ଭୁବନେଶ୍ବର: ୩ ବର୍ଷ ତଳେ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଧୀନରେ ଘଟିଥିବା ଡକାୟତି ଘଟଣାରେ କମିସନରେଟ ପୁଲିସ ୩ ଜଣ ବାଂଲାଦେଶୀ ଯୁବକଙ୍କୁ ଗିରଫ କରିଥିଲା। ଗତବର୍ଷ ଧଉଳି ଥାନା ଅଧୀନ ଲିଙ୍ଗପୁର ଏଟିଏମ ତାଡ଼ି ଲୁଟ ଘଟଣାରେ ୫ ଜଣ ବାଂଲାଦେଶୀ ଗିରଫ ହୋଇଥିଲେ। ସେହିପରି କ୍ରାଇମ ବ୍ରାଞ୍ଚର ଏସଟିଏଫ୍ ରାଜଧାନୀ ଉପକଣ୍ଠ ପିପିଲି ଓ ନୂଆପଲ୍ଲୀ ସୌଭାଗ୍ୟନଗରରରୁ ବାଂଲାଦେଶୀ ରୂପଜୀବୀ ଓ ୫ ଜଣ ବାଂଲା ଦଲାଲଙ୍କୁ ଗିରଫ କରିଥିଲା। ନିଶା କାରବାରରେ ମଧ୍ୟ ଏସଟିଏଫ ଅନେକ ବାଂଲାଦେଶୀ ଯୁବକଙ୍କୁ ଗିରଫ କରିଛି। ଏ ସବୁ କେତୋଟି ଉଦାହରଣ, ଯେଉଁଠି ବାଂଲାଦେଶୀ ନାଗରିକମାନେ ରାଜଧାନୀରେ ଅପରାଧରେ ସଂପୃକ୍ତ ଥିବା ନଜରକୁ ଆସିଛି। ଏହା ଏବେ କମିସନରେଟ୍ ପୁଲିସଠାରୁ ଆରମ୍ଭ କରି କ୍ରାଇମ ବ୍ରାଞ୍ଚ ଓ ଗୁଇନ୍ଦାର ଅଧିକାରୀମାନଙ୍କୁ ଚିନ୍ତାରେ ପକାଇଛି। ଆଗାମୀ ଦିନରେ ଏହିମାନେ ରାଜଧାନୀରେ ବଡ଼ ଧରଣର ଅଘଟଣ ଘଟାଇବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦେଇ ହେଉନାହିଁ ବୋଲି ପୁଲିସ ଆଶଙ୍କା କରୁଛି।
କମିସନରେଟ୍ ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ୨୦୨୦ ମସିହାରେ ଜାନୁଆରି ଓ ଫେବ୍ରୁଆରିରେ ଇନ୍ଫୋସିଟି ଥାନା ଅଧୀନ ଲକ୍ଷ୍ମୀବିହାର ଓ ଚନ୍ଦ୍ରଶେଖରପୁର ଥାନା ଅଧୀନ କାନନ ବିହାର ଫେଜ୍-୧ରେ ଦୁଇଟି ବଡ଼ ଧରଣର ସଶସ୍ତ୍ର ଡକାୟତି ହୋଇଥିଲା। ଦୁଇ ଜଣ ଅବସରପ୍ରାପ୍ତ ସୈନିକ ସୁଧାକର ଦାସ ଓ ନରେଶ ପଣ୍ଡାଙ୍କ ଘରେ ପଶି ଡକାୟତମାନେ ପରିବାର ଲୋକଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ପାଖାପାଖି ୪୦ ଲକ୍ଷ ଟଙ୍କା ଡକାୟତି କରିଥିଲେ। ଏହି ସମୟରେ ଦିଲ୍ଲୀ ପୁଲିସ ଏକ ଡକାୟତି ଗ୍ୟାଙ୍ଗକୁ ଧରିଥିଲା। ସେମାନଙ୍କୁ ପଚରାଉଚରା କରିବା ବେଳେ ସେମାନେ ଭୁବନେଶ୍ୱରରେ ଡକାୟତି କରିଥିବା ଦିଲ୍ଲୀ ପୁଲିସ ନିକଟରେ ମାନି ଯାଇଥିଲେ। ଖବର ପାଇ କମିସନରେଟ ପୁଲିସ ଦୁଇ ଜଣ ବାଂଲାଦେଶୀ ଡକାୟତ ସେକ୍ ନଜରୁଲ ଓ ସେକ୍ ସାଇଦୁଲଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। କମିସନରେଟ୍ ପୁଲିସ ଏମାନଙ୍କୁ ରିମାଣ୍ଡରେ ଆଣିଥିବା ବେଳେ ସେମାନେ ପୁଲିସ ନିକଟରେ ସ୍ୱୀକାର କରିଥିଲେ ଯେ, ୨୦ଜଣ ବାଂଲାଦେଶୀ ଯୁବକ ଏକାଠି ହୋଇ ସୀମାରେ ନକଲି ପାସପୋର୍ଟ ଦେଖାଇ ଗଙ୍ଗାନଦୀ ବେଲାରପୁର ଦେଇ ଭାରତକୁ ପ୍ରବେଶ କରିଥିଲେ। ପରେ ସେମାନେ ଭାଗଭାଗ ହୋଇ ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଦିଲ୍ଲୀ, ତାମିଲନାଡୁ ଓ କର୍ଣ୍ଣାଟକ ରାଜ୍ୟରେ ସଶସ୍ତ୍ର ଡକାୟତି କରିଥିଲେ।
ସେହିପରି ଗତ ବର୍ଷ ଧଉଳି ଥାନା ଅଧୀନ ଲିଙ୍ଗିପୁରରୁ ଏଟିଏମ ତାଡ଼ି ଡକାୟତି କରିବା ଘଟଣାରେ ପୁଲିସ ଖୋକନ ମୁଲ୍ଲା ଓ ମିରାଜୁନ ମେହବାନ ମୁଲ୍ଲାକୁ ଗିରଫ କରିଥିଲା। ଏମାନେ ଏକ ବ୍ୟାଙ୍କର ଏଟିଏମ୍ କାଟି ପାଖାପାଖି ୭୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। କେବଳ ଏହି ଡକାୟତି ଘଟଣା କାହିଁକି, ବାଂଲାଦେଶୀମାନେ ପୂର୍ବରୁ ନକଲି ନୋଟ୍ କାରବାର କରି ରାଜଧାନୀରେ ବିଭିନ୍ନ ସମୟରେ ଗିରଫ ହୋଇଛନ୍ତି। ସେହିପରି ବ୍ରାଉନସୁଗାର କାରବାର ଓ ସେକ୍ସ ରୢାକେଟ୍ରେ ସେମାନେ ମଧ୍ୟ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଛି। ନକଲି ପାସ୍ପୋର୍ଟ, ନକଲି ଆଧାରକାର୍ଡ, ନକଲି ଫଟୋ ପରିଚୟପତ୍ର ଦେଖାଇ ଏଠାରେ ରହିବା ସହ ବିଭିନ୍ନ ପ୍ରକାରର ଅପରାଧରେ ସଂପୃକ୍ତ ରହୁଛନ୍ତି। କ୍ରାଇମ ବ୍ରାଞ୍ଚର ଏସ୍ଟିଏଫ୍ ବାଂଲାଦେଶୀ ରାଣୀ ମହୁମାଛି ଅଞ୍ଜଳି ଦିଦିକୁ ଗିରଫ ଓ ୬ ଜଣ ବାଂଲାଦେଶୀ ରୂପଜୀବୀଙ୍କୁ ଉଦ୍ଧାର କରିବା ପରେ ଏବେ ରାଜଧାନୀରେ ବାଂଲାଦେଶୀମାନେ ବେଶ୍ ସକ୍ରିୟ ଥିବା ଜଣାପଡ଼ିଛି। କିଛି ବର୍ଷ ପୂର୍ବେ ଖାରବେଳନଗର ଥାନା ଅଧୀନ ମାଳିସାହିରେ ଜଣେ ବାଂଲାଦେଶୀ ଦେହଜୀବୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ମଧ୍ୟ ନକଲି ଆଧାର କାର୍ଡ ଜବତ କରିଥିଲା।
ବିଭିନ୍ନ ସମୟରେ ବାଂଲାଦେଶୀମାନେ ରାଜଧାନୀ ଭୁବନେଶ୍ବରରୁ ଗିରଫ ହେବା ଘଟଣାକୁ ଅନେକ ସହଜରେ ଗ୍ରହଣ କରି ପାରୁନାହାନ୍ତି। ତେଣୁ ବାଂଲାଦେଶୀମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କୁ ଦେଶକୁ ତଡ଼ିବାର ବ୍ୟବସ୍ଥା କରାଯାଉ ବୋଲି ଅନେକ କହିଛନ୍ତି। ସାଧାରଣତଃ ରାଜଧାନୀରେ ବଂଲାଦେଶୀମାନେ ଖାରବେଳନଗର ଥାନା ଅଧୀନ ମାଳିସାହି ଓ ଖଣ୍ଡଗିରି ଥାନା ଅଧୀନ ଯଦୁପୁର ଗାଁ ନିକଟ ବସ୍ତିରେ ବେଆଇନ ଭାବେ ରହୁଥିବା ଜଣାପଡ଼ିଛି। କିନ୍ତୁ ଏବେ ରାଜଧାନୀରେ କିଛି ଅପରାଧ ଘଟଣାରେ ବାଂଲାଦେଶୀମାନଙ୍କ ସଂପୃକ୍ତି ରହିବା ପରେ ସେମାନଙ୍କର ଅନ୍ୟ ବସ୍ତିରେ ଚଳପ୍ରଚଳ ଥିବା ସନ୍ଦେହ କରାଯାଉଛି। ଏଭଳି ସ୍ଥଳରେ ପୁଲିସ କ’ଣ ପଦକ୍ଷେପ ନେଉଛି ତାହା ଅସ୍ପଷ୍ଟ। କମିସନରେଟ ପୁଲିସ ଏବେ ପୁଲିସ ମିତ୍ର ଗଠନ କରିଛି। ସେମାନଙ୍କ ସହଯୋଗରେ ବସ୍ତିରେ ଥିବା ବାଂଲାଦେଶୀମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜଧାନୀବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଡିସିପି କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେଉଁଠି ମାମଲା ରୁଜୁ ହେଉଛି, କିମ୍ବା ବାଂଲାଦେଶୀ ନାଗରିକ ବୋଲି ଜଣାପଡ଼ୁଛନ୍ତି ସେମାନଙ୍କୁ ନିଜ ଦେଶକୁ ଫେରିବାକୁ କୁହାଯାଉଛି। ଯେଉଁମାନେ ନ ଯାଉଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି। ପୂର୍ବରୁ ସମସ୍ତ ଘଟଣାରେ ବାଂଲାଦେଶୀମାନଙ୍କୁ ସେମାନଙ୍କ ଦେଶକୁ ଫେରି ଯିବା ଲାଗି ବାଂଲାଦେଶ ଦୂତାବାସକୁ ସହ ଯୋଗାଯୋଗ କରାଯାଇଥିଲା। କରୋନା ମହାମାରୀ ସମୟରେ ୧୦ ଜଣ ବାଂଲାଦେଶୀ ଯୁବକ ଭୁବନେଶ୍ବର ଷ୍ଟେସନ ନିକଟରେ ଧରା ପଡ଼ିଥିଲେ। ସେମାନଙ୍କୁ ମଧ୍ୟ ସମାନ ଢ଼ଙ୍ଗରେ ବାଂଲାଦେଶ ପଠାଇ ଦିଆଯାଇଥିଲା।