ମୁକ୍ତା ଯୋଜନାରେ ବ୍ୟୟ ଅଟକଳ, ୨୬୫ ପ୍ରକଳ୍ପରେ ୪୬. ୭୮ କୋଟି

ଭୁବନେଶ୍ବର: ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ବର୍ଗଙ୍କ ଜୀବିକା ସୁରକ୍ଷିତ କରିବା ପାଇଁ ଚାଲିଥିବା‌ ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ’ (ମୁକ୍ତା)ରେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଘୋଷଣା କରିଛନ୍ତି ସରକାର। ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗତକାଲି ରାଜ୍ୟ ସରକାର ଘୋଷଣା କରିବା ପରେ ଆଜି ବିଏମ୍‌ସି ମେୟର ବିଜୟ ଅମୃତା କୁଲାଙ୍ଗେ ଏହି ଅଭିଯାନର ସମୀକ୍ଷା କରିଛନ୍ତି। ଏହି ଅଭିଯାନରେ ଯେଭଳି ଦୁର୍ନୀତି କିମ୍ବା ଲାଞ୍ଚ କାରବାର ନ ହୁଏ ତାହା ଉପରେ ଗୁରୁତ୍ବାରୋପ କରିବା ସହ ଏହା ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ଅଭିଯାନରେ ବିଏମ୍‌ସି ଜଳ ଅମଳ ପ୍ରକଳ୍ପକୁ ଗୁରୁତ୍ବ ଦେଇଛି। ୩୦୬୨ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏଥିରେ ପାଖାପାଖି ୧୧କୋଟି ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି। ଚଳିତ ବର୍ଷ ୩ ହଜାର ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଧାର୍ଯ୍ୟ ଲକ୍ଷ୍ୟ ଉଚିତ୍‌ ସମୟରେ ପୂରଣ କରିବାକୁ କମିସନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ୩୯୦ ସଂଗଠନ ଓ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କ ଜରିଆରେ ହେଉଛି। ସୁପରଭିଜନ୍‌ ଚାର୍ଜ ବାବଦରେ କମ୍ୟୁନିଟି ଅର୍ଗାନାଇଜର୍‌ମାନେ ୮୨ଲକ୍ଷ ୫୮ହଜାର ଟଙ୍କା ପାଇବାକୁ ଯାଉଛନ୍ତି। ଏହା ଛଡ଼ା ଜଳାଶୟ ପୁନରୁଦ୍ଧାର, ରାସ୍ତାକଡ଼ ବ୍ୟାୟାମଶାଳା, ପାର୍କରେ ମୁକ୍ତାକାଶ ବ୍ୟାୟାମଶାଳା, ଜଗିଂ ଟ୍ରାକ୍‌, ଛୋଟ ପାର୍କ, ଖେଳ ପଡ଼ିଆ ଉନ୍ନତୀକରଣ, ଭେଣ୍ଡିଂ ଜୋନ୍‌ ପ୍ରଭୃତି ପ୍ରକଳ୍ପ ରହିଛି। ଏଭଳି ୨୬୫ ପ୍ରକଳ୍ପରେ ୪୬ କୋଟି ୭୮ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ରହିଛି। ଏହି ସବୁ କାମ ୧୩୭ ଏଜେନ୍‌ସିଙ୍କ ଜରିଆରେ ହେଉଛି। ସୁପରଭିଜନ୍‌ ଚାର୍ଜ ବାବଦରେ ଅଟକଳ ମୂଲ୍ୟର ୭.୫ପ୍ରତିଶତ ହିସାବରେ ଏହି ଏଜେନ୍‌ସିମାନେ ୩ କୋଟି ୫୦ ଲକ୍ଷ ଟଙ୍କା ପାଇବେ।

ସମ୍ବନ୍ଧିତ ଖବର