ଆରମ୍ଭ ହେଲା ‘କଟନ୍‌ ଫ୍ୟାବ୍‌’

ପ୍ରଦର୍ଶିତ ହେଉଛି ୧୨ ରାଜ୍ୟର ୧୨୨ ହସ୍ତଶିଳ୍ପ

ଭୁବନେଶ୍ବର: ଲକ୍ଷ୍ନୌ ଚିକନ୍‌ୱାର୍କ, ଗୁଜରାଟ ଏଥିନିକ୍‌ ପ୍ରିଣ୍ଟ୍‌, ରାଜସ୍ଥାନୀ ବ୍ଲକ୍‌ ପ୍ରିଣ୍ଟେଡ୍‌, ପଞ୍ଜାବୀ ଫୁଲକରୀ ଓ ପଟିଆଲା, ମଧ୍ୟପ୍ରଦେଶର ଚନ୍ଦେରୀ, ମହେଶ୍ବରୀ, ବାଗ୍‌ ପ୍ରିଣ୍ଟ୍‌ ଓ ବାଟିକ୍‌ ପ୍ରିଣ୍ଟ୍‌, ପଶ୍ଚିମବଙ୍ଗର ଶାନ୍ତି ନିକେତନ ତନ୍ତ, ଆନ୍ଧ୍ରପ୍ରଦେଶ କଲମ୍‌କରି ଓ ମଙ୍ଗଲଗିରି, ତାମିଲନାଡୁ ମଦୁରାଇ ଶାଢ଼ି ଏବଂ ଉତ୍ତରପ୍ରଦେଶ ବନାରସୀ ସିଲ୍କ ଭଳି ଅନେକ ରାଜ୍ୟର ହସ୍ତତନ୍ତର ସମ୍ଭାର ଖୋଲିଛି ପ୍ରଦର୍ଶନୀ ପଡ଼ିଆରେ। ଦେଶର ପ୍ରାୟ ୧୨ରାଜ୍ୟର ୧୨୨ଟି ହସ୍ତଶିଳ୍ପ ପ୍ରଦର୍ଶିତ ହେଉଛି। ଦୀର୍ଘ ୯ମାସ ପରେ ହସ୍ତଶିଳ୍ପୀ ଓ କାରିଗରମାନେ ଗ୍ରାହକଙ୍କ ସହ ସିଧା ଯୋଡ଼ି ହେବାର ଅବକାଶ ଆସିଛି। କାରଣ ଆଜିଠାରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଯାଇଛି ରେଶମ ଓ ସୂତାବସ୍ତ୍ର ପ୍ରଦର୍ଶନୀ ‘ଦ୍ବାଦଶ କଟନଫ୍ୟାବ୍‌’।

ଅବଧ ହସ୍ତକଳା, ହସ୍ତଶିଳ୍ପ ଓ ଗ୍ରାମ୍ୟୋଦ୍ୟୋଗ ସମିତି ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀକୁ ଆଜି ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭ‌ାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ପ୍ରଦର୍ଶନୀରେ ୧୨୦ଟି ଷ୍ଟଲ୍‌ ଖୋଲିଥିବା ବେଳେ ଏଥିରୁ ୯୦ଟି ହସ୍ତତନ୍ତ ଓ ୩୦ଟି ହସ୍ତଶିଳ୍ପ ଷ୍ଟଲ୍‌। ପ୍ରଦର୍ଶନୀରେ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଛତିଶଗଡ଼, ଦିଲ୍ଲୀ, ପଞ୍ଜାବ ଓ ଝାଡ଼ଖଣ୍ଡ ଆଦିରୁ ବୁଣାକାର ଓ କାରିଗରମାନେ ଯୋଗ ଦେଇଛନ୍ତି। ମେଳା ଆସନ୍ତା ୧୪ ତାରିଖ ଯାଏ ଚାଲିବ। ଏଠାରେ ବିଭିନ୍ନ ହସ୍ତତନ୍ତ ଶାଢ଼ି ସହ ପାରମ୍ପରିକ ଅଳଙ୍କାର ଓ ଘରସଜ୍ଜା ସାମଗ୍ରୀ ଆଦି ଉପଲବ୍ଧ ହେଉଛି। କରୋନା ଯୋଗୁଁ ଚଳିତବର୍ଷ ଦେଶର କୌଣସି ସ୍ଥାନରେ ଏଯାଏ କଟନଫ୍ୟାବ୍‌ ପ୍ରଦର୍ଶନୀ ପଡ଼ି ପାରିନଥିବା ବେଳେ ଭୁବନେଶ୍ବରରୁ ଏହାର ଆରମ୍ଭ ହେଲା ବୋଲି ସମିତିର ସମ୍ପାଦକ ଜାଭେଦ ଆଲମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର