‘ମୋ ସାଇକେଲ୍‌’ ଦୁର୍ନୀତି ବିରୋଧରେ ବିଜେପିର ବିକ୍ଷୋଭ, ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କର

କୋକେଇରେ ବୁଲିଲା ମୋ ସାଇକେଲ୍‌, ୭ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନନେଲେ କୋର୍ଟଙ୍କ ଦ୍ବାରସ୍ଥ ହେବ ବିଜେପି ଲିଗାଲ୍‌ ସେଲ୍‌

ଭୁବନେଶ୍ବର: କବାଡ଼ିଆକୁ କେଜି ୪୦ ଟଙ୍କାରେ ମୋ ସାଇକେଲ୍‌ ବିକ୍ରି ହେବା ପ୍ରସଙ୍ଗରେ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ କେବଳ ଥାନାରେ ଏଫ୍‌ଆଇଆର୍‌ ଦେଇ ବସିଥିବା ବେଳେ ପୁଲିସ ବି ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିନି। ମୋ ସାଇକେଲ୍‌ କିଣା, ପରିଚାଳନା ଓ ବିକ୍ରି ପଛରେ ଥିବା ମହାଦୁର୍ନୀତିକୁ ଚପାଇ ଦେବାକୁ ଉଦ୍ୟମ ଚାଲିଥିବା ବେଳେ ଏହା ବିରୁଦ୍ଧରେ ଆଜି ଭୁବନେଶ୍ବର ଜିଲ୍ଲା ବିଜେପି ରାସ୍ତାକୁ ଓହ୍ଲାଇଛି। ଜିଲ୍ଲା ବିଜେପି ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ବହୁ ବିଜେପି କର୍ମୀ ଶିଶୁଭବନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୋ ସାଇକେଲ୍‌କୁ କୋକେଇରେ ବୋହି ଏକ ଶୋଭାଯାତ୍ରାରେ ରାଜମହଲ ଛକ ପର୍ଯ୍ୟନ୍ତ ଆସିଥିଲେ।

ଶ୍ରୀ ସିଂହ ଅଭିଯୋଗ କରିଛନ୍ତି ଯେ କିଛି ସରକାରୀ ଅଧିକାରୀଙ୍କ ପ୍ରୋତ୍ସାହନରେ ୨୫ ହଜାର ଟଙ୍କାର ମୋ ସାଇକେଲ୍‌କୁ କେଜି ୪୦ ଟଙ୍କାରେ କବାଡ଼ିଆକୁ ବିକ୍ରି କରାଯାଇଛି। ମୋ ସାଇକେଲ୍‌ ମହାଦୁର୍ନୀତି ପଛରେ କିଛି ବଡ଼ବଡ଼ିଆ ସରକାରୀ ଅଫିସରଙ୍କ ସଂପୃକ୍ତି ଅଛି। ଏହି ମହାଦୁର୍ନୀତିରେ ସାମିଲ୍‌ ଥିବା ସରକାରୀ ଅଧିକାରୀଙ୍କ ବି‌‌ରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ। କେବଳ ଏତିକି ନୁହେଁ, ସ୍ମାର୍ଟ ସିଟି ଯୋଜନାରେ ଶହଶହ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ବିଏମ୍‌ସି ଓ ବିଏସ୍‌ସିଏଲ୍‌ ହରିଲୁଟ୍ କରିଛନ୍ତି। ସାଇକେଲ୍‌ କିଣିବାକୁ ୫ କୋଟି ଖର୍ଚ୍ଚ କଲେ, ମରାମତି ପାଇଁ ବର୍ଷକୁ ୧କୋଟି ଟଙ୍କା ହିସାବରେ ଖର୍ଚ୍ଚ କଲେ, କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାକଡ଼ରେ ୩୭କିମିର ସାଇକେଲ୍‌ ଟ୍ରାକ୍ ତିଆରି ହେଲା। ହେଲେ ଆଜି ରାସ୍ତାରେ ସାଇକେଲ୍‌ ନାହିଁ କି ଟ୍ରାକ୍ ନାହିଁ। ସାଇକେଲ୍‌ରେ ଜିପିଏସ୍‌ ଲାଗିଥିବା ସତ୍ତ୍ବେ କିପରି ସାଇକେଲ୍ ଚୋରି ହେଲା, ଆଉ କର୍ତ୍ତୃପକ୍ଷ ଜାଣିପାରିଲେଣି, ସେନେଇ ପ୍ରଶ୍ନ ଉଠିଲାଣି।
ବିଜେପି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଛି। ସ୍ମାର୍ଟସିଟିର ସ୍ବପ୍ନ ଦେଖାଇ ଭୁବନେଶ୍ବରବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତାରଣା କରିଛନ୍ତି। ମୋ ସାଇକେଲ୍‌ ଦୁର୍ନୀତିରେ ସାମିଲ୍ ଥିବା ଅପରାଧୀଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଜିଲ୍ଲା ବିଜେପି ଲ‌ଢ଼େଇ ଜାରି ରଖିବ ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀ ମହାନ୍ତି କହିଛନ୍ତି।

ସେହିପରି ବିଜେପି ଲିଗାଲ୍‌ ସେଲ୍‌ର ସଂଯୋଜକ ଜୟନ୍ତ ଜେନା କହିଛନ୍ତି ଯେ ମୋ ସାଇକେଲ୍‌କୁ ୨୫ ହଜାର ଟଙ୍କାରେ କିଣିକି ଶାଗ ମାଛ ଦରରେ କବାଡ଼ିଆକୁ ବିକ୍ରି କରାଯାଇଛି। ଏହି ଦୁର୍ନୀତିରେ ଜଡ଼ିତ ଥିବା ଦୋଷୀଙ୍କ ବିରୋଧରେ ଆସନ୍ତା ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ବିଜେପି ଲିଗାଲ୍‌ ସେଲ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବ। ଏହାସହ କୋର୍ଟରେ ବି‌ଏମ୍‌ସି ଓ ବିଏସ୍‌ସିଏଲ୍‌ ବିରୋଧାରେ ଜନସ୍ବାର୍ଥ ମାମଲା ଦାୟର ହେବ।

ଆଜିର ବିକ୍ଷୋଭରେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ହିମାଂଶୁ ଶେଖର ଛୋଟରାୟ, ଅଭିଷେକ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ମନୋଜ କୁମାର ପଶ୍ଚିମକବାଟ, ରଶ୍ମିରଂଜନ ମୁଦୁଲି, ଜଗନ୍ନାଥ ବେହେରା, ରାମଚନ୍ଦ୍ର ରଣସିଂହ, ସୁରେନ୍ଦ୍ର ପ୍ରଧାନ, ଅମରଜ୍ୟୋତି ଜଗଦେବ, ଅରୁଣ ପୁରୋହିତ, ଅଞ୍ଜନ ନାଥ, ଯତୀନ୍ଦ୍ର ମହାନ୍ତି, ବିଜୟ କୁମାର ରାଉତ, ସୁନିଲ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର