ଉଚ୍ଚଶିକ୍ଷା ବିଭାଗକୁ ବାଜିଲା ଉତ୍କଳ ବିଶ୍ବବିଦ୍ୟାଳୟ ଦୁର୍ନୀତିର ଗନ୍ଧ, ରୁସା ପାଣ୍ଠିର ହେବ ସମୀକ୍ଷା

ଗଠିତ ହେଲା ୫ ଜଣିଆ କମିଟି, ଖୋଲିବ କି ଦୁର୍ନୀତିର ଗୁମର?

ଭୁବନେଶ୍ୱର: ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା)ରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ବାରିଛି ଉଚ୍ଚଶିକ୍ଷା ବିଭାଗ। ବିଳମ୍ବରେ ହେଲେ ମଧ୍ୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରୁସା-୧ ଓ ରୁସା-୨ରେ ଆସିଥିବା ଅର୍ଥରେ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଲାଗି ହୋଇଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା ହେବ। ଏଥିପାଇଁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର୍‌ ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଏକ କମିଟି ଗଠନ କରାଯାଇଛି। ଯେଉଁଥିରେ ଓଡ଼ିଶା ଉଚ୍ଚଶିକ୍ଷା ଉତ୍କର୍ଷତା କାର୍ଯ୍ୟକ୍ରମର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ସଦସ୍ୟ ପ୍ରଫେସର୍‌ କିଶୋର କୁମାର ବାସା କମିଟିର ସଦସ୍ୟ ରହିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ରୁସା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଏହି କମିଟିର ସଦସ୍ୟ ତଥା ଆବାହକ ଭାବେ ନିଯୁକ୍ତ ହୋଇଛନ୍ତି।

ନାକ୍‌ ‘ଏ+’ ଗ୍ରେଡ୍‌ ପାଇଥିବାରୁ ୪ ବର୍ଷ ହେଲା ରୁସାରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ପ୍ରଚୁର ଅର୍ଥ ଆସିଛି। ହେଲେ ସେଗୁଡ଼ିକର ସଠିକ ବିନିଯୋଗ ହୋଇ ନଥିବା ନେଇ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇଥିଲା। ଏମିତିକି କୁଳପତି ପ୍ରଫେସର୍‌ ପଟ୍ଟନାୟକଙ୍କ ସମୟରେ କ୍ୟାମ୍ପସ୍‌ ହୋଇଥିବା ଗୋଟିଏ ପରେ ଗୋଟିଏ କାମ କିଭଳି ଅଧା ହୋଇ ପଡ଼ି ରହିଛି, ସେନେଇ ଲୋକଲୋଚନକୁ ଅଣାଯାଇଥିଲା। ଏମିତିକି ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ତଥା ସମୀକ୍ଷା କମିଟିର ଅଧ୍ୟକ୍ଷ ଥିବା ପ୍ରଫେସର୍‌ ଦାସଙ୍କ କାର୍ଯ୍ୟକାଳ ମଧ୍ୟରେ ନିର୍ମାଣ ହୋଇଥିବା ଅଧିକାଂଶ କୋଠା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନପାରି ଭୂତକୋଠି ପାଲଟିଥିବା ଖବର ବି ପ୍ରକାଶ କରାଯାଇଥିଲା। ପରିଣାମ ସ୍ବରୂପ ରୁସାରେ ଉତ୍କଳକୁ ମିଳିଥିବା ଅର୍ଥ ବିନିଯୋଗ ସମ୍ପର୍କରେ ସମୀକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗ ଏବେ ଅଣ୍ଟା ଭିଡ଼ିଛି। ବଡ଼ କଥା ହେଉଛି ଯେ ସମୀକ୍ଷା ବେଳେ ଅତିଥି ଅଧ୍ୟାପକ ଓ ଭିଜିଟିଂ ଫାକଲଟି ନିଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ପିଲାଙ୍କୁ ପାଠ ପଢ଼ାଇବା ପାଇଁ କେଉଁ ପ୍ରଫେସର୍‌ଙ୍କୁ କେତେଥର ଡକାଯାଇଛି? ପିଲାମାନେ କ’ଣ ଶିଖିଛନ୍ତି? ନା ବାହାର ରାଜ୍ୟର ପ୍ରଫେସର୍‌ଙ୍କୁ ଡାକି ଖାଲି ଟଙ୍କା ବଣ୍ଟା ଯାଇଛି, ତାହାର ସମୀକ୍ଷା କରାଯିବ। କାରଣ ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ନିଜ ସମ୍ପର୍କୀୟଙ୍କୁ ବାରମ୍ବାର ଲେକଚର ପାଇଁ ଡାକି ମୋଟା ଅଙ୍କର ଟଙ୍କା ହଡ଼ପ କରି ନେଉଥିବା ଅଭିଯୋଗ ହୋଇଥିଲା।

ଏହାବ୍ୟତୀତ ଗବେଷଣା ସମ୍ପର୍କିତ କାର୍ଯ୍ୟକଳାପର ବି ସମୀକ୍ଷା କରାଯିବ। ବିଶେଷକରି ୮ଟା ବିଭାଗରେ ଖୋଲିଥିବା ସେଣ୍ଟର୍‌ ଅଫ ଏକ୍ସଲେନ୍ସରେ କେତେ ଗବେଷଣା ହୋଇଛି, ତାହାର ଅନୁଧ୍ୟାନ କରିବ କମିଟି। ପୋଷ୍ଟ ଡକ୍ଟ୍ରୋରାଲ ଫେଲୋ(ପିଡିଏଫ), ପିଏଚଡି ଫେଲୋ, ଅନ୍ତର୍ଜାତୀୟସ୍ତରର ସମ୍ମିଳନୀ, ଗବେଷଣା ସନ୍ଧର୍ଭ ପ୍ରକାଶନ, ସେଣ୍ଟ୍ରାଲ ଇନ‌ଷ୍ଟ୍ରୁମେଣ୍ଟେସନ୍‌ ସେଣ୍ଟର୍‌ କିଭଳି କାର୍ଯ୍ୟକାରୀ ହୋଇଛି, ତାହାର ଅନୁଧ୍ୟାନ କରାଯିବ। ସେହିପରି ଅନ୍ତର୍ଜାତୀୟସ୍ତରରେ ବିଶ୍ୱବିଦ୍ୟାଳୟକୁ ପହଞ୍ଚାଇବା ପାଇଁ କି କି ପଦକ୍ଷେପ ନିଆଯାଇଛି, ସେନେଇ ବି ସମୀକ୍ଷା ହେବ। ଲାଇବ୍ରେରୀ, କମ୍ପୁଟର୍ ସେଣ୍ଟର୍‌, ବିଭିନ୍ନ ଗବେଷଣାଗାରର ବିକାଶ ଆଦି ବିଷୟରେ କମିଟି ଯାଞ୍ଚ କରିବ। ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କ ନିର୍ଦ୍ଦେଶରେ ଏହି କମିଟି ଗଢ଼ା ଯାଇଛି। ଏହାକୁ ଆଧାର କରି ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି। ଯେତେଶୀଘ୍ର ସମ୍ଭବ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କମିଟିକୁ କୁହାଯାଇଛି। କମିଟି ରିପୋର୍ଟ ଆସିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର