ଫାର୍ମହାଉସ୍‌ରେ ପୋଡ଼ି ହୋଇ ଦମ୍ପତି ଗୁରୁତର : ପାରିବାରିକ କଳହ ନା ହତ୍ୟା ଷଡ଼୍‌ଯନ୍ତ୍ର!

ଧଉଳି : ଗତରାତି ପ୍ରାୟ ୩ଟା ବେଳେ ଉତ୍ତରା ଫାଣ୍ଡି ପୁବାଶାସନ ଅଞ୍ଚଳସ୍ଥିତ ଏକ ଫାର୍ମହାଉସ୍‌ରେ ଘଟିଥିବା ଅଗ୍ନିକାଣ୍ଡରେ ଜଗୁଆଳି ଦମ୍ପତି ଗୁରୁତର ହୋଇଛନ୍ତି। ସେମାନେ ହେଲେ, ନଣ୍ଡା ସାହୁ(୩୨) ଓ ତାଙ୍କ ପତ୍ନୀ। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି କାଣ୍ଡକୁ ନେଇ ପୁଲିସ ତଦନ୍ତ ଜାରି ରହିଥିବା ବେଳେ ପ୍ରକୃତ ତଥ୍ୟ ମିଳି ପାରିନାହିଁ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ କିମ୍ବା ହତ୍ୟା ଷଡ଼ଯନ୍ତ୍ର କରି କେହି ଏପରି କରିଥାଇପାରେ ବୋଲି ଅନୁମାନ କରାଯାଉଛି। ଫାର୍ମ ହାଉସ୍‌ଟି ଗାଁଠାରୁ ବେଶ୍ କିଛି ଦୂରରେ ଥିବାରୁ ସ୍ଥାନୀୟ ଲୋକେ ଭିନ୍ନ ଭିନ୍ନ କଥା ଆଲୋଚନା କରୁଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାତି ପ୍ରାୟ ୩ଟା ବେଳେ ଫାର୍ମ ହାଉସ୍‌ ଭିତରୁ ସେମାନଙ୍କ ଚିତ୍କାର ଶୁଣାଯାଇଥିଲା। ଦୁହିଁଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତି କରାଇଥିଲେ। ଅପରପେକ୍ଷ ଖବର ପାଇ ପିପିଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି। ସ୍ବାମୀ-ସ୍ତ୍ରୀ ମଧ୍ୟରେ କଳହରୁ ଏହି ଅଘଟଣ ଘଟିଥିବା ପୁଲିସ ଅନୁମାନ କରିଛି। କୌଣସି କାରଣରୁ ଦେହରେ କିରାସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ନଣ୍ଡା ପୋଡ଼ି ଯାଇଥିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଫାର୍ମ ହାଉସ୍‌ରେ ଚାଲିଥିବା କୌଣସି ଅନୈତିକ କାମକୁ ବିରୋଧ କରିବାରୁ ସେମାନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର