ଦୁର୍ନୀତିରେ ବୁଡ଼ିଛି ବିଏମ୍‌ସି, ବିରୋଧୀ ଚୁପ୍‌

ଭୁବନେଶ୍ବର: ଦୁର୍ନୀତି ଓ ଅନିୟମିତତାରେ ବୁଡ଼ିଛି ବିଏମ୍‌ସି। ନିୟମିତ ମାଳ ମାଳ ଅଭିଯୋଗ ଅଧିକାରୀମାନଙ୍କୁ ବିବାଦକୁ ଟାଣିଛି। କେବଳ ଅଭିଯୋଗ ନୁହେଁ, ବରଂ ଅନେକ ଅଭିଯୋଗର ପ୍ରମାଣ ମଧ୍ୟ ହୋଇଛି। ହେଲେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମଧ୍ୟ ଚୁପ୍‌ ବସିଛି। ଗୋଟିଏ ହେଲେ ଅଭିଯୋଗର ରିପୋର୍ଟ ମାଗି ନାହିଁ। ଏପଟେ ବିରୋଧୀ ମଧ୍ୟ ରହସ୍ୟଜନକ ଭାବେ ନିରବ ରହିଛନ୍ତି। ପୂର୍ବ କର୍ପୋରେସନ ଅପେକ୍ଷା ଏଥର ଅଧିକ କର୍ପୋରେଟର ସ୍ବାଧୀନ କିମ୍ବା ବିରୋଧୀ ଦଳରୁ ରହିଥିଲେ ମଧ୍ୟ ଜଣେ ହେଲେ ପାଟି ଖୋଲୁ ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କର୍ପୋରେସନ୍‌ର ମାସିକ ବୈଠକରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭାଗ‌ ନେଉନାହାନ୍ତି। ସାଂସଦ ଏଥିରେ ଭାଗ ନେଇ ଭୁବନେଶ୍ବର ବିକାଶରେ ସାମିଲ ହେବା ପାଇଁ ବ୍ୟବସ୍ଥା ରହିଛି। ବିଏମ୍‌ସିର କମିସନର ଥିବା ବେଳେ ସେ ଏହି ବ୍ୟବସ୍ଥା ସହ ଓତପ୍ରୋତ ଭାବରେ ଜଡ଼ିତ ଥିବାରୁ ଭୁବନେଶ୍ବରବାସୀ ତାଙ୍କ ଠାରୁ ଅନେକ କିଛି ଆଶା ରଖିଛନ୍ତି। କିନ୍ତୁ ସାଂସଦ କାହିଁକି ନିଜକୁ ଏହି ବୈଠକରୁ ଦୂରେଇ ରଖୁଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଭୁବନେଶ୍ବର ସାଂସଦଙ୍କ ରହସ୍ୟଜନକ ନିରବତା
ନଗର ଉନ୍ନୟନ ବିଭାଗ ଦେଖି ନଦେଖିଲା ପରି

ବିଏମ୍‌ସି ସଫେଇ ଘରୋଇକରଣରେ ହୋଇଥିବା ଟେଣ୍ଡର ଦୁର୍ନୀତି ହେଉ ବା ମୁକ୍ତା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବରବାଦ ହେଉ, ଜାଗା ମିସନ୍‌ ହୋର୍ଡିଂ ହେଉ ବା ବିଏମ୍‌ସି ଇଞ୍ଜିନିୟରିଂ ସେକ୍ସନରେ ୫୪ କୋଟିର ଭାଉଚର ନ ମିଳିବା ଘଟଣା ହେଉ, ବିଏମ୍‌ସିରେ ଏଭଳି ଦୁର୍ନୀତି ଅଭିଯୋଗ ନିୟମିତ ହେଉଛି। ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର କାମ ନିର୍ଦ୍ଦିଷ୍ଟ ଠିକାଦାର ହାତରେ ଟେକି ଦେବା ନେଇ ଅଧିକାରୀଙ୍କ ଉପରକୁ ଆଙ୍ଗୁଠି ଉଠୁଛି। ସରକାରଙ୍କ ବିନା ସ୍ବୀକୃତିରେ ନିଯୁକ୍ତି ଦେଇ ଅଧିକାରୀମାନେ ଆର୍ଥିକ ଲାଭବାନ୍‌ ହେବା ଅଭିଯୋଗ ମଧ୍ୟ ବିଏମ୍‌ସିକୁ ବଦନାମ କରିଛି। ପ୍ରଥମେ ନିଜ ମନଇଚ୍ଛା କାମ କରିବା ପରେ କର୍ପୋରେସନ ବୈଠକରେ ସର୍ବସମ୍ମତିକ୍ରମେ ଗୃହୀତ ହେଲା ବୋଲି ଲେଖି ଦିଆଯାଉଛି। ବିରୋଧୀ ନିରବ ରହୁଛନ୍ତି।

ମାସିକ ବୈଠକରେ ସାଂସଦଙ୍କ ସମେତ ସମସ୍ତ ବିଧାୟକଙ୍କୁ ଯୋଗ ଦେବା ପାଇଁ ବ୍ୟବସ୍ଥା ରହିଛି। କାରଣ ସହରର ଉନ୍ନତି ସମସ୍ତ ପଦକ୍ଷେପ ହିଁ ଏହି ବୈଠକରେ ନିଆଯାଉଥିବା ନିଷ୍ପତ୍ତି ଉପରେ ନିର୍ଭର କରେ। ଭୁବନେଶ୍ବରରେ ଥିବା ତିନି ବିଧାୟକ ଶାସକ ଦଳର ଅଛନ୍ତି। ସେମାନେ ଗୋଟିଏ ଗୋଟିଏ ବୈଠକରେ କେବଳ ଉପସ୍ଥାନ ପକାଇଥିବା ବେଳେ ଅନ୍ୟ ସବୁ ବୈଠକରେ ସେମାନଙ୍କର ପ୍ରତିନିଧି ଯୋଗ ଦେଉଛନ୍ତି। ଯେହେତୁ ଶାସକ ଦଳ ସେଥିପାଇଁ ସେମାନେ ପ୍ରତିବାଦ କରନ୍ତି ନାହିଁ କିମ୍ବା ପରାମର୍ଶ ମଧ୍ୟ ଦିଅନ୍ତି ନାହିଁ। ଏଣୁ ପ୍ରତ୍ୟେକ ଅନିୟମିତତା, ଦୁର୍ନୀତି, ଅନାବଶ୍ୟକ ଯୋଜନାରେ ଅର୍ଥ ବରବାଦ, ଗୋଟିଏ କାମକୁ ବାରମ୍ବାର କରି ଠିକାଦାର ପୋଷିବା, ଜରୁରୀ କାଗଜପତ୍ର ଗାୟବ କରିଦେବା ପ୍ରଭୃତି ଘଟଣାରେ ବିରୋଧୀଙ୍କର ଭୁମିକା ଗୁରୁତ୍ବପୂର୍ଣ୍ଣ ଥାଏ।

ଏହି ପରିପ୍ରେକ୍ଷୀରେ ବିଜେପିରୁ ପ୍ରତିନିଧିତ୍ବ କରୁଥିବା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଭୂମିକା ଉପରେ ସହରବାସୀଙ୍କ ନଜର ରହିଛି। ପୂର୍ବରୁ ଶ୍ରୀମତୀ ଷଡ଼ଙ୍ଗୀ ବିଏମ୍‌ସିର କମିସନର୍‌ ଥିଲେ। ତେଣୁ ବିଏମ୍‌ସିର ସବୁ ବ୍ୟବସ୍ଥା ସହ ସେ ଭଲ ଭାବେ ଜଡ଼ିତ। କେଉଁଠି କି ପ୍ରକାରର ଘୋଟାଲା ହେବା ଆଶଙ୍କା ରହିଛି ବା ହୁଏ ସେ ସମ୍ପର୍କରେ ଶ୍ରୀମତୀ ଷଡ଼ଙ୍ଗୀ ଭଲ ଭାବେ ଜାଣିଥିବେ। ଆହୁରି ମଧ୍ୟ ସାଂସଦ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରି ଅଡ଼ୁଆରେ ପକାଇଥିବାର ନଜିର ରହିଛି। କିନ୍ତୁ ବିଏମ୍‌ସି କ୍ଷେତ୍ରରେ ତାଙ୍କର କୋହଳ ମନୋଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସାଂସଦ କେବଳ ସାମ୍ବାଦିକ ସମ୍ମିଳନୀ କରି ଏନ୍‌ଏଚ୍‌ଏଆଇ କରିଥିବା ବିଭିନ୍ନ ପ୍ରକଳ୍ପକୁ ଦେଖାଇ ବାହାଦୁରୀ ନେଉଛନ୍ତି। କିନ୍ତୁ ବିଏମ୍‌ସିରେ ଆଖିବୁଜା ଦୁର୍ନୀତି, ଅବ୍ୟବସ୍ଥା ସମ୍ପର୍କରେ ଆଖି ବୁଜି ଦେଉଛନ୍ତି। ନା ସେ ନିଜେ ପାଟି ଫିଟାଉଛନ୍ତି ନା ତାଙ୍କ ଦଳର କର୍ପୋରେଟର୍‌ମାନେ ପ୍ରତିବାର ସ୍ବର ଉଠାଉଛନ୍ତି।

ଏପଟେ ଗୃହ ଓ ନଗର ଉନ୍ନୟନ ବିଭାଗ କଥା ନ କହିବା ଭଲ। ଅଧିକାରୀମାନଙ୍କ ସହ ବିଭାଗର ଭିତିରି ବୁଝାମଣା ଅନେକ ଥର ପଦାରେ ପଡ଼ିଛି। ପରିମଳ ଟେଣ୍ଡର ହେଉ ବା ଠିକା ସଂସ୍ଥା ଜରିଆରେ ନିଯୁନ୍ତି ହେଉ, ପ୍ରତ୍ୟେକ କ୍ଷେତ୍ର‌ରେ ବିଭାଗୀୟ ଅଧିକାରୀମାନଙ୍କର ସିଧାସଳଖ ହାତ ରହିଛି। ଏଣୁ ବିଏମ୍‌ସିରେ ଦୁର୍ନୀତି ବଢ଼ି ବଢ଼ି ଚାଲିଛି। ଅଡିଟ୍‌କୁ ମାନୁ ନାହାନ୍ତି। କେତେକ କୋର୍ଟ ଆଦେଶ ମଧ୍ୟ ନାଲି ଫିତା ତଳେ ପଡ଼ିଛି। ଗୋଟିଏ ଘଟଣାରେ ଏବେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର