ନକଲି ଉଚ୍ଚ ରକ୍ତଚାପ ଔଷଧ ଠାବ ମାମଲା: ଖୁଚୁରା ଦୋକାନରେ ବିକ୍ରି କଟକଣା

ଭୁବନେଶ୍ବର: ରାଜଧାନୀର ଏକ ଦୋକାନରେ ନକଲି ଉଚ୍ଚ ରକ୍ତଚାପ ଔଷଧ(ଟେଲ୍‌ମା-୪୦) ଅଭିଯୋଗ ଆସିବା ପରେ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। କଟକ, ଭୁବନେଶ୍ବର ସମେତ ୧୦ ଜିଲ୍ଲାକୁ ଏହାର ଚେର ଲମ୍ବି ଥିବା କୁହାଯାଉଛି। ତେଣୁ ଯେଉଁ ଯେଉଁ ଜିଲ୍ଲାକୁ ଏହି ଔଷଧ ଯୋଗାଣ ହୋଇଛି ସେସବୁ ଜିଲ୍ଲା ଉପରେ ରାଜ୍ୟ ଭେଷଜ ନିର୍ଦେଶାଳୟ ପକ୍ଷରୁ ନଜର ରଖାଯାଇଛି। ମାତ୍ର ଏହି ନକଲି ଔଷଧ କେଉଁ ରାଜ୍ୟରୁ ଓଡ଼ିଶାକୁ ଆସିଲା ଓ କେବେଠାରୁ ଏହାର ଯୋଗାଣ ଜାରି ରହିଛି ସେ ସଂପର୍କରେ କାହା ପାଖରେ ସୂଚନା ନାହିଁ। ଅପରପକ୍ଷରେ ରାଜ୍ୟର ଖୁଚୁରା ଔଷଧ ଦୋକାନରେ ଏହି ଔଷଧର ବିକ୍ରି ଉପରେ କଟକଣା ଜାରି ହୋଇଛି। ଯେଉଁ ବ୍ୟାଚ୍‌ର ଔଷଧ ନକଲି ବୋଲି ସନ୍ଦେହ କରାଯାଉଛି ତାହାକୁ ଫେରାଇନେବା ଲାଗି ନିର୍ଦେଶାଳୟ ପକ୍ଷରୁ ଚିଠି ଜାରି କରାଯାଇଛି।

ପରୀକ୍ଷା ପାଇଁ ଗଲା ୧୦ରୁ ଅଧିକ ଔଷଧ ନମୁନା,ରାଜଧାନୀରେ ଜୋରଦାର ଚଢ଼ଉ
ଫେରାଇବାକୁ ନିର୍ଦ୍ଦେଶ,ସନ୍ଦେହରେ ୩ଟି ରାଜ୍ୟ

ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଶୈଳଶ୍ରୀବିହାର ଅଞ୍ଚଳର ଏକ ଔଷଧ ଦୋକାନରୁ ନକଲି ଔଷଧ ବିକ୍ରି ହେଉଥିବା ନେଇ ଭେଷଜ ନିର୍ଦେଶାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଗତକାଲି ରାଜଧାନୀ ସମେତ କଟକରେ ଡ୍ରଗ୍ ଇନସ୍‌ପେକ୍ଟରମାନେ ଚଢ଼ଉ କରିଥିଲେ। ଆଜି ଦ୍ବିତୀୟ ଦିନରେ ଭୁବନେଶ୍ବରରେ ଭେଷଜ ନିର୍ଦେଶାଳୟର ୭ଟି ଡ୍ରଗ୍ ଇନ୍‌ସପେକ୍ଟର ଟିମ୍ ଏକକାଳୀନ ବିଭିନ୍ନ ଔଷଧ ଦୋକାନରେ ଏହାର ଯାଞ୍ଚ କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଚଢ଼ଉ ଜାରି ରହିଥିଲା। ଏଥିରେ ପ୍ରାୟ ୨୫ଟି ହୋଲ୍‌ସେଲ୍‌ ଓ ସିଏଣ୍ଡଏଫ୍‌ରେ ଚଢ଼ଉ ହୋଇଛି। ଆସନ୍ତାକାଲି ମଧ୍ୟ ଭୁବନେଶ୍ବରରେ ଚଢ଼ଉ ଜାରି ରହିବ ବୋଲି ସୂଚନା ମିଳିଛି। ସେହିପରି କଟକରେ ମଧ୍ୟ ସମାନ ଢଙ୍ଗରେ ଏକାଧିକ ଦୋକାନରେ ଯାଞ୍ଚ କରାଯାଇଛି। ଯେହେତୁ ଅନ୍ୟ ଜିଲ୍ଲାକୁ ଏହି ଔଷଧ ଯୋଗାଣ ହୋଇଥିବା ସନ୍ଦେହ କରାଯାଉଛି ତେଣୁ ଅନ୍ୟ ଜିଲ୍ଲାରେ ମଧ୍ୟ ସମାନ ଭାବେ ଏହାର ଯାଞ୍ଚ ଚାଲିଛି।

