ଜମି ବିକିବା ବାହାନାରେ ୨୫ ଲକ୍ଷ ଚଳୁ, ଧୂର୍ତ୍ତ ଦମ୍ପତି ଗିରଫ

ଚନ୍ଦ୍ରଶେଖରପୁର : ପ୍ରଥମେ ଜମି ବିକିବା ବାବଦରେ ଅଗ୍ରୀମ ନେଇ ଯାଉଥିଲେ। ପରେ ଜମିରେ ଝିଆଣିଆ ଭାଗ ଥିବା ବାହାନା କରି ଜମି ରେଜିଷ୍ଟ୍ରି କରୁନଥିଲେ କି ଅଗ୍ରୀମ ନେଇଥିବା ଟଙ୍କା ଫେରାଉ ନଥିଲେ। ରାଜଧାନୀ ଉପକଣ୍ଠରେ ଥିବା ଏକ ପ୍ଲଟକୁ ଦେଖାଇ ବିକିବା ନାଁରେ ଏମିତି ବିଭିନ୍ନ ଲୋକଙ୍କୁ ଠକୁଥିବା ଏକ ଧୂର୍ତ୍ତ ଦମ୍ପତିଙ୍କ ଚାଲ୍‌ ଶେଷରେ ଧରାପଡ଼ିଯାଇଛି। ଆଜି ଇନ୍‌ଫୋସିଟି ଥାନା ପୁଲିସ ସେମାନଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦମ୍ପତି ହେଲେ ବାରଙ୍ଗ ପଦାସାହି ଅଞ୍ଚଳରେ ରହୁଥିବା କଟକ ବାଲିଚନ୍ଦ୍ରପୁରର ରାମଚନ୍ଦ୍ର ସାମନ୍ତରାୟ ଓ ଟୁନି ସାମନ୍ତରାୟ। ପଟିଆ କଳାରାହାଙ୍ଗ ଅଞ୍ଚଳର ଗାୟତ୍ରୀ ମହାରଣାଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

ସୂଚନାନୁସା‌ରେ ପ୍ରାୟ ୭ ମାସ ପୂର୍ବେ ରାମଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ଟୁନି ଗାୟତ୍ରୀଙ୍କୁ ଏକ ଜମି ବିକିବା ପାଇଁ କଥା ହୋଇଥିଲେ। ପଟିଆ ଅଞ୍ଚଳରେ ଥିବା ଉକ୍ତ ଜମିକୁ ୩୬ ଲକ୍ଷ ଟଙ୍କାରେ ବିକିବେ ବୋଲି କଥା ଛିଡ଼ିଥିଲା। ସେମାନେ ଗାୟତ୍ରୀଙ୍କଠାରୁ ପ୍ରଥମେ ୨୫ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ ଓ ରେଜିଷ୍ଟ୍ରି କରିବା ଦିନ ବାକି ଟଙ୍କା ନେବେ ବୋଲି ଚୁକ୍ତି ହୋଇଥିଲା। ଅବଶିଷ୍ଟ ୧୧ ଲକ୍ଷ ଟଙ୍କା ଯୋଗାଡ଼ କରି ଗାୟତ୍ରୀ ସେମାନଙ୍କୁ ଜମି ରେଜିଷ୍ଟ୍ରି କରିବାକୁ ଡାକିବା ପରେ ସେମାନେ ପେଞ୍ଚ ବାହାର କରିଥିଲେ। ଉକ୍ତ ପ୍ଲଟରେ ଏକ ଝିଆଣିଆ ଭାଗ ରହିଛି ‌ବୋଲି ରେଜିଷ୍ଟ୍ରିରେ ସମସ୍ୟା ହେଉଥିବା କହିଥିଲେ। ବିବାଦୀୟ କଥା ଉଠିବା ପରେ ଗାୟତ୍ରୀ ସେମାନଙ୍କୁ ଟଙ୍କା ଫେରାଇ ଦେବାକୁ କହିଥିଲେ। କିନ୍ତୁ ବିଭିନ୍ନ ବାହାନା କରି ସେମାନେ ଦିନ ଗଡ଼ାଇ ଚାଲିଥିଲେ। ପରେ ପଦାସାହି ଛାଡ଼ି ଫେରାର୍ ହୋଇ ଯାଇଥିଲେ। ଏନେଇ ଗାୟତ୍ରୀ ଇନ୍‌ଫୋସିଟି ଥାନାର ଦ୍ବାରସ୍ଥ ହେବା ପରେ ପୁଲିସ ରାମଚନ୍ଦ୍ର ଓ ଟୁନିଙ୍କୁ ଖୋଜି ଖୋଜି ବାଲିଚନ୍ଦ୍ରପୁରରେ ଠାବ କରିଥିଲା। ଗତକାଲି ରାତିରେ ପୁଲିସ ବାଲିଚନ୍ଦ୍ରପୁରରେ ଅତର୍କିତ ଚଢ଼ଉ କରି ସେମାନଙ୍କୁ ଉଠାଇ ଆ‌ଣିଥିଲା। ଏହି ଦମ୍ପତି ଉକ୍ତ ପ୍ଲଟ୍‌କୁ ଦେଖାଇ ଏମିତି ଝିଆଣିଆ ଭାଗ ବାହାନାରେ ଆଉ କିଛି ଲୋକଙ୍କୁ ଠକିଥିବା ଜଣାପଡ଼ିଛି। ଏ ନେଇ ଅଭିଯୋଗ ଆସିଲେ ଆଉ ଅଧିକ ମାମଲା ରୁଜୁ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର