ଭୁବନେଶ୍ବର : ଘରୋଇ ସହାୟିକା ଭାବେ ଖଟୁଥିବା ନାବାଳିକାଙ୍କୁ ମାଡ଼ ମାରି ରାସ୍ତା କଡ଼ରେ ଫିଙ୍ଗିଦେବା ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ଘର ମାଲିକ ବିଭୂତି ପାଟ୍ଟଶାଣୀ ଓ ତାଙ୍କ ପତ୍ନୀ ସୋନାଲି ପାଟ୍ଟଶାଣୀଙ୍କୁ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ଫେରାର୍ ଅଛନ୍ତି ଏବଂ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ଚଢ଼ଉ ଜାରି ରଖିଛି।
ବୁଧବାର ଦିନ ପୀଡ଼ିତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରୁ ଏକ ସେଲ୍ଟର ହୋମ୍କୁ ନିଆଯାଇଛି। ସେଠାରେ ଚାଇଲ୍ଡ ଲାଇନ ଅଧିକାରୀ ଇତିଶ୍ରୀ ଦାସ କାଉନ୍ସେଲିଂ କରୁଛନ୍ତି। ନାବାଳିକାଙ୍କ ସୂଚନାନୁସାରେ ବାପା ସେମାନଙ୍କୁ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି। ଏବେ ମା’ଙ୍କ କୋଳରେ ଦେଢ ବର୍ଷର ଶିଶୁ। ଏହାବାଦ୍ ସେ ମଧ୍ୟ ନିଜେ ରୋଜଗାର କରିପାରନ୍ତିନାହିଁ। ୫ ଭାଇ, ଭଉଣୀଙ୍କ ଲାଳନ ପାଳନ ପାଇଁ ବଳି ପଡ଼ିଛନ୍ତି ବଡ଼ ତିନି ଝିଅ। ଏହି ପୀଡ଼ିତାଙ୍କ ଦୁଇ ବଡ଼ ଭଉଣୀ (୧୪ ଓ ୧୨ ବର୍ଷିୟା) ମଧ୍ୟ ଏମିତି ଘରୋଇ ସହାୟିକା ଭାବେ କାମ କରୁଛନ୍ତି। ତେବେ ସେମାନେ କେଉଁଠି କାମ କରୁଛନ୍ତି ବୋଲି ମା’ ମୁହଁ ଖୋଲୁନଥିବାରୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଉଦ୍ଧାର କରାଯାଇନାହିଁ। ଖୁବ ଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ଚାଇଲ୍ଡ ଲାଇନ ନିର୍ଦେଶକ ବେଣୁଧର ସେନାପତି କହିଛନ୍ତି। ଝିଅଟି ଅଧାରୁ ପାଠପଢ଼ା ଛାଡ଼ିଥିବାରୁ ତାକୁ ପୁଣି ସ୍କୁଲ୍ରେ ପଢ଼ିବାକୁ ସୁଯୋଗ ଦିଆଯିବ ବୋଲି ଚାଇଲ୍ଡ ଲାଇନ ବ୍ୟବସ୍ଥା କରୁଛି।
ସୂଚନାଯୋଗ୍ୟ, ଅଭିଯୁକ୍ତ ଦମ୍ପତି ବିଭୂତି ଓ ସୋନାଲି ବେଆଇନ ଭାବେ ଏହି ୧୧ ବର୍ଷିୟା ନାବାଳିକାଙ୍କୁ ଘରେ ରଖି କାମ କରାଉଥିଲେ। ସାମାନ୍ୟ ଭୁଲ୍ଭଟକାରେ ତାଙ୍କୁ ନିଷ୍ଠୁର ଭାବେ ଶାରୀରିକ ନିର୍ଯାତନା ଦେଉଥିଲେ। ମଙ୍ଗଳବାର ଏହି ନୃଶଂସ ଦମ୍ପତ୍ତିଙ୍କ ନିର୍ଯାତନା ସବୁ ସୀମା ଟପିଯାଇଥିଲା। ନିରୀହ ନାବାଳିକାକୁ ନିସ୍ତୁକ ମାଡ଼ ମାରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ। ନାବାଳିକାର ଛାତି, ହାତ, ଗୋଡ଼ ଆଦି ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା ଏବଂ ସେ ରାସ୍ତା କଡ଼ରୁ ଉଠିପାରିନଥିଲେ। ସ୍ଥାନୀୟଲୋକଙ୍କଠାରୁ ଖବର ପାଇ ଚାଇଲ୍ଡ ଲାଇନ ନାବାଳିକାକୁ ଉଦ୍ଧାର କରିଥିଲେ। ରାତାରାତି ନୂଆପଲ୍ଲୀ ଥାନା ପୁଲିସ ଇନ୍ଫୋଭ୍ୟାଲି ଥାନା ମଦନପୁର କାଇମାଟିଆରେ ଚଢ଼ଉ କରି ବିଭୂତିଙ୍କୁ ଉଠାଇଥିବା ବେଳେ ଆଜି ତାଙ୍କ ସ୍ତ୍ରୀ ସୋନାଲିଙ୍କୁ ଗିରଫ କରିଥିଲା।