ଭେଷଜ ନିର୍ଦେଶାଳୟର ଅଧିକାରୀଙ୍କ ସୂଚନା ମୁତାବକ, ଗତ ୧ମାସ ଭିତରେ ଏହି ଔଷଧ ଯୋଗାଣ ହୋଇଥିବା ସ୍ପଷ୍ଟ ହୋଇଛି। ବର୍ତମାନ ସୁଦ୍ଧା ୧୦ରୁ ଅଧିକ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଆଉ କିଛିଦିନ ଭିତରେ ନମୁନା ରିପୋର୍ଟ ଆସିବ। ବର୍ତମାନ ହୋଇଥିବା ଯାଞ୍ଚରୁ କର୍ଣ୍ଣାଟକ, ବିହାର କିମ୍ବା ପଶ୍ଚିମବଙ୍ଗରୁ ଏହି ଔଷଧ ଯୋଗାଣ ହୋଇଥିବା ସନ୍ଦେହ କରାଯାଉଛି। ଆସନ୍ତା କିଛିଦିନ ଭିତରେ ଏସବୁ ସ୍ପଷ୍ଟ ହେବ। ତେଣୁ ଏହାକୁ ନଜରରେ ରଖି ଖୁଚୁରା ଔଷଧ ଦୋକାନମାନଙ୍କରୁ ସଂପୃକ୍ତ ବ୍ୟାଚ୍‌ର ଔଷଧ ଫେରାଇବାକୁ ଚିଠି ଜାରି ହୋଇଛି। କଟକ, ଭୁବନେଶ୍ବର, ବାଲେଶ୍ବର, ନୟାଗଡ଼ ଆଦି ଜିଲ୍ଲାରୁ ଏହି ଔଷଧ ଯୋଗାଣ ହୋଇଥିବା ସନ୍ଦେହ କରାଯାଉଛି। ଯାଞ୍ଚ ଓ ଔଷଧ ଫେରିବା ପରେ ପ୍ରକୃତରେ କେତେ ଯୋଗାଣ ହୋଇଥିବା ଓ କେତେ ବିକ୍ରି ହୋଇଛି ତାହା ସ୍ପଷ୍ଟ ହୋଇପାରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ମାତ୍ର ବଜାରରେ ଏଭଳି ନକଲି ଔଷଧ ବୁଲୁଥିବା ବେଳେ ଭେଷଜ ନିର୍ଦେଶାଳୟ ପାଖରେ କିଭଳି ଖବର ନ ଥିଲା, ତାହା ଆଶ୍ଚର୍ଯ୍ୟ କରିଛି। ସାଧାରଣ ଲୋକ ଅଭିଯୋଗ ପରେ ଯଦିଓ ନିର୍ଦେଶାଳୟ ତତ୍ପର ହୋଇଉଠିଛି, ହେଲେ ନିୟମିତ ଔଷଧ ଯାଞ୍ଚକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର