ଦେଶର ସମସ୍ତ ଭାଷାକୁ ଭାରତୀୟ ଭାଷା କୁହାଯାଉ: ପେରୁମଲ୍

ଭୁବନେଶ୍ବର: ହିନ୍ଦୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଭାଷାକୁ ଆଞ୍ଚଳିକ ଭାଷା ଭାବେ ବର୍ଣ୍ଣନା କରାଯାଉଛି। ଭାରତ ଏକ ବିବିଧତାର ଦେଶ। ତେଣୁ ଦେଶର ସମସ୍ତ ଭାଷାକୁ ଭାରତୀୟ ଭାଷା କୁହାଯାଉ ବୋଲି କହିଛନ୍ତି ବିଶିଷ୍ଟ ତାମିଲ୍ ଲେଖକ ପେରୁମଲ୍ ମୁରୁଗାନ୍। ମହୋତ୍ସବରେ ଅତିଥି ଭାବେ ଯୋଗଦେଇ ଶ୍ରୀ ମୁରୁଗାନ୍ କହିଥିଲେ, ବଙ୍ଗଳା ଭାଷାର ଅନେକ ସାହିତ୍ୟ ତାମିଲ୍‌ରେ ଅନୁଦିତ ହୋଇଛି। କିନ୍ତୁ ଖୁବ୍‌ କମ୍‌ ଓଡ଼ିଆ କିମ୍ବା ଅହମିୟା ସାହିତ୍ୟ ତାମିଲ୍‌କୁ ଅନୁଦିତ ହୋଇଛି। ଏଭଳି ପରିସ୍ଥିତିରେ ଏମିତି ଏକ ବ୍ୟବସ୍ଥା ସୃଷ୍ଟି କରାଯାଉ, ଯାହାଦ୍ବାରା ଯେକୌଣସି ଭାଷା ଅନ୍ୟ ଭାଷାକୁ ସିଧାସଳଖ ଅନୁଦିତ ହୋଇପାରିବ। ଫଳରେ ଲୋକମାନେ ନିଜ ଭାଷା ବାଦ୍ ଅନ୍ୟ ଭାଷାର ସାହିତ୍ୟକୁ ପଢ଼ି ପାରିବେ ବୋଲି ଶ୍ରୀ ମୁରୁଗାନ୍ କହିଥିଲେ।

ଅନ୍ୟତମ ଅତିଥି ବିଶିଷ୍ଟ ଅର୍ଥନୀତିଜ୍ଞ ଲର୍ଡ ମେଘନାଦ ଦେଶାଇ କହିଲେ, ପ୍ରତ୍ୟେକ ମଣିଷ ନିଜ ଭାଷାକୁ ବାଦ୍ ଦେଲେ ଅନ୍ୟ ଭାଷାରୁ ଅନେକ କିଛି ଶିକ୍ଷା ହାସଲ କରିପାରିବ। ସାହିତ୍ୟ ଉତ୍ସବ ସାଂସ୍କୃତିକ ଭାବ ବିନିମୟରେ ବିଶେଷ ସହାୟକ ହୋଇପାରିଥାଏ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲର କର୍ପୋରେଟ୍ ସେବା ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ ଉପସ୍ଥିତ ଥିଲେ। ଭୁବନେଶ୍ବର ସାହିତ୍ୟ ମହୋତ୍ସବର ନିର୍ଦେଶିକା ମାଳବିକା ବାନାର୍ଜୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଦ୍ବିତୀୟ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ବାସନ୍ତୀ’। ଏଥିରେ ଚନ୍ଦ୍ରହାସ ଚୌଧୁରୀଙ୍କ ସହ ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର, ହିମାଂଶୁ ମହାପାତ୍ର ଓ ମାଳବିକା ରାୟ ଆଲୋଚନା କରିଥିଲେ। ତୃତୀୟ ଅଧିବେଶନରେ ଯତୀନ୍ଦ୍ର ନାୟକଙ୍କ ସହିତ ଏସ୍‌.ଏନ୍‌ ସାହୁ ଓ ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ ‘ଗାନ୍ଧୀ ଓ ଇନ୍‌କ୍ଲୁଜନ୍‌’ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଶେଷ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ଇସ୍ ଜମାନେ କା ଇସ୍କ, ଉସ୍ ଜମାନେ କେ ନଗମେ’। ଏଥିରେ ସୁରେନ୍ଦ୍ର ମୁଲିକ୍ ଓ ସୌମ୍ୟଜିତ ଦାସ ୟୁଟ୍ୟବ୍ ସେନସେସନ୍‌ ପ୍ରିୟା ମଲ୍ଲିକଙ୍କ ସହ ଆଲୋଚନା‌‌ରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର