ଭୁବନେଶ୍ୱର: ବିଏମ୍‌ସି ଅଞ୍ଚଳରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ କମାଇବା ଲାଗି କୁକୁର ବନ୍ଧ୍ୟାକରଣ ଉପରେ ଜୋର୍‌ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ପଶୁ ଜନ୍ମ ନିୟନ୍ତ୍ରଣ(ଏବିସି) ଅଭିଯାନ ଜରିଆରେ ଚଳିତବର୍ଷ ଏପ୍ରିଲ୍‌ରୁ ହାଇଦ୍ରାବାଦ୍‌ର ଏକ ଘରୋଇ ସଂସ୍ଥା ଜରିଆରେ କୁକୁର ବନ୍ଧ୍ୟାକରଣ କରାଯାଉଛି। ସଂପୃକ୍ତ ସଂସ୍ଥାକୁ କୁକୁର ବନ୍ଧ୍ୟାକରଣ ପିଛା ୧୬୫୦ ଟଙ୍କା ଦିଆଯାଉଛି। ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ କୁକୁରଙ୍କୁ ୫ ଦିନ କେନେଲ୍‌ରେ ରଖିବା ବାଧ୍ୟତାମୂଳକ ହୋଇଥିବାରୁ ୫ ଦିନର ଖାଦ୍ୟ ଖର୍ଚ୍ଚ ବି ଅନ୍ତର୍ଭୁକ୍ତ ରହିଛି। ଚଳିତବର୍ଷ ପ୍ରଥମ କରି ଅତ୍ୟାଧୁନିକ ଇଲୋକ୍ଟ୍ରୋକଟରି ସର୍ଜିକାଲ୍ ପଦ୍ଧତିରେ ବନ୍ଧ୍ୟାକରଣ ହେଉଛି।

Advertisment

କିନ୍ତୁ ଚଳିତବର୍ଷ ବନ୍ଧ୍ୟାକରଣ ସହ କୁକୁରଙ୍କ ଗଣତି କରିବାକୁ ବିଏମ୍‌ସି ଯେଉଁ ନିଷ୍ପତ୍ତି ନେଇଥିଲା, ତାହା ଆଜି ପର୍ଯ୍ୟନ୍ତ ହୋଇପାରିନି। କେବଳ ଆକଳନ ଅନୁସାରେ କୁକୁର ବନ୍ଧ୍ୟାକରଣ ଚାଲିଛି। ଫଳରେ ୱାର୍ଡୱାରି କୁକୁର ବନ୍ଧ୍ୟାକରଣ ବିଫଳ ହୋଇପାରେ ବୋଲି କୁହାଯାଉଛି। ବର୍ଷା କାରଣରୁ କୁକୁର ଗଣତି ସମ୍ଭବ ହେଉନି। ବର୍ଷାଋତୁ ପରେ କୁକୁର ଗଣତି ଆରମ୍ଭ ହେବ ବୋଲି ବିଏମ୍‌ସି ସଫେଇ ଦେଇଛି।
ବିଏମ୍‌ସି କର୍ତ୍ତୃପକ୍ଷ ଚଳିତବର୍ଷ ପ୍ରଥମ ଥର ପାଇଁ ବୁଲା କୁକୁରଙ୍କ ଆଖିଦେଖା ଗଣତି ପାଇଁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ୬୭ ୱାର୍ଡରେ ଗଣନା କରି କେଉଁ ଅଞ୍ଚଳରେ କେତେ ବୁଲା କୁକୁର ଅଛନ୍ତି, ତାହାର ସଂଖ୍ୟା ଜାଣିବା ପରେ ସେହି ଅନୁଯାୟୀ ବନ୍ଧ୍ୟାକରଣ କରିବାକୁ ଯୋଜନା କରିଥିଲା। କେବଳ କୁକୁର ଗଣତିରେ ୧୧ଲକ୍ଷ ୯୫ହଜାର ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଥିଲା, ଯାହାକୁ କର୍ପୋରେସନ୍ ବି ମଞ୍ଜୁରି ଦେଇଛି।

ନିଷ୍ପତ୍ତି ଅନୁଯାୟୀ, ସଫେଇରେ ନିୟୋଜିତ ସ୍ବଚ୍ଛସାଥୀ, ସୁପରଭାଇଜର, ଏସ୍‌ଏମ୍‌ଟିଏ, ଏସ୍‌ଆଇ, ଡିଇଓ ଏହି ଗଣନା କରିଥା’ନ୍ତେ। ଦିନରେ କୁକୁର ଗଣନା ସମ୍ଭବପର ହେଉନ ଥିବାରୁ ଭୋର୍‌ ସମୟରେ ଏମାନେ ଶୋଇଥିବା ବେଳେ ନିୟୋଜିତ କର୍ମଚାରୀମାନେ କୁକୁର ଗଣନା କରିଥା’ନ୍ତେ। ଗଣନାର ଭିଡିଓଗ୍ରାଫି ଓ ଫଟୋଗ୍ରାଫି ବି କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। କେଉଁ ଗଳିରେ କେତେ କୁକୁର ରହୁଛନ୍ତି, ତା’ର ହିସାବ ଦେବା ପରେ ସେହି ଅନୁଯାୟୀ କୁକୁର ଧରା ଓ ବନ୍ଧ୍ୟାକରଣ ଟିମ୍ ପ୍ରସ୍ତୁତ ହେବ ବୋଲି କୁହାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ କୁକୁର ଗଣନା ଆରମ୍ଭ ହୋଇନି। ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି, ବର୍ଷା ହେଉଥିବାରୁ ରାସ୍ତାଘାଟରେ ବୁଲୁଥିବା କୁକୁରଙ୍କୁ ପାଇବା କଷ୍ଟକର। ଏଣୁ ବର୍ଷା ଛାଡ଼ିବା ପରେ କୁକୁର ଗଣତି କରିବାକୁ ଯୋଜନା କରାଯାଇଛି। ଆପାତତଃ ସେପ୍ଟେମ୍ବରରୁ ଆମେ କୁକୁର ଗଣତି ଆରମ୍ଭ ହେବ। ଅନ୍ୟପଟେ ଯେଉଁ କୁକୁରଙ୍କ ବନ୍ଧ୍ୟାକରଣ ସରିଛି, ସେମାନଙ୍କୁ ଚିହ୍ନଟ କରିବା ପାଇଁ ସେମାନଙ୍କ କାନରେ ତିନିକୋଣିଆ କଟିଂ ଚିହ୍ନ ଦେଇଛୁ। ଏଣୁ ବନ୍ଧ୍ୟାକରଣ ବେଳେ କୌଣସି ଅସୁବିଧା ହେବନି। କାନ କଟିଂରୁ ସହଜରେ ଚିହ୍ନଟ କରି କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇପାରିବ। ସୂଚନାଯୋଗ୍ୟ ଯେ ବିଏମ୍‌ସି ପକ୍ଷରୁ ହାଇଦ୍ରାବାଦର ଭେଟ୍ସ ସୋସାଇଟି ଫର୍ ଆନିମଲ୍ ୱେଲ୍‌ଫେୟାର୍‌ ଆଣ୍ଡ୍ ରୁରାଲ୍ ଡେଭଲପ୍‌ମେଣ୍ଟ ସଂସ୍ଥାକୁ କୁକୁର ବନ୍ଧ୍ୟାକରଣ ଦାୟିତ୍ବ ଦିଆଯାଇଛି। ୩ ମାସ ଭିତରେ ସଂପୃକ୍ତ ସଂସ୍ଥା ୧୪୫୬ଟି ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରିଛି। ପ୍ରାୟ ୭୦ହଜାର କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ସଂପୃକ୍ତ ସଂସ୍ଥା ସହ ୩ ବର୍ଷର ଚୁକ୍ତି ହୋଇଛି। ପ୍ରତି ମାସରେ ୨ହଜାର ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରିବାକୁ ଟାର୍ଗେଟ୍ ଦିଆଯାଇଛି।