ଚନ୍ଦ୍ରଶେଖରପୁର: ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଅଧୀନ ୯ ନମ୍ବର ୱାର୍ଡ। ଅଧା ସହର ଓ ଆଉ ଅଧା ଗାଁକୁ ନେଇ ଗଠିତ ଏହି ୱାର୍ଡ ୨୦୨୨ ନିର୍ବାଚନରେ ହଟଚମଟ ସୃଷ୍ଟି କରିଥିଲା। ବିଜେଡି ପ୍ରାର୍ଥୀ ସୂର୍ଯ୍ୟକାନ୍ତି ଜେନାଙ୍କୁ ମାତ୍ ଦେଇ ସ୍ବାଧୀନ ପ୍ରାର୍ଥୀ ସୁଷମା ସାହୁ ବିଜୟ ହାସଲ କରିଥିଲେ। ୱାର୍ଡବାସୀଙ୍କୁ ବିକାଶର ସ୍ବପ୍ନ ଦେଖାଇ ଭୋଟରଙ୍କ ମନ ଜିଣିଥିଲେ କର୍ପୋରେଟର ହୋଇଥିଲେ ସୁଷମା। ନିର୍ବାଚନ ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୋଇ ବିକାଶ ଧାରାକୁ ଆଗକୁ ନେଇଛନ୍ତି। ବର୍ଷକ ମଧ୍ୟରେ ରାସ୍ତା ରୂପ ବଦଳିଛି। ପିଇବା ପାଣି ସମସ୍ୟା ଦୂର ହୋଇଛି। ତା’ସତ୍ତ୍ବେ ବି କିଛି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ।
ଗାଡ଼କଣ ଗାଁ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଭାବେ କାମ ହୋଇପାରି ନାହିଁ। କିଛି ଅଂଶ କଂକ୍ରିଟ୍ ହୋଇଛି। ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଭିଡ଼ କମାଇବାକୁ ନିର୍ମାଣ ହେଉଥିବା ଡାହାଣ ପାର୍ଶ୍ବ ସମାନ୍ତରାଳ ରାସ୍ତା ମନ୍ଥର ଗତିରେ ଚାଲୁଥିବାରୁ ୱାର୍ଡବାସୀଙ୍କ ଦୁଃଖ ବଢ଼ୁଛି। ରେଳ ଷ୍ଟାଡିୟମ୍ ଛକରୁ ଗୁରୁ କେଳୁଚରଣ ପାର୍କ ପର୍ଯ୍ୟନ୍ତ ରାସ୍ତା ସମସ୍ୟାକୁ କିଛି ମାତ୍ରାରେ ସମାଧାନ ହୋଇଥିଲେ ଏପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ହୋଇପାରି ନାହିଁ। ଷ୍ଟାଡିୟମ୍ ଛକରେ ଟ୍ରାଫିକ୍ ସମସ୍ୟା ଏଡ଼ାଇବାକୁ ଗୋଲେଇ କରାଯାଇଛି। ଗାଡ଼କଣ ଦୁଇଟି ସାହିରେ ଡ୍ରେନ୍ ଚକାଚକ୍ ହୋଇଛି। ମାତ୍ର ଶବର ସାହିର ଡ୍ରେନେଜ୍ ସମସ୍ୟାର ସମାଧାନ ହୋଇନି। ରଙ୍ଗମାଟିଆ ରାସ୍ତା କଥା ନ କହିବା ଭଲ। ବର୍ଷ ତମାମ ଭଲ ରାସ୍ତାକୁ କେବେ ସ୍ବରେଜ୍ ପାଇଁ ତ ପୁଣି କେବେ ପାଣି ପାଇପ୍ ବିଛାଇବାକୁ ଖୋଳାଯାଉଛି। ମନ୍ଥର ଗତିରେ କାମ ହେଉଥିବାରୁ ରଙ୍ଗମାଟିଆବାସୀ ନାକେଦମ ହେଉଛନ୍ତି। ରଙ୍ଗମାଟିଆ ତଳ ସାହିକୁ ଯୋଗାଯୋଗ ଲାଗି ଥିବା ରାସ୍ତା ବିବାଦ ପାଇଁ ଆଗେଇ ପାରୁ ନାହିଁ। ୧୫ବର୍ଷ ହେଲାଣି ଏହି ରାସ୍ତା ନିର୍ମାଣ କେବଳ ପ୍ରତିଶ୍ରୁତିରେ ହିଁ ଅଟକି ରହିଛି।
ଗାଡ଼କଣବାସୀ ଆଜି ପର୍ଯ୍ୟନ୍ତ ମୋ ବସ୍ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଉଭୟ ଗାଁର ଷ୍ଟ୍ରିଟ୍ ଲାଇଟ୍ କେବେ ଜଳୁଛି କେବେ ଲିଭୁଛି ତାହା ଭଗବାନକୁ ହିଁ ଜଣା। ମଞ୍ଚେଶ୍ବର ଷ୍ଟେସନ୍ ବାହାରେ ମୋ ବସ୍ ଷ୍ଟପ୍ ଫଳକ ଲାଗି ନଥିବାରୁ ଯାତ୍ରୀମାନେ ମୋ ବସ୍ ସମ୍ପର୍କରେ ଜାଣିପାରୁ ନାହାନ୍ତି। ବିଭିନ୍ନ ସ୍ଥାନରେ ଥିବା ପାଣି ଟାଙ୍କି ମରାମତି ହୋଇ ନଥିବାରୁ ପାଣି ଲିକ୍ ହୋଇ ରାସ୍ତାରେ ଭାସୁଛି। ଭୋଇ ସାହି, ଶବର ସାହିରେ ଶୌଚାଳୟ ହୋଇ ନାହିଁ। ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ରଙ୍ଗମାଟିଆ ଓ ଗାଡ଼କଣରେ ଥିବା ୩ଟି ପୋଖରୀ ପୁନରୁଦ୍ଧାର ହୋଇପାରୁନି। ଗାଡ଼କଣରେ ମିନି ଷ୍ଟାଡିୟମ୍ କେବେ ହେବ ତାହାକୁ ଚାହିଁ ରହିଛନ୍ତି ୱାର୍ଡବାସୀ।