ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର ଘଟଣା : ଗର୍ଭବତୀ ସ୍ତ୍ରୀର ତଣ୍ଟି ଚିପି ଦେଇଥିଲା

ନିଜେ ଆତ୍ମହତ୍ୟା କଲା, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ଥାନା ଅଧୀନ କପିଳେଶ୍ୱର କୁମ୍ଭାର ସାହିରେ ଥିବା ଏକ ବନ୍ଦ କୋଠରୀରୁ ଗତମାସ ୨୯ତାରିଖରେ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ ହାତରେ ଲାଗିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ପ୍ରଥମେ ପତ୍ନୀଙ୍କୁ ହତ୍ୟା ପରେ ସ୍ବାମୀ ଆତ୍ମହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଏହା ପରେ ଆଇପିସି ଦଫା ୩୦୨ରେ ମାମଲା ରୁଜୁ କରିଛି ପୁଲିସ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କୁମ୍ଭାର ସାହିସ୍ଥିତ ରାକେଶ ରାଉତ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ୍ କରିଛି ପୁଲିସ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପତ୍ନୀ ମିନାକ୍ଷୀଙ୍କୁ ପ୍ରଥମେ କୌଣସି ପତଳା ରଶି କିମ୍ବା ହାତରେ ଗଳା ଚିପି ସ୍ବାମୀ ରାକେଶ ରାଉତ ଶ୍ବାସରୁଦ୍ଧ କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଏହା ପରେ ରାକେଶ ନିଜେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ମିନାକ୍ଷୀ ଗର୍ଭବତୀ ଥିଲେ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ପୁଲିସ ଜାଣିବାକୁ ପାଇଛି। ଏହା ସହ ହତ୍ୟା ପଛର କାରଣ ଜାଣିବାକୁ ପାଇଛି ପୁଲିସ।

ପୁଲିସ କହିଛି ଯେ ରାକେଶ ଘଟଣାର ୩ ମାସ ପୂର୍ବରୁ ବିବାହ କରିଥିଲେ। ତାଙ୍କ ପତ୍ନୀ ମିନାକ୍ଷୀ ଗର୍ଭବତୀ ଥିଲେ। ସେ ଏଥିପାଇଁ ନିଜ ବାପ ଘରେ ରହିବାକୁ ଚାହୁଁଥିଲେ। ଯାହାକୁ ନେଇ ସେମାନଙ୍କ ଭିତରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଏହାକୁ କେନ୍ଦ୍ର କରି ପରିବାରରେ ଅନେକ ସମୟରେ ଅଶାନ୍ତି ସୃଷ୍ଟି ହେଉଥିଲା। ଗତ ମେ’ ୨୯ତାରିଖ ସକାଳେ ଉଭୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହା ପରେ ରାକେଶ କିଛି ସମୟ ପାଇଁ ବାହାରକୁ ଚାଲି ଯାଇଥିଲେ। ବଜାରରୁ ଫେରିବା ପରେ କବାଟ ଦେଇ ଘର ଭିତରେ ରହିଥିଲେ। ଘରକୁ ଫେରିବା ପରେ ପୁଣି ସେମାନଙ୍କ ଭିତରେ ଝଗଡ଼ା ହୋଇଥିଲା। ଘଟଣାସ୍ଥଳରେ ଝଗଡ଼ାରୁ ମାରପିଟ୍‌ ଲାଗିବା ପରେ ରାକେଶ ଉତ୍ତ୍ୟକ୍ତ ହୋଇ ପ୍ରଥମେ ମିନାକ୍ଷୀଙ୍କ ଗଳାକୁ ଚିପି ଦେଇଥିଲା। ଘଟଣାସ୍ଥଳରେ ହିଁ ମିନାକ୍ଷୀଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ରାକେଶ ଏକ ରଶିରେ ସେହି ଘର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ପୁଲିସ୍‌ କହିଛି।

ସୂଚନାଯୋଗ୍ୟ, ଶ୍ରୀଲିଙ୍ଗରାଜ ଥାନା ପୁଲିସର ଗୋଟିଏ ଟିମ୍‌ ଘଟଣା ପରଦିନ କୁମ୍ଭାର ସାହିସ୍ଥିତ ଉକ୍ତ ଘରକୁ ଯାଇଥିଲା। ସେଠାରେ ପରିବାର ସଦସ୍ୟଙ୍କୁ ପୁଲିସ୍‌ ଜେରା କରିଥିଲା। କେଉଁ କାରଣ ଯୋଗୁଁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା? କାହିଁକି ସେମାନଙ୍କ ଦାମ୍ପତ୍ୟ ଜୀବନରେ ଖୁସି ନଥିଲା? ଏ ନେଇ ପରିବାର ଲୋକଙ୍କୁ ପଚରାଉଚରା ମଧ୍ୟ କରିଥିଲା। ପୁଲିସ ଟିମ୍‌ କିଛି ପଡ଼ୋଶୀଙ୍କୁ ଘଟଣା ସମ୍ପର୍କରେ ପଚାରିବା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ସମ୍ପର୍କରେ ଜାଣିବାକୁ ପାଇଥିଲା।

ସମ୍ବନ୍ଧିତ ଖବର