା କାମରେ କୋଟି କୋଟି ଟଙ୍କା ଏନ୍‌ଜିଓ ନେଇ ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। 

Advertisment

ଆଜି ପୂର୍ବାହ୍ନରେ ବସିଥିବା ବିଏମ୍‌ସି ସାଧାରଣ ପରିଷଦ ବୈଠକରେ ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ରତ୍ନାକର ସାହୁ, ସସ୍ମୀତା ସାହୁ, ଜୋନାଲ କମିସନର କୈଳାସ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି କର୍ପୋରେଟରମାନଙ୍କର ପ୍ରଶ୍ନର ଉତ୍ତର ରଖିଥିଲେ। ଟ୍ରାଫିକ ଛକରେ ପଥଚାରୀମାନଙ୍କୁ ଖରା ଓ ବର୍ଷାରୁ ରକ୍ଷା କରିବା ପାଇଁ ଏଥର ଅସ୍ଥାୟୀ ନୀଳ ରଙ୍ଗର ପାଲ ନୁହେଁ, ବରଂ ସ୍ଥାୟୀ ସୋଲାର ସେଡ୍ ନିର୍ମାଣ ହେବ। ପରୀକ୍ଷାମୂଳକ ଭାବେ ପ୍ରଥମେ ଏଜି ଓ କଳିଙ୍ଗ ହସ୍‌ପିଟାଲ ଛକରେ ପିପିପି ମୋଡ୍‌ରେ ହେବ। ଏଥିରେ ବିଏମ୍‌ସିର ଅର୍ଥ ଖର୍ଚ୍ଚ ହେବ ନାହିଁ। ସମ୍ପୃକ୍ତ ଛକରେ ସୌରଶକ୍ତି ବଳରେ ଲାଇଟ୍‌ ଜଳିବ। ବିଦ୍ୟୁତ ଖର୍ଚ୍ଚ ହେବ ନାହିଁ। ଏହା ସଫଳ ହେଲେ ଅନ୍ୟ ଛକମାନଙ୍କରେ ଲାଗିବାକୁ ଯୋଜନା ହୋଇଛି। ସେହିଭଳି ସହିଦନଗରରେ ଥିବା ୨.୫ ଏକରଜମିରେ ଅତ୍ୟାଧୁନିକ ଅଡିଟୋରିୟମ ନିର୍ମାଣ ହେବ। 

ଏଜି, କଳିଙ୍ଗ ହସ୍‌ପିଟାଲ୍‌ ଛକରେ ହେବ ସୋଲାର୍‌ ସେଡ୍‌
ବାତିଲ୍‌ ହେବ ରାସ୍ତା, ଏନ୍‌ଜିଓ ଟେଣ୍ଡର
‘ବିଏମ୍‌ସିର ବଦ ଖର୍ଚ୍ଚ, ସିଟି ଇଞ୍ଜିନିୟରଙ୍କୁ ବିଦା କର’

ପାର୍କିଂ ଟେନ୍‌ସନ୍‌: ଜୁଡିଓକୁ ନୋଟିସ୍‌‌
ଚାରିଆଡ଼େ ପାର୍କିଂ ଟେନ୍‌ସନ୍‌। ବିଏମ୍‌ସି ଅଧିକାରୀଙ୍କ ପାଖରେ ଚଣ୍ଡ ଥୋଇ ଦଲାଲ୍‌ ବେଆଇନ ପାର୍କିଂ ବାବଦରେ ନେଇଯାଉଛି ‌କୋଟି କୋଟି ଟଙ୍କା। ଆଉ ଦହଗଞ୍ଜ ହେଉଛନ୍ତି ସାଧାରଣ ଜନତା। ଆଜି ମାନସୀରାଣୀ ସୁନ୍ଦରାୟଙ୍କ ପ୍ରଶ୍ନର ଉତ୍ତରରେ ଏଭଳି କିଛି ପ୍ରମାଣ ମିଳିଥିଲା। ୱାର୍ଡ ନମ୍ବର ୨୫ରେ ବିଶାଲ ମେଗାମାର୍ଟ, ଭି-୨ ସାମ୍ନା, ପ୍ରେସିଡେନ୍‌ସି ହୋଟେଲ୍‌ ସାମ୍ନାରେ ବେଆଇନ ପାର୍କିଂ ହେଉଛି। ହେଲେ ବିଏମ୍ସି ଜାଣିନି କହୁଛି। ଏ ସବୁର ତଦନ୍ତ କରାଯିବ। ତେବେ ସହିଦନଗର ଜୁଡିଓ ସାମ୍ନାରେ ବେଆଇନ ପାର୍କିଂ ହେଉଥିବାରୁ ସମ୍ପୃକ୍ତ ସଂସ୍ଥାକୁ ନୋଟିସ୍‌ ହୋଇଛି।

ମାପଚୁପରେ ୧.୭୦ ଲକ୍ଷ କୋଟିଦେଲେ
ତାରିଣୀ ବସ୍ତ୍ରାଳୟକୁ ପାର୍କିଂ ପାଇଁ କଳ୍ପନା ଛକରେ ମୂଲ୍ୟବାନ ଜାଗା ଦେଇଥିଲେ। ନବୀକରଣ ପାଇଁ ମାପଚୁପ କରି ବିଏମଖ୍‌ସିର ନିୟମ ମୁତାବକ ପ୍ରଥମେ ୪.୮୫ ଲକ୍ଷ ଧାର୍ଯ୍ୟକଲେ। କିନ୍ତୁ ତାରିଣୀ ବସ୍ତ୍ରାଳୟ ଏହାକୁ କମାଇବାକୁ କହିବାରୁ ଆଉ ଥରେ ମାପି ୧.୭୦ ଲକ୍ଷ କାଟିଦେଲେ। ଦକ୍ଷିଣ-ପୂର୍ବ ଜୋନ୍‌ ଅମୀନ ଓ ସୁପରଭାଇଜର ଏହି ଦାୟିତ୍ବ ନେଇଥିଲେ। ଯଦି ପ୍ରଥମେ ନିୟମ ଅନୁସାରେ ଦେୟ ଧାର୍ଯ୍ୟ ହେଇଥିଲା, ତେବେ ୧.୭୦ଲକ୍ଷ କମିଗଲା କେମିତି?

ଏକ୍ସପୋଜର ଭିଜିଟ୍‌ କାହା ପାଇଁ?
ନିକଟ ଅତୀତରେ କେତେକ କର୍ପୋରେଟର ମଦୁରାଇ, ରାମେଶ୍ବର, ତିରୁଅନନ୍ତପୁରମ୍‌ ପ୍ରଭୃତି ପୌରସଂସ୍ଥାକୁ ଏକ୍‌ସ୍‌ପୋଜର ଭିଜିଟ୍‌ରେ ଯାଇଥିଲେ। ଏଥିପାଇଁ ୩୨ ଲକ୍ଷ ଖର୍ଚ୍ଚ ହୋଇଛି। ଏହା ପୂର୍ବରୁ ମଧ୍ୟ ମେୟର ଓ ଅନ୍ୟମାନେ ଦେଶ ଓ ବିଦେଶ ବୁଲିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଏଥିରେ କଣ ଉନ୍ନତି ହୋଇଛି?  ଏହି ଭିଜିଟ୍‌ କାହାପାଇଁ? ବିଏମ୍‌ସିର ଟଙ୍କାଟିଏ ଲାଭ ହୋଇନି। ଏପଟେ ନିକଟରେ କ୍ୟୁପରଟିନୋ ପୌରସଂସ୍ଥାରୁ ଆସିଥିବା ଟିମ୍‌ର ଖାଦ୍ୟପେୟ ପାଇଁ ବିଏମ୍‌ସି ୮୯.୧୪୮ହଜାର ଟଙ୍କା ଖର୍ଚ୍ଚ ହୋଇଛି।

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ରାଜଧାନୀର ପ୍ରମୁଖ ରାସ୍ତା ପାର୍ଶ୍ବରୁ ଜବରଦଖଲ ହଟାଯିବା ସହ ସୌନ୍ଦର୍ଯ୍ୟୀକରଣ କରାଯିବ। ସେହି ରାସ୍ତାକଡରୁ ହଟାଇ ଦିଆଯାଇଥିବା ବ୍ୟବସାୟୀମାନଙ୍କୁ ସମ୍ପୃକ୍ତ ୱାର୍ଡରେ ଥିବା କଞ୍ଜରଭାନ୍ସି ଲେନ୍‌ରେ ସାମୟିକ ଥଇଥାନ କରାଯିବ। ଡିସେମ୍ବରରେ ଭୁବନେଶ୍ବରରେ ପଥଉତ୍ସବ ହେବ। ପୂର୍ବରୁ ଯେଭଳି ହେଉଥିଲା ଠିକ୍‌ ସେମିତି ୩ଟି ଜୋନ୍‌ରେ ହେବ। ତେବେ ଏହା ଉପରେ ଷ୍ଟାଣ୍ଡିଂ କମିଟିରେ ସ୍ବୀକୃତ କରାଯିବ। ପୂର୍ବରୁ ହୋଇଥିବା ନିଷ୍ପତ୍ତି ମୁତାବକ ନେବରହୁଡ୍‌ ମାର୍କେଟ୍‌ ପାଇଁ ଜେଡ୍‌ଡିସିମାନେ ପ୍ରତି ୱାର୍ଡରେ ଜାଗା ଚିହ୍ନଟ କରି ରିପୋର୍ଟ ଦେବେ। ସ୍ଥାନ ଚିହ୍ନଟ ପରେ ସର୍ଭେ କରାଯାଇ ସେଠାରେ ମାର୍କେଟ ନିର୍ମାଣ କରାଯିବ। ସର୍ବଭାରତୀୟ ଡିଜି ସମ୍ମିଳନୀ, ରାଷ୍ଟ୍ରପତିଙ୍କ ଗସ୍ତ, ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସୌନ୍ଦର୍ଯ୍ୟୀକରଣ କାମ ଜାରି ରହିବ। ସହରର ପ୍ରମୁଖ ଛକରେ ସୌରଚାଳିତ ପାନୀୟ ଜଳ କିଓସ୍କ ସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ସମସ୍ତ ଷ୍ଟାଣ୍ଡିଂ କମିଟ ଅଧ୍ୟକ୍ଷ, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, କର୍ପୋରେଟର, ଲାଇନ୍‌ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।