ଭୁବନେଶ୍ବର: ବୃଦ୍ଧ ଦମ୍ପତିଙ୍କୁ ସ୍କୁଟିରେ ବରମୁଣ୍ଡାରେ ଛାଡ଼ିଦେବାକୁ କହି ବଣିକ୍‌ ନିକଟରେ ଛାଡ଼ି ୨୦ହଜାର ଟଙ୍କା ଲୁଟିନେଲା। ଏଭଳି ଏକ ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଲୁ‌ଟେରାକୁ ଗିରଫ କରିଛି। ସେ ହେଲା ନନ୍ଦନକାନନ ଥାନା ଗଣ୍ଡରପୁର ଅଞ୍ଚଳର  ନିରଂଜନ ସାମଲ ଓରଫ ବାବୁ(୩୩)। ପୁଲିସ ତାଠାରୁ ୧୩ହଜାର ଟଙ୍କା ଓ ସ୍କୁଟି ଜବତ କରିଛି।
ସୂଚନା ମୁତାବକ, ଗତ ୬ ତାରିଖ ଦିନ ପାଖାପାଖି ୧୨ଟା ସମୟରେ ପୁରୀ ଅଞ୍ଚଳର ପାଳିଆ ମହାପାତ୍ର ଓ ତାଙ୍କ ସ୍ବାମୀ କ୍ରାଉନ୍‌ ହୋଟେଲ୍‌ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲ୍‌କୁ ଅସିଥିଲେ। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା  କରାଇବା ପରେ ବସ୍‌ରେ ଯିବା ପାଇଁ ମୁଖ୍ୟ ରାସ୍ତା ଆଡ