ଭୁବନେଶ୍ବର: ପୂର୍ବରୁ ରାଜଧାନୀ ବଜାରରୁ ନକଲି ସସ୍‌, ନକଲି ‌ତେଲ, ଘିଅ, ନକଲି ମୋବିଲ୍‌, ନକଲି ସିମେଣ୍ଟ ଆଦି ସାମଗ୍ରୀ ଜବତ ହୋଇଛି। ପୁଲିସ ହେଉ କି ଖାଦ୍ୟ ସୁରକ୍ଷା ଅଧିକାରୀ ହୁଅନ୍ତୁ, ମଝିରେ ମଝିରେ ଚଢ଼ଉ କରି ନକଲି କାରଖାନା ଠାବ କରିବା ସହ ଅସାଧୁ ବ୍ୟବସାୟୀଙ୍କୁ ବାନ୍ଧି ଜେଲ୍‌ ପଠାଇଥିବା ବହୁ ଉଦାହରଣ ରହିଛି। କିନ୍ତୁ ବିସ୍ମୟର କଥା ଏବେ ରାଜଧାନୀ ବଜାରରୁ ଠାବ ହେଲାଣି ନକଲି ଜୋତା। ବ୍ରାଣ୍ଡ କମ୍ପାନିର ଜୋତାକୁ ଅବିକଳ ନକଲ କରି ବଜାରକୁ ଛଡ଼ାଯାଇଛି। କେବଳ ସେତିକି ନୁହେଁ, ନକଲି କସ୍‌ମେଟିକ୍ସ ସାମଗ୍ରୀ ମଧ୍ୟ ରାଜଧାନୀ ବଜାରକୁ କବ୍‌ଜା କରିଥିବା ପ୍ରମାଣିତ ହୋଇସାରିଛି। ତେଣୁ ଏମିତି କିଛି ନକଲି ସାମଗ୍ରୀ ନାହିଁ, ଯାହା ରାଜଧାନୀ ବଜାରରେ ମିଳୁନାହିଁ। ଜୋତାରୁ ବିଭିନ୍ନ ଯନ୍ତ୍ରାଂଶ, ଖାଦ୍ୟରୁ କସ୍‌ମେଟିକ୍ସ ପର୍ଯ୍ୟନ୍ତ ସବୁପ୍ରକାରର ନକଲି ଜିନିଷ ରାଜଧାନୀ ବଜାରରେ ଖୁନ୍ଦି ହୋଇରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏସବୁ ନକଲି ଜିନିଷ କେବଳ ଚୋରାଲୁଚାରେ ବିକ୍ରି ହେଉନାହିଁ, ଖୋଲାଖୋଲି ଭାବେ ପ୍ରତିଷ୍ଠିତ ଦୋକାନରେ ବି ମିଳୁଛି। ଗତ ସପ୍ତାହରେ ରାଜଧାନୀର ଏକ ପ୍ରତିଷ୍ଠିତ ଦୋକାନରେ ଚଢ଼ଉ କରାଯାଇଥିଲା। ବ୍ରାଣ୍ଡ କମ୍ପାନିର ୨୦୦ ହଳରୁ ଅଧିକ ନକଲି ଜୋତା ଜବତ କରାଯାଇଥିଲା। ଅସଲ କମ୍ପାନି ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ଚଢ଼ଉ କରି ଏହି କଳା କାରବାରର ପର୍ଦ୍ଦାଫାସ୍‌ କରିଥିଲା। ସେହିଭଳି ନକଲି ଔଷଧ ବିକ୍ରି ହେଉଥିବା ନେଇ ଅଭିଯୋଗ ହେବା ପରେ ରାଜଧାନୀର ବିଭିନ୍ନ ଔଷଧ ଦୋକାନରେ ଚଢ଼ଉ କରାଯାଇ କିଛି ଔଷଧ ଜବତ କରାଯାଇଛି। ଏହାର ମାନ ଯାଞ୍ଚ ପାଇଁ ପରୀକ୍ଷାଗାରକୁ ପଠାଯାଇଛି। 

Advertisment

ନକଲି କସ୍‌ମେଟିକ୍ସ ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ପକ୍ଷରୁ ୟୁନିଟ୍‌-୧ ମାର୍କେଟ୍‌ରେ ଚଢ଼ଉ କରାଯାଇଥିଲା। ସେଠାରୁ ସାମ୍ପୁ,‌ କ୍ରିମ୍‌, ଲୋସନ, ବଡିୱାସ୍‌, ସାବୁନ୍ ଆଦିର ନମୁନା ସଂଗ୍ରହ କରାଯାଇଥିଲା। ଚଢ଼ଉ ସମୟରେ ୬ଟି ଦୋକାନର କ୍ରିମ୍‌, ଲୋସନ, ନେଲ୍‌ ପଲିସ୍‌, ଡିଓଡ୍ରାଣ୍ଟ, ପର୍‌ଫ୍ୟୁମ୍‌ ଆଦି ନକଲି ବୋଲି ଜଣାପଡ଼ିଥିଲା। ପାଖାପାଖି ୧୫ଟି ବ୍ରାଣ୍ଡ୍‌ର ନମୁନା ସଂଗ୍ରହ କରାଯାଇ ଚେନ୍ନାଇ ସେଣ୍ଟ୍ରାଲ୍‌ ଡ୍ରଗ୍‌ ଟେଷ୍ଟିଙ୍ଗ ଲାବାରେଟୋରି(ସିଡିଟିଏଲ୍‌)କୁ ପଠାଯାଇଛି। ସୂଚନାଯୋଗ୍ୟ ଯେ ଏୟାର୍‌ଫିଲ୍ଡ ଥାନା ଅଞ୍ଚଳରେ ଏକ ନକଲି ସସ୍‌ କାରଖାନା ଠାବ ହୋଇଥିଲା। ପଚା ଟମାଟୋ, ଅମୃତଭଣ୍ଡା, କଖାରୁ ଆଦିରେ ରଙ୍ଗ ଓ କେମିକାଲ୍ସ ଅପମିଶ୍ରଣ କରି ଏହି ସସ୍‌ ପ୍ରସ୍ତୁତ କରାଯାଉଥିଲା। ସସ୍‌କୁ ବ୍ରାଣ୍ଡ କମ୍ପାନିର ବୋତଲରେ ଭର୍ତ୍ତି କରି ସହରରେ ବିକ୍ରି ହେଉଥିଲା। ଏହି ମାମଲାରେ ଏୟାରଫିଲ୍ଡ ଥାନା ପୁଲିସ ୩ଜଣଙ୍କୁ ଗରଫ କରିଥିଲା। ସେହିପରି ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ନକଲି ତେଲ ଓ ଘିଅ କାରଖାନା ଠାବ ହୋଇଥିଲା। ପ୍ରାୟ ହଜାରେ ଲିଟର ତେଲ ଓ ଘିଅ ସହ କଞ୍ଚାମାଲ, ରଙ୍ଗ, ଟିଣ, ଡବା, ଷ୍ଟିକର ଓ କଞ୍ଚାମାଲ ଜବତ ହୋଇଥିଲା। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ପୁଲିସ ଗିରଫ କରିଥିଲା। ମଞ୍ଚେଶ୍ବର ଅଞ୍ଚଳରେ ଥିବା ଏକ ଅପମିଶ୍ରିତ ମୃଦୁ ପାନୀୟ କାରଖାନା ଠାବ ହୋଇଥିଲା ଏବଂ ୨ଜଣଙ୍କୁ ଗିରଫ କରାଯାଇଥିଲା। ବଡ଼ଗଡ଼ ଥାନା ପୁଲିସ ଚଢ଼ଉ କରି ଟଙ୍କପାଣି ରୋଡ୍‌ ଅଞ୍ଚଳରୁ ଏକ ନିକଲି ସିମେଣ୍ଟ କାରଖାନାକୁ ଠାବ କରିଥିଲା। ଖରାପ ବା ମୁଣ୍ଡା ହୋଇଯାଇଥିବା ସିମେଣ୍ଟରେ ପାଉଁଶ ସହିତ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ମିଶାଇ  ଅଲ୍‌ଟ୍ରା‌ଟେକ୍‌ ଭଳି ନାମୀ କମ୍ପାନିର ଲୋଗୋ ବ୍ୟବହାର କରି ବଜାରକୁ ଛଡ଼ାଯାଉଥିଲା। ସେହିପରି ବଡ଼ଗଡ଼ ଥାନା ପୁଲିସ ଏକ ନକଲି ପାର୍ଟସ, ମୋବିଲ୍‌ ଓ ଇଞ୍ଜିନ୍‌ ଅଏଲ୍‌ କାରଖାନା ଠାବ କରିଥିଲା।