ଭୁବନେଶ୍ବର: ସାଧାରଣ ଉଦ୍ୟୋଗ ବିଭାଗ ଦୁର୍ନୀତି ଓ ଅନିୟମିତତାରେ ବୁଡ଼ି ରହିଛି। ଏହାର କାର୍ଯ୍ୟାଳୟ ସ୍ବାସ୍ଥ୍ୟବୀମା କମ୍ପାନିଗୁଡ଼ିକ କାର୍ଯ୍ୟାଳୟ ପାଲଟି ଗଲାଣି। ଗତ ୭ବର୍ଷ ହେଲା ବିଭାଗର ପ୍ରମୁଖ ସଚିବ କୌଣସି କାମ ନ କରି ଆଡ଼ା ଜମାଇ ବସିଛନ୍ତି। ଦିନଟିଏ ମଧ୍ୟ କାର୍ଯ୍ୟାଳୟକୁ ଆସୁ ନାହାନ୍ତି। ତେଣୁ ସାଧାରଣ ଉଦ୍ୟୋଗ ବିଭାଗରେ ଚାଲିଥିବା ଅନିୟମିତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି କଂଗ୍ରେସ।
ଆଜି କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅମିୟ ପାଣ୍ଡବ କହିଛନ୍ତି ଯେ ୨୦୧୮ ମସିହାରେ ଅର୍ଥ ବିଭାଗର ନିର୍ଦେଶମାନାରେ କୌଣସି ବିଭାଗ ସ୍ବତନ୍ତ୍ର ପରାମର୍ଶ ଦାତା ନିଯୁକ୍ତି କଲେ ତାଙ୍କୁ ସର୍ବାଧିକ ୪୨ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯାଇ ପାରିବ। ମାତ୍ର ସାଧାରଣ ଉଦ୍ୟୋଗ ବିଭାଗରେ ନିଯୁକ୍ତ ପରାମର୍ଶଦାତାମାନେ ୭୦ହଜାରରୁ ଅଧିକ ଦରମା ନେଉଛନ୍ତି। ବିଭାଗର ସହାୟତା ପାଇଁ ଗଠିତ ଓଏସଆରଏଫ୍ଏସ୍ ସୋସାଇଟି ପାଇଁ ସରକାର ଦେଇଥିବା ୫୦ କୋଟି ଟଙ୍କାର କର୍ପସ ପାଣ୍ଠିରୁ ବେଆଇନ ଭାବେ ଖର୍ଚ କରାଯାଉଛି। ପ୍ରମୁଖ ସଚିବ କାର୍ଯ୍ୟାଳୟକୁ ଆସୁ ନ ଥିବା ବେଳେ ମାସକ ୩୦ହଜାର ଟଙ୍କାରେ ଜଣେ ଡ୍ରାଇଭର ଓ ଦିନକୁ ୮୦ କି.ମି ଯାତ୍ରା କରୁଥିବା ଦର୍ଶାଇ ଇନ୍ଧନ ବାବଦ ଅର୍ଥ ବିଲ୍ କରୁଛନ୍ତି।
ସୋସାଇଟିର ବାଇ ଲ’ ଅନୁଯାୟୀ ପ୍ରତି ୬ମାସରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା କଥା। ମାତ୍ର ଆଦୌ ହେଉ ନାହିଁ। ପ୍ରମୁଖ ସଚିବ କିମ୍ବା ନିର୍ବାହୀ ନିର୍ଦେଶକ କୌଣସି ଟୁର କିମ୍ବା କ୍ଷେତ୍ର ପରିଦର୍ଶନରେ ଯାଉ ନାହାନ୍ତି। ୨୦୧୯/୨୦ରେ ଏହା ଅଧୀନରେ ଥିବା ୯ଟି ନିଗମରେ ୧୭୩୩ କୋଟି ଟଙ୍କା କ୍ଷତି ହୋଇଛି। ସୋସାଇଟି ଅର୍ଥରେ କିଣାଯାଇଥିବା ୯୦ ହଜାର ଟଙ୍କା ମୂଲ୍ୟର ଜେନେରେଟର ସେଟ୍ କେଉଁ ବାବୁଙ୍କ ବାସଭବନରେ ଲାଗିଛି ବୋଲି ଶ୍ରୀ ପାଣ୍ଡବ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖାପାତ୍ର ପଦ୍ମାକର ଗୁରୁ ଓ ପ୍ରଶାନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।