ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଖଣ୍ଡଗିରି : ବରମୁଣ୍ଡା ଓଭରବ୍ରିଜ୍ ଉପରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ବୁରୁପାଲୁ ଗାଁର ଉପେନ୍ଦ୍ର ନାୟକ(୫୯) ଓ ତାଙ୍କ ପତ୍ନୀ ଲତା ନାଏକ(୫୫)। ଘଟଣାସ୍ଥଳରେ ଲତାଙ୍କ ମୃତ୍ୟୁ ଘଟିଥିବାବେଳେ ଉପେନ୍ଦ୍ରଙ୍କୁ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବା ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଠାବ କରିବା ପାଇଁ ଖଣ୍ଡଗିରି ଥାନା ପୁଲିସ ଉଦ୍ୟମ କରୁଛି।

ସୂଚନାନୁସାରେ ଉପେନ୍ଦ୍ର ସଚ୍ଚିବାଳୟ ମାର୍ଗ ସ୍ଥିତ ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏଜୁକେସନ୍‌ରେ ଚାକିରି କରୁଥିଲେ। କୌଣସି ଜରୁରୀ କାମରେ ଉଭୟ ପତି-ପତ୍ନୀ ମଙ୍ଗଳବାର ଗାଁକୁ ଯାଇଥିଲେ। ଆଜି ସକାଳୁ ସକାଳୁ ଭୁବନେଶ୍ବର ଫେରୁଥିଲେ। ସେମାନେ ବରମୁଣ୍ଡା ଓଭରବ୍ରିଜ୍ ଉପରେ ପହଞ୍ଚିଥିବାବେଳେ ପଛରୁ ଦ୍ରୁତବେଗରେ ଯାଉଥିବା ଏକ ଟ୍ରକ୍‌ ତାଙ୍କ ବାଇକ୍‌ (ଓଡି୦୨ଏଫ୍-୬୧୬୭)କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ ପଛରେ ବସିଥିବା ଲତା ସିଧା ଟ୍ରକ୍ ଚକା ତଳେ ପଡ଼ି ଯାଇଥିଲେ। ଟ୍ରକ୍‌ ତାଙ୍କ ଉପରେ ମାଡ଼ି ପଳାଇଥିଲା।ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଉପେନ୍ଦ୍ର ମଧ୍ୟ ବାଇକ ସହ ରାସ୍ତା ଉପରେ କଚାଡ଼ି ହୋଇ ପଡ଼ିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଖବରପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରୁ ପ୍ରଥମେ ଉପନ୍ଦ୍ରେଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥି‌ଲା। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବାବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ଟ୍ରକ୍‌ଟି ଦ୍ରୁତବେଗରେ ସେଠାରୁ ଫେରାର୍ ହୋଇ ଯାଇଥିଲା। ଏତେ ଲୋକଙ୍କ ଉପସ୍ଥିତି ସତ୍ବେ କେହି ବି ଟ୍ରକ୍‌କୁ ପିଛା କରି ନଥିଲେ। ତେବେ ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା।

ସମ୍ବନ୍ଧିତ ଖବର