ଭୁବନେଶ୍ବର: ଏଦୃଶ୍ୟ ଦେଖି କେହି କେହି ଭାବିଥିଲେ- ଭୁବନେଶ୍ବର କ’ଣ ବିହାର ହେଇଗଲା! ଅନ୍ୟ କୋଉଠି ନୁହେଁ, ଖୋଦ୍ ରାଜଧାନୀର ଛାତି ଉପର ୟୁନିଟ-୯ ଅଞ୍ଚଳରେ ଘଟିଥିଲା ଘଟଣାଟି। ଗତକାଲି ଏକ ଗଣେଶ ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ ଜଣେ ଲୋକ ଅତି ଉତ୍ସାହରେ ଡିଜେର ତାଳେତାଳେ ବନ୍ଧୁକଟିଏ ଟେକିଧରି ନାଚୁଥିବାର ଦେଖିବାକୁ ମିଳିଥିଲା। ସେ ପୁଣି ସାଧାରଣ ଲୋକ ନଥିଲେ, ଥିଲେ ଜଣେ ଜନପ୍ରତିନିଧି। ତାହା ପୁଣି ସରକାରୀ ଦଳର। ଭସାଣିରେ ବିଏମ୍ସି ୱାର୍ଡ ନମ୍ବର-୨୯ର ବିଜେପି କର୍ପୋରେଟର ଜୀବନ ରାଉତଙ୍କ ଏଭଳି ଅବତାର ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ସେ ଦୃଶ୍ୟର ଭିଡିଓ ଭାଇରାଲ୍ ହୋଇଯାଇଥିଲା। ଏହାକୁ ଅନେକ ଲୋକ ସମାଲୋଚନା ମଧ୍ୟ କରିଥିଲେ।
ଅନ୍ୟପଟେ ଘଟଣାକୁ କମିସନରେଟ୍ ପୁଲିସ ଗୁରୁତ୍ବର ସହ ନେଇଥିଲା। ଖବର ପାଇବା ପରେ ପୁଲିସର ତନାଘନା ଆରମ୍ଭ ହୋଇଥିଲା। ଉଲ୍ଲେଖନୀୟ ଯେ ଜୀବନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି। ପୂର୍ବରୁ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଜଣେ ମହିଳା ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରି ସେ ଗିରଫ ମଧ୍ୟ ହୋଇଥିଲେ। ପୁଲିସ ତେଣୁ ଏ ବନ୍ଧୁକ ନାଚ ଘଟଣାକୁ ଗୁରୁତ୍ବର ସହ ନେଇଥିଲା। ସହିଦନଗର ଥାନା ପୁଲିସ ଭିଡିଓ ଫୁଟେଜ୍କୁ ଯାଞ୍ଚକରିବା ପରେ କେତେଜଣ ଲୋକଙ୍କୁ ପଚରା ଉଚରା କରିଥିଲା। ଶେଷରେ ବନ୍ଧୁକଟି ଏକ ଟେଣ୍ଟ ହାଉସ୍ର ବୋଲି ଜଣାପଡ଼ିଥିଲା। ପୁଲିସ ଟେଣ୍ଟ ହାଉସ୍ ମାଲିକଙ୍କ ସହ ଯୋଗାଯୋଗ କରି ସେଠାରେ ପହଞ୍ଚିଥିଲା। ତେବେ ବନ୍ଧୁକକୁ ଜବତ ବେଳେ ତାହା ନାଟକରେ ବ୍ୟବହାର କରାଯାଉଥିବା ଏକ କାଠ ବନ୍ଧୁକ ବୋଲି ଜଣାପଡ଼ିଥିଲା।
ତେବେ ଜବତ ହୋଇଥିବା କାଠ ବନ୍ଧୁକଟିକୁ ପ୍ରକୃତରେ ନାଚବେଳେ କର୍ପୋରେଟର ଧରିଥିଲେ ନା ଅନ୍ୟ ବନ୍ଧୁକ ଧରିଥିଲେ, ତାହାକୁ ନେଇ ସାଧାରଣରେ ଦ୍ବନ୍ଦ୍ବ ରହିଛି। ପୁଣି କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି ଯେ ବନ୍ଧୁକ ନକଲି ହେଲେ ମଧ୍ୟ ଜଣେ ଜନପ୍ରତିନିଧି ତାହାକୁ ଧରି ନୃତ୍ୟ କରିବା ଆଦୌ ଗ୍ରହଣୀୟ ନୁହେଁ। ଏହା ଏକ ଖରାପ ପରଂପରା ଓ ଉଦାହରଣ ସୃଷ୍ଟି କରିଛି ବୋଲି ସେମାନେ କହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/m7OVxl7x04hSNwfVvzdH.jpg)