ସିରିଞ୍ଜ ଆଣ, ନ ‌ହେଲେ ଅସ୍ତ୍ରୋପଚାର ବନ୍ଦ!, କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଅସ୍ତ୍ରୋପଚାର କରିବାକୁ ହେଲେ ରୋଗୀଙ୍କୁ ବାହାରୁ ସିରିଞ୍ଜ କିଣିବାକୁ ପଡ଼ୁଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ପୂର୍ବରୁ ରୋଗୀଙ୍କୁ ଘରୋଇ ‌ଔଷଧ ଦୋକାନରୁ ଔଷଧ କିଣିବାକୁ କୁହାଯାଉଥିବା ଅଭିଯୋଗ ହେଉଥିଲା। କିନ୍ତୁ ସିରିଞ୍ଜ କିଣିବାକୁ କୁହାଯିବା ସରକାରଙ୍କ ମାଗଣା ସ୍ବାସ୍ଥ୍ୟ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ‘ନିରାମୟ’ ଯୋଜନାରେ ପ୍ରତିବର୍ଷ ଔଷଧ ଓ ଔଷଧୀୟ ସାମଗ୍ରୀର ତାଲିକା ବଢ଼ି ଚାଲିଥିବା ବେଳେ ରାଜଧାନୀର ପ୍ରମୁଖ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ସିରିଞ୍ଜ ନ ମିଳିବା ଏହି ଯୋଜନା ବାସ୍ତବତାକୁ ପଦାରେ ପକାଇ ଦେଇଛି। ସୂଚନା ଅନୁଯାୟୀ, କିଛିଦିନ ତଳେ ଏସ୍‌.ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ହସ୍ପିଟାଲର ହୃଦ୍‌ରୋଗ ବିଭାଗରେ ଆଞ୍ଜିଓଗ୍ରାମ ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ପୂର୍ବରୁ ତାଙ୍କୁ ୫ଟି ଜିନିଷ କିଣିବା ପାଇଁ କୁହାଯାଇଥିଲା। ଏଥିରେ ୧୦ ମିଲିର ୪ଟି ସିରିଞ୍ଜ, ୧୦୦ ମିଲି ଇଞ୍ଜେକସନ୍, ଡିସ୍‌ପୋଜାଲ କପଡ଼ା ଓ ଡାଏପ୍ଲାଷ୍ଟ ରହିଥିଲା। ହସ୍ପିଟାଲ୍‌ରେ ଏହା ଉପଲବ୍ଧ ହେଉ ନଥିବାରୁ ତାଙ୍କୁ ବାହାରୁ ଏହାକୁ ଆଣିବା ପାଇଁ ହୃଦ୍‌ରୋଗ ବିଭାଗ ପକ୍ଷରୁ କୁହାଯାଇଥିଲା। ବାଧ୍ୟ‌ ହୋଇ ତାଙ୍କ ପରିବାର ବାହାର ଔଷଧ ଦୋକାନରୁ ୩ହଜାର ୨ଶହ ଟଙ୍କା ଦେଇ ଏହାକୁ କିଣିଥିଲେ। ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଏହିଭଳି ଅନେକ ଘଟଣା ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ଦେଖିବାକୁ ମିଳୁଛି। ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଗରିବ ରୋଗୀ ଏହିଭଳି ଭାବେ ଶୋଷଣର ଶିକାର ହେଉଛନ୍ତି। କିଛିଦିନ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିବା ବେଳେ ତାଙ୍କ ପାଇଁ ବାହାରୁ ଇଞ୍ଜେକସନ୍ ଓ ଔଷଧ ଆଣିବା ପାଇଁ କୁହାଯାଇଥିଲା। ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌କୁ ନେଇଥିବା ବ୍ୟକ୍ତି ଏହାର ବିରୋଧ କରିବାରୁ ସଂପୃକ୍ତ ଡାକ୍ତର ତାଙ୍କୁ ଧମକାଇଥିଲେ। ଏହାର ପ୍ରତିବାଦରେ ଜୟ ଜଗନ୍ନାଥ ଆକ୍ସିଡେଣ୍ଟାଲ ହେଲ୍‌ପ ୟୁନିଟ୍ ପକ୍ଷରୁ ହସ୍ପିଟାଲର ନିର୍ଦେଶକଙ୍କୁ ୬ଦଫା ଦାବି ଉପରେ ସ୍ମାରକପତ୍ର ଦିଆଯାଇଥିଲା। ନିର୍ଦେଶକ ଘଟଣାର ଯାଞ୍ଚ କରିବା ସହିତ ଆଗାମୀ ଦିନରେ କିଭଳି ଏହି ଘଟଣା ନ ଘଟିବ ସେଥିପାଇଁ ସଂପୃକ୍ତ ସଂସ୍ଥାର ପ୍ରତିନିଧିଙ୍କୁ ଆଶ୍ବାସନା ଦେଇଥିଲେ। ଏହାସତ୍ବେ ମଧ୍ୟ ପ୍ରତିଦିନ ଏଭଳି ଘଟଣା ବଢ଼ିବାରେ ଲାଗିଛି। ‘ନିରାମୟ’ ଯୋଜନାରେ ରାଜ୍ୟର ଗରିବ ରୋଗୀମାନଙ୍କୁ ମାଗଣାରେ ଔଷଧ ଓ ଔଷଧୀୟ ସାମଗ୍ରୀ ଯୋଗାଇ ଦିଆଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି। ଗତବର୍ଷ ୫୯୩ ପ୍ରକାରର ଔଷଧକୁ ରାଜ୍ୟ ଔଷଧ ନିଗମ ଚିହ୍ନଟ କରିଥିବା ବେଳେ ୨୦୧୮/୧୯ରେ ୬୪୦ ପ୍ରକାରର ଔଷଧ ଓ ସାମଗ୍ରୀକୁ ଚିହ୍ନଟ କରାଯାଇଛି। ତେବେ ଅଧିକାଂଶ ସମୟରେ କ୍ୟାପିଟାଲ ହସ୍ପିଟାଲର ବହିର୍ବିଭାଗରେ ରୋଗୀଙ୍କୁ ଡାକ୍ତର ଲେଖୁଥିବା ଔଷଧ ମିଳୁନାହିଁ। ବାଧ୍ୟହୋଇ ରୋଗୀମାନେ ବାହାର ଔଷଧ ଦୋକାନରୁ ଔଷଧ କିଣୁଛନ୍ତି। କ୍ୟାପିଟାଲ ହସ୍ପିଟାଲ୍‌ର ନିର୍ଦେଶକ ଡା. ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ହସ୍ପିଟାଲରେ ସିରିଞ୍ଜ ଉପଲବ୍ଧ ହେଉଛି। ତେବେ କେଉଁ ପରିସ୍ଥିତିରେ ଡାକ୍ତର ରୋଗୀଙ୍କୁ ସିରିଞ୍ଜ କିଣିବା ପାଇଁ କହିଛନ୍ତି ତାହା ବୁଝାପଡ଼ୁ ନାହିଁ। ଅନେକ ସମୟରେ ରାଜ୍ୟ ଔଷଧ ନିଗମ ପକ୍ଷରୁ ଯେଉଁ ଔଷଧ ଉପଲବ୍ଧ ହେଉନାହିଁ, ତାହାକୁ ହସ୍ପିଟାଲ କର୍ତୃପକ୍ଷ କିଣୁଛନ୍ତି ବୋଲି ଡା.ଦାସ କହିଛନ୍ତି।

ସମ୍ବନ୍ଧିତ ଖବର