ବନ୍ଦ ଘରୁ ନବ ଦମ୍ପତିଙ୍କ ମୃତଦେହ ମିଳିବା ଘଟଣା : ପତ୍ନୀଙ୍କୁ ଗଳା ଚିପି ମାରିବା ପରେ ସ୍ବାମୀ କରିଥିଲା ଆତ୍ମହତ୍ୟା

ବିବାହ ପରେ ସମ୍ପର୍କରେ ଆସିଥିଲା ତିକ୍ତତା

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ଥାନା ଅଧୀନ କପିଳେଶ୍ୱର କୁମ୍ଭାର ସାହିରେ ବନ୍ଦ ଘରୁ ନବଦମ୍ପତି ରାକେଶ ରାଉତ ଓ ମୀନାକ୍ଷୀଙ୍କ ମୃତଦେହ ମିଳିବା ଘଟଣାରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ପତ୍ନୀ ମୀନାକ୍ଷୀଙ୍କୁ ପ୍ରଥମେ ଗଳା ଚିପି ହତ୍ୟା କରିବା ପରେ ରାକେଶ ଆତ୍ମହତ୍ୟା କରିଥିବା ସନ୍ଦେହ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଶବ ବ୍ୟବଚ୍ଛେଦ ପରେ ଏ କଥା ଜଣାପଡ଼ିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏକ ପତଳା ରଶି କିମ୍ବା କୌଣସି ଲୁଗାର ଧଡ଼ି ସାହାଯ୍ୟରେ ପ୍ରଥମେ ମୀନୀକ୍ଷୀଙ୍କ ଗଳାକୁ ଜୋରରେ ଚିପା ଯାଇଛି। ଶ୍ବାସରୁଦ୍ଧ ହୋଇ ଘଟଣାସ୍ଥ​ଳରେ ହିଁ ପ୍ରାଣ ହରାଇଛନ୍ତି ମୀନାକ୍ଷୀ। ତାଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ହେଉ କିମ୍ବା ପୂର୍ବ ପ୍ରସ୍ତୁତି ଅନୁଯାୟୀ ରାକେଶ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହେବାରେ ଲାଗିଛି। ପୁଲିସ ହାତରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଲାଗି ନ ଥିବାରୁ ଏ ନେଇ କେହି ମୁହଁ ଖୋଲି ନାହାନ୍ତି। କିନ୍ତୁ ପତ୍ନୀଙ୍କୁ ହତ୍ୟା ପରେ ରାକେଶ ଆତ୍ମହତ୍ୟା କରିବା ନେଇ ଆରମ୍ଭରୁ ପୁଲିସ ସନ୍ଦେହ କରୁଥିଲା। ଘଟଣା ଦିନ ମୀନାକ୍ଷୀଙ୍କ ବେକରେ ଏକ କଳାଦାଗ ରହିଥିଲା ଓ ମୃତଦେହ ଖଟ ଉପରେ ପଡ଼ିଥିଲା। ରାକେଶଙ୍କର ଝୁଲନ୍ତା ଶବ ମଧ୍ୟ ଉଦ୍ଧାର କରା ଯାଇଥିଲା। ପାରିପାର୍ଶ୍ବିକ ପରିସ୍ଥିତିରୁ ହତ୍ୟା ପରେ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଥିଲା।

ଅନ୍ୟପକ୍ଷରେ ରାକେଶ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ବିବାହ ପରେ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଭଲ ପଡ଼ୁନଥିଲା। ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ଏପରିକି ଅନେକ ସମୟରେ ଝଗଡ଼ା ହେଉଥିଲା। ଘଟଣାଦିନ ସେମାନଙ୍କ ମଧ୍ୟରେ ମାରପିଟ୍ ଓ ଧସ୍ତାଧସ୍ତି ହୋଇଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ପୁଲିସ ହାତରେ ପ୍ରମାଣ ଲାଗିଥିଲା। ଦମ୍ପତିଙ୍କ ସମ୍ପର୍କ ତିକ୍ତତା ପଛରେ କ’ଣ ରହିଛି କାରଣ? କାହିଁକି ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା? ନବବିବାହିତ ହୋଇଥିଲେ ବି କାହିଁକି ଖୁସି ନ ଥିଲେ ତାହାର କାରଣ ଖୋଜୁଛି ପୁଲିସ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆହୁରି ଆଗକୁ ବଢିବ ବୋଲି ଜଣେ ଅଧିକାରୀ କହିଛନ୍ତି। ରାକେଶଙ୍କ ମୃତ୍ୟୁ ପରେ ଅଲ୍‌ ନିଉଜ ପେପର ସୋସିଆଲ୍‌ ୱେଲଫେୟାର ଆସୋସିଏସନ୍‌ର ପୁରୁଣା ଭୁବନେଶ୍ୱର ଜୋନ୍‌ ପକ୍ଷରୁ ଶ୍ରୀଲିଙ୍ଗରାଜ ମାର୍କେଟ କମ୍ପେ୍ଲକ୍ସ ଠାରେ ଏକ ସ୍ମୃତିସଭା ଆୟୋଜନ କରାଯାଇଥିଲା। ଏଥିରେ ସମସ୍ତ ଖବରକାଗଜ ହକରମାନେ ଏକାଠି ହୋଇ ସମବେଦନା ଜଣାଇଥିଲେ। ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ବନ୍ଦ ଘର ଭିତରୁ ରାକେଶ ଓ ମୀନାକ୍ଷୀଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା। ନବଦମ୍ପତିଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

ସମ୍ବନ୍ଧିତ ଖବର