ପୁରୁଣା ପୋଥି ସଂଗ୍ରହ‌ରେ ବ୍ରତୀ ଦମ୍ପତି

ଭୁବନେଶ୍ବର: କାଗଜର ଉଦ୍ଭାବନ ପୂର୍ବରୁ, ଉତ୍ତରପିଢ଼ି ପାଇଁ ଜ୍ଞାନର ଭଣ୍ଡାର ସାଇତି ରଖିବାର ଏକମାତ୍ର ମାଧ୍ୟମ ଥିଲା ତାଳପତ୍ର ପୋଥି। ଲୁହା ଲେଖନୀ ସାହାଯ୍ୟରେ ବଡ଼ କଷ୍ଟରେ ସେହି ସବୁ ପୋଥି ରଚନା କରାଯାଉଥିଲା। ଟିକିଏ ଅସାବଧାନ ହେଲେ, ତାଳପତ୍ର ଫାଟି ଯିବାର ଭୟ ରହୁଥିଲା। ସେହିପରି ଠିକ୍‌ ଭାବେ ସଂରକ୍ଷଣ କରା ନଗଲେ, ସେଥିରେ ଊଈ ଲାଗି ନଷ୍ଟ ହେବାର ମଧ୍ୟ ଭୟ ଥିଲା। ସେହି ସବୁ ଦୁର୍ଲ୍ଲଭ ପୋଥି ଏବେ ଆମକୁ ଆମ ପ୍ରାଚୀନ ଇତିହାସ, ସାହିତ୍ୟ, ସେତେବେଳର ରାଜନୀତି, ସାମାଜିକ ଚାଲିଚଳଣି, ରୀତିନୀତି ଆଦି ସଂପର୍କରେ ବହୁତ କିଛି ସୂଚନା ଦେଉଛି। ଓଡ଼ିଆ ଲିପିରେ ଲେଖା ହୋଇଥିବା ଏମିତି ଅନେକ ପୋଥି ଇତିହାସ ଗର୍ଭରେ ଲୀନ ହୋଇଯାଇଥିବା ବେଳେ ବହୁ ପୋଥି ଅନାବିଷ୍କୃତ ହୋଇ ରହିଛି। ଓଡ଼ିଶା ସମେତ ବାହାର ରାଜ୍ୟ ଓ ବିଦେଶରେ ଏସବୁ ପୋଥିର ସନ୍ଧାନ ମିଳୁଛି। ସେଭଳି ପୋଥିକୁ ଆବିଷ୍କାର କରି ସେଥିରେ ବର୍ଣ୍ଣିତ ବିଷୟବସ୍ତୁକୁ ଲୋକଲୋଚନକୁ ଆଣିବା ପାଇଁ ଭୁବନେଶ୍ବରର ଏକ ଦମ୍ପତି ଚେଷ୍ଟା ଚଳାଇଛନ୍ତି।

ଏହି ନିଆରା ପ୍ରୟାସ କରୁଥିବା ଦମ୍ପତି ହେଲେ, ଭୁବନେଶ୍ବର ଜଗନ୍ନାଥନଗରସ୍ଥିତ ମହାଦେବ ଆଭିନ୍ୟୁରେ ରହୁଥିବା ଅବସରପ୍ରାପ୍ତ ସଂସ୍କୃତ ପ୍ରଫେସର୍‌ ସିନିରୁଦ୍ଧ ଦାଶ ଓ ତାଙ୍କ ପତ୍ନୀ ମମତା ମିଶ୍ର। ‘ପାଣିନି ଶିକ୍ଷା ଏବଂ ସଂସ୍କୃତି’ ଅନୁଷ୍ଠାନ ମାଧ୍ୟମରେ ସେ ନିରବଚ୍ଛିନ୍ନ ଭାବେ ଏହି ପୋଥିଗୁଡ଼ିକର ଅନୁସନ୍ଧାନ କରିବା ସହ ସଂରକ୍ଷଣ କାର୍ଯ୍ୟ କରୁଛନ୍ତି। ଏହାସହ ଦୁହେଁ ପୋଥିଗୁଡ଼ିକର ଏକ ବିବରଣାତ୍ମକ ସୂଚୀ ପ୍ରସ୍ତୁତ କରୁଛନ୍ତି। ତାଙ୍କର ଏହି ଉଦ୍ୟମ ଐତିହାସିକ, ଗବେଷକ ଓ ଭବିଷ୍ୟତ ପିଢ଼ିଙ୍କୁ ସହାୟତା ହୋଇପାରିବ। ଏହାସହ ଆମ ଇତିହାସକୁ ଆମେ ସଂରକ୍ଷିତ କରି ରଖିପାରିବା ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ଏହି ଦମ୍ପତି ରାଜ୍ୟ ସଂଗ୍ରହାଳୟରୁ ୫୭୮୭, ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ୧୧୬୯, ଉତ୍କଳ ବିଶ୍ବବିଦ୍ୟାଳୟରୁ ୧୧୧, ପଶ୍ଚିମବଙ୍ଗ ଶାନ୍ତି ନିକେତନରୁ ୧୧, ଅହମ୍ମଦାବାଦ ‘ତତ୍ତ୍ବଜ୍ଞାନଶାଳା’ ପାଠଗାରରୁ ୧୭୦୫, ବୃନ୍ଦାବନ ଜୀବବିଜ୍ଞାନ ପ୍ରତିଷ୍ଠାନରୁ ୧୫, ବ୍ରଜ ସଂସ୍କୃତି ସୌଧ ସଂସ୍ଥାରୁ ୨୦ ଓ ବୃନ୍ଦାବନ ଗବେଷଣା ପ୍ରତିଷ୍ଠାନରୁ ୨୫୦ ପୋଥିର ସନ୍ଧାନ ପାଇବାରେ ସକ୍ଷମ ହୋଇଛନ୍ତି। ପୋଥିଗୁଡ଼ିକୁ ଦୁହେଁ ତନ୍ନତନ୍ନ କରି ଅନୁଧ୍ୟାନ କରିବା ସହ ତାହାର ବିଷୟବସ୍ତୁ ଉପରେ ଏକ ବିବରଣାତ୍ମକ ସୂଚୀ ପ୍ରସ୍ତୁତ କରିଛନ୍ତି। ସେଥିମଧ୍ୟରୁ କିଛି ଉଲ୍ଲେଖନୀୟ ପୋଥି ହେଲା, ଜଗନ୍ନାଥ ଦାସଙ୍କ ଭାଗବତ, ମହାଭାରତ, ଆୟୁର୍ବେଦ, ଅଥର୍ବ ବେଦ ସଂହିତା, ସୂର୍ଯ୍ୟପୂଜା ବିଧି ଇତ୍ୟାଦି। ପରିଣତ ବୟସରେ ଦମ୍ପତିଙ୍କ ଏହି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଉଛି।

ବିବରଣାତ୍ମକ ସୂଚୀ ପ୍ରସ୍ତୁତ କରୁଛନ୍ତି
ଓଡ଼ିଆ ଲିପିରେ ଲିଖିତ ପୋଥିକୁ ବିଶେଷ ଗୁରୁତ୍ବ

ଦୀର୍ଘ ବର୍ଷ ଧରି ରାଜ୍ୟ ସଂଗ୍ରହାଳୟରେ ପୋଥି ବିଭାଗରେ କାର୍ଯ୍ୟ କରିଥିବା ଶ୍ରୀମତୀ ମିଶ୍ର ୨୫ବର୍ଷ ତଳେ ସ୍ବେଚ୍ଛାକୃତ ଅବସର ଏହି କ୍ଷେତ୍ରରେ ନିଜକୁ ବ୍ରତୀ ରଖିଛନ୍ତି। ଓଡ଼ିଆରେ ଲିଖିତ ପୁରୁଣା ପୋଥିକୁ ପଢ଼ି ତାହାର ସାରମର୍ମ ବାହାର କରିବାରେ ସେ ସିଦ୍ଧହସ୍ତ। ଶ୍ରୀ ଦାଶ ମଧ୍ୟ ମାଡ୍ରାସ୍ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରିବା ସମୟରେ ପାଲି, ପ୍ରାକୃତ ଓ ସଂସ୍କୃତ ଭାଷାରେ ଲିଖିତ ତାମ୍ରଲିପି, ପଥର ଖୋଦେଇ ଲିପି ଓ ତାଳପତ୍ର ପୋଥିର ବିବରଣାତ୍ମକ ସୂଚୀ ପ୍ରସ୍ତୁତ କରିଥିଲେ। ଦୀର୍ଘ ୨୫ ବର୍ଷ ମଧ୍ୟରେ ସେ ଏହିଭଳି ପ୍ରାୟ ୨୮ ଖଣ୍ଡ (୧୫-୪୨) ଗ୍ରନ୍ଥସୂଚୀର ସଂପାଦନା କରିଛନ୍ତି, ଯାହା ମାଡ୍ରାସ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ। ସେଠାରୁ ଅବସର ନେବା ପରେ ସେ ଓଡ଼ିଶା ଆସି ପତ୍ନୀଙ୍କ ସହ ମିଶି ଓଡ଼ିଆ ଲିପିର ତାଳପତ୍ର ପୋଥି ସନ୍ଧାନ କରିଥିଲେ। ଏହି ଦମ୍ପତି ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁତଗୁଡ଼ିଏ ଓଡ଼ିଆ ଲିପି ପୋଥିର ସନ୍ଧାନ କରିବା ସହ ତାହାର ବିବରଣାତ୍ମକ ସୂଚୀ ପ୍ରସ୍ତୁତ କରିଛନ୍ତି। ସେହିଭଳି ରାଜ୍ୟ ବାହାରେ ମଧ୍ୟ ଏଭଳି ପୋଥିର ଅନୁସନ୍ଧାନ ଚଳାଇଛନ୍ତି। ଓଡ଼ିଶାରେ ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ପାଖରେ ଏଭଳି ପୁରୁଣା ପୋଥି ରହିଛି, ତେବେ ତାଙ୍କୁ ଯୋଗାଯୋଗ କରିବାକୁ ଶ୍ରୀ ଦାଶ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର