ଭୁବନେଶ୍ବର: କିମ୍ସ୍ ହସ୍ପିଟାଲ୍ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ପେଟରୁ ଗଜ୍ କପଡ଼ା ବାହାରିଥିବାର ଅଭିଯୋଗ ହୋଇଛି। ଏ ନେଇ ମହିଳାଙ୍କ ପରିବାର ସଦସ୍ୟମାନେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଭେଟି ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ, ୨୦୧୮ ଅକ୍ଟୋବର ୨୬ରେ ପ୍ରଜ୍ଞା ମହାନ୍ତି ନାମ୍ନୀ ଜଣେ ମହିଳା କିମ୍ସ୍ରେ ଭର୍ତ୍ତି ହୋଇଥିଲେ। ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଏସ୍ କେ ରଥ ଓ ଅସୀମା ଦାସଙ୍କ ତତ୍ତ୍ବାବଧାନରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ପିଲା ଜନ୍ମ ହୋଇଥିଲା। କିନ୍ତୁ ଡାକ୍ତରଙ୍କ ଅବହେଳା ଯୋଗୁଁ ଏକ ଲମ୍ବା ଗଜ୍ କନା ତାଙ୍କ ପେଟ ଭିତରେ ରହିଯାଇଥିଲା। ଶ୍ରୀମତୀ ମହାନ୍ତି ସେଠାରୁ ଡିସ୍ଚାର୍ଜ ହେବାର କିଛି ଦିନ ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଇବା ଦ୍ବାରା ଯନ୍ତ୍ରଣା କମୁଥିଲା। କିନ୍ତୁ ଗତ ସପ୍ତାହରେ ଯନ୍ତ୍ରଣା ଅତ୍ୟଧିକ ହେବାରୁ ମହିଳାଙ୍କ ସ୍ବାମୀ ସ୍ମୃତିରଞ୍ଜନ ରାଉତ ତାଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅପରେସନ୍ ପାଇଁ ପରାମର୍ଶ ଦେଇଥିଲେ। ହସ୍ପିଟାଲ୍ରେ ଥିବା ସମୟରେ ଗତ ୮ ତାରିଖ ସକାଳୁ ମହିଳାଙ୍କ ମଳଦ୍ବାରରୁ ଲମ୍ବା ଗଜ୍ କନା ବାହାରିଥିଲା। ଏହା ପରେ ସେ ଯନ୍ତ୍ରଣାରୁ ଆଶ୍ବସ୍ତି ଲାଭ କଲେ। କିମ୍ସ୍ରେ ଡାକ୍ତରଙ୍କ ଖାମଖିଆଲ ଅସ୍ତ୍ରୋପଚାର ଯୋଗୁଁ ଏପରି ପେଟରେ ଗଜ୍ କନା ରହିଲା ବୋଲି ମହିଳାଜଣଙ୍କ ଅଭିଯୋଗ କରିଛନ୍ତି। ଏନେଇ ପରିବାର ସଦସ୍ୟମାନେ ମାନବାଧିକାର କମିସନ୍ରେ ଅଭିଯୋଗ କରିବେ ବୋଲି ସ୍ବାମୀ ସ୍ମୃତିରଞ୍ଜନ, ସମ୍ପର୍କୀୟ ଗଗନ ଭଞ୍ଜ ଏବଂ ମହିଳାଙ୍କ ଶାଶୁ, ଶ୍ବଶୁର ଜଣାଇଛନ୍ତି।
୮ ମାସ ପରେ ମହିଳାଙ୍କ ପେଟରୁ ବାହାରିଲା ଗଜ୍ କପଡ଼ା
/sambad/media/post_attachments/wp-content/uploads/2019/06/Operation-After-8-Months_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)