କର୍ପୋରେଟର୍‌ଙ୍କ ରିପୋର୍ଟ କାର୍ଡ: ଦୁଃଖ ଟଳିବ, ପୁନରୁଦ୍ଧାର ହେବ ୪ ନମ୍ବର ଡ୍ରେନ୍‌

ୱାର୍ଡ ନମ୍ବର-୨୯

ଭୁବନେଶ୍ୱର: ବିଏମ୍‌ସି ୨୯ ନମ୍ବର ୱାର୍ଡରେ ବିଜେଡିର ବିଜୟଧାରାକୁ ପ୍ରତିରୋଧ କରି ଗତବର୍ଷ ପୌର ନିର୍ବାଚନରେ ବିଜେପି ହାତେଇଥିଲା କର୍ପୋରେଟର ପଦ। ବିଜେଡି ନିଜ ଅଭିଜ୍ଞ ପ୍ରତିନିଧିଙ୍କୁ ବାଦ୍‌ ଦେଇ ନୂଆ ପ୍ରାର୍ଥୀ ଦେଇଥିବା ବେଳେ ବିଜେପିର ଅପରୂପ ରାଉତ ବିଜୟୀ ହୋଇଥିଲେ। ନିୟମିତ ଏହି ଆସନ ବି‌‌ଜେଡି ଦଖଲରେ ରହି ଆସୁଥିଲେ ମଧ୍ୟ ଦୀର୍ଘ ଦିନର ସମସ୍ୟା ୪ ନମ୍ବର ଡ୍ରେନ୍‌ ପ୍ରତି ନିଘା ନଥିଲା। ଅସରାଏ ବର୍ଷା ହେଲେ ଏହି ଡ୍ରେନ୍‌ ଉଛୁଳି ଲୋକଙ୍କ ଘରେ ପାଣି ପଶି ଯାଉଥିଲା। ପ୍ରତ୍ୟେକ ବର୍ଷାଋତୁ ପୂର୍ବରୁ ଯୋଜନା ହେଉଥିଲା। କିନ୍ତୁ ପୁନରୁଦ୍ଧାର ହୋଇପାରୁନଥିଲା। ବିଏମ୍‌ସିରେ ୩ ବର୍ଷ ଧରି ଅଫିସର ରାଜ୍‌ ଚାଲିଥିବା ବେଳେ ଅଫିସରଙ୍କ ନଜର ମଧ୍ୟ ପଡ଼ିନଥିଲା। ଏଣୁ ପ୍ରତ୍ୟେକ ବର୍ଷ ଏଠାରେ ନଳାପାଣି ଘରେ ପଶୁଥିଲା। ଆଗକୁ ବର୍ଷାଋତୁ ଆସୁଛି। ବର୍ଷାକୁ ଦେଖି ସ୍ଥାନୀୟ ବାସିନ୍ଦା ଛାନିଆଁ ହୋଇଛନ୍ତି। ତେବେ ବହୁଦିନ ପ‌ରେ ଏହି ସମସ୍ୟା ସମାଧାନ ହେବା ନେଇ ଆଶା ପ୍ରକାଶ ପାଇଛି। ଡ୍ରେନ୍‌ ପୁନରୁଦ୍ଧାର ପାଇଁ ଚଳିତ ବର୍ଷ ୧ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସାଇନ୍ସ ପାର୍କ ନିକଟରୁ ଶନି ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୨୫୦ ମିଟର ଲମ୍ବାର ଏହି ଡ୍ରେନ୍‌ କାମ ପାଇଁ ଟେଣ୍ଡର ହୋଇଛି ଏବଂ ନବୀକରଣ ଅବଧି ଦେଢ଼ମାସ ସମୟ ରଖାଯାଇଛି। ଅର୍ଥାତ୍‌ ଆସନ୍ତା ବର୍ଷାଋତୁ ପୂର୍ବରୁ ଏହି ଡ୍ରେନ୍‌ କାମ ସାରିବାକୁ ଯୋଜନା ହୋଇଛି।

ଅନ୍ୟପଟେ ବର୍ଷେ ଭିତରେ ତିନିଟି ପାର୍କର ନବୀକରଣ କରାଯାଇଛି। ଦୀର୍ଘ ଦିନ ଧରି ପଡ଼ି ରହିଥିବା ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ସାମ୍ନା ପାର୍କରେ ୧କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବିଡିଏ ଅଧୀନରେ ଥିବା ଦୁଇଟି ପାର୍କର ପୁନରୁଦ୍ଧାର କାର୍ଯ୍ୟ ହେଉନଥିବାରୁ ସେଗୁଡ଼ିକୁ ବିଏମ୍‌ସି ଅଧୀନକୁ ଅଣାଯାଇଛି ଏବଂ ଉନ୍ନତୀକରଣ କରାଯାଇଛି। ଅନୁରୂପ ଭାବରେ ସାଇନ୍ସ ପାର୍କ ସାମ୍ନାରୁ ଡିସିପି ଅଫିସ୍‌ ପର୍ଯ୍ୟନ୍ତ ରାସ୍ତା ଅବହେଳିତ ହୋଇ ପଡ଼ିରହିଥିଲା। ଖାଲଖମାରେ ଭର୍ତ୍ତି ହେବା ସହ ଅଣଓସାରିଆ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିଲା। ଏହି ରାସ୍ତାର ନବୀକରଣ ହୋଇଛି। ପିଚୁ ପାଇଁ ପାଖାପାଖି ୧୫ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ପେଭର ବ୍ଲକ ପାଇଁ ୧୨ ଲକ୍ଷ ଖର୍ଚ୍ଚ ହୋଇଛି। ସେହିଭଳି ଭୋଇନଗର ନାୟକ ସାହି ରାସ୍ତାକୁ ମଧ୍ୟ ପେଭର ବ୍ଲକ୍‌ କରାଯାଇଛି। ଏହି ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନରୁ ଅଭିଯୋଗ ରହିଥିଲା।

ମୌଳିକ ସମସ୍ୟା ସମାଧାନ ହେବ
ୱାର୍ଡର ଦାୟିତ୍ବ ‌ନେବା ପରଠାରୁ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ବ ଦେଇଛି। ଦୀର୍ଘ ଦିନ ଧରି ଲୋକମାନଙ୍କର ପ୍ରମୁଖ ସମସ୍ୟା ପାଲଟିଥିବା ୪ ନମ୍ବର ଡ୍ରେନ୍‌ର ପୁନରୁଦ୍ଧାର ହେବାକୁ ଯାଉଛି। ଆସନ୍ତା ବର୍ଷା ପୂର୍ବରୁ ଏହାର ନିର୍ମାଣ ସାରିବାକୁ ଉଦ୍ୟମ ଜାରି ରହିଛି। ଗୋଟିଏ ବର୍ଷ ମଧ୍ୟରେ ୩ କୋଟିରୁ ଊର୍ଦ୍ଧ୍ବ ଖର୍ଚ୍ଚ ସରିଲାଣି। ଆଗକୁ ୱାର୍ଡରେ ଯେଭଳି ଗୋଟିଏ ହେଲେ ସମସ୍ୟା ରହିବ ନାହିଁ ସେ ନେଇ ଉଦ୍ୟମ କରିବି। ତେବେ ଜନପଥରେ କେତେକ ବେଆଇନ ଭାବରେ କିଓସ୍କ ନେଇ ବ୍ୟବସାୟ କରୁଛନ୍ତି। ଅନେକ ଯୋଗ୍ୟ ବ୍ୟବସାୟୀ ଉଚ୍ଛେଦ ପରେ ଥଇଥାନ ପାଇଁ ଅପେକ୍ଷା କରିଛନ୍ତି। ଏଣୁ ଗରିବ ବ୍ୟବସାୟୀଙ୍କ ଥଇଥାନ ପାଇଁ ଆଗକୁ ଉଦ୍ୟମ ହେବ।

ସମ୍ବନ୍ଧିତ ଖବର