ଭୁବନେଶ୍ବର: ଶୁକ୍ରବାର ‘ସହରୀ ଶାସନ ବ୍ୟବସ୍ଥା’(ଅର୍ବାନ୍‌ ଗଭର୍ଣ୍ଣାନ୍‌ସ୍‌)’ ସମ୍ବନ୍ଧୀୟ ଏକ ଦିନିକିଆ କର୍ମଶାଳାରେ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ କର୍ପୋରେଟରମାନଙ୍କୁ ପ୍ରଶିକ୍ଷଣ ଦେବେ। ପ୍ରଶିକ୍ଷଣ ପାଇବା ପରେ ଏହି ଜନପ୍ରତିନିଧିମାନେ ନିଜ ନିଜ ୱାର୍ଡକୁ ‘ଆଦର୍ଶ ୱାର୍ଡ’ ରେ ପରିଣତ କରିବେ। ଏଥିପାଇଁ ସେମାନେ ୧୦ସୂତ୍ରୀ କାର୍ଯ୍ୟକ୍ରମକୁ ହାତକୁ ନେବେ। ପ୍ରତ୍ୟେକ ୱାର୍ଡ ଆଦର୍ଶ ୱାର୍ଡ ହୋଇ ଗଢ଼ି ଉଠିଲେ ଭୁବନେଶ୍ବର ଏକ ଆଦର୍ଶ ସହର ହେବ। ଏହି ଲକ୍ଷ୍ୟରେ ହୋଟେଲ୍‌ ସ୍ୟାଣ୍ଡିସ୍‌ ଟାୱାରରେ ଏଭଳି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୂର୍ବରୁ ରାଜ୍ୟର ନିର୍ବାଚିତ ମେୟର ଓ ଅନ୍ୟ ଜନପ୍ରତିନିଧିମାନଙ୍କୁ ରାଜ୍ୟ ସରକାର ପ୍ରଶିକ୍ଷଣ ପ୍ରଦାନ କରିସାରିଛନ୍ତି।

Advertisment

କାର୍ଯ୍ୟକ୍ରମ‌ରେ ବିଏମ୍‌ସି ମେୟର ସୁଲୋଚନା ଦାସଙ୍କ ସମେତ କମିସନର ବିଜୟ ଅମୃତା କୁଲାଙ୍ଗେ, ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ, ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା, ଅତିରିକ୍ତ ସଚିବ ସୁଶାନ୍ତ ମିଶ୍ର, ସ୍ବତନ୍ତ୍ର ସଚିବ ସଞ୍ଜୟ ପରମାଣିକ ଓ କଲ୍ୟାଣ ରଥ, ଅତିରିକ୍ତ କମିସନର ବିନୟ ଦାଶ ପ୍ରମୁଖ ଏକ ଆଦର୍ଶ ୱାର୍ଡ କିଭଳି ଗଠନ ହୁଏ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରିବେ। ଏଥିରେ ସହରୀ ପରିମଳ, ସିଟି ଫାଇନାନ୍ସ, ୫-ଟି, ମୋ ସରକାର, ଗୃହ ନିର୍ମାଣ ପ୍ରଭୃତି ପ୍ରସଙ୍ଗ ଉପରେ ଉପରୋକ୍ତ ବରିଷ୍ଠ ଅଧିକାରୀମାନେ କର୍ପୋରେଟରମାନଙ୍କୁ ବୁଝାଇବେ। ଜନାଗ୍ରହ ଟିମ୍‌ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ଜ୍ଞାନ ଦେବେ। କାର୍ଯ୍ୟକ୍ରମ ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ୫୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ।

ଏଠାରେ ସୂଚାଇ ଦିଆଯାଇପାରେ, ନିର୍ବାଚିତ ଜନପ୍ରତିନିଧିମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ପୁରୁଣା କର୍ପୋରେଟର ବା ଏକାଧିକ ବାର କର୍ପୋରେଟର ହୋଇ ସାରିଛନ୍ତି। କେହି ନିଜେ ଜିତିଥିବା ବେଳେ କେତେକଙ୍କର ପତ୍ନୀ ଜିତିଛନ୍ତି। ଅର୍ଥାତ୍‌ ପତ୍ନୀଙ୍କ ଜରିଆରେ ସ୍ବାମୀମାନେ ପରୋକ୍ଷରେ ସହରୀ ଶାସନ ବ୍ୟବସ୍ଥାରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଅଛନ୍ତି। ପୂର୍ବରୁ ଏମାନେ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ୱାର୍ଡ ଆଦର୍ଶ ହୋଇପାରିନାହିଁ। ପରିମଳ ଠାରୁ ଆରମ୍ଭ କରି ରାସ୍ତାଘାଟ, ଜଳ ନିଷ୍କାସନ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ମାଳମାଳ ସମସ୍ୟାରେ ବୁଡ଼ି ରହିଛି। ରାସ୍ତାଘାଟ କାମରେ ଚାଲିଥିବା ପିସି କାରବାର କଥା ଚିନ୍ତା କଲା ବେଳେ ୫-ଟି ଓ ମୋ ସରକାର କଥା ନ କହିବା ଭଲ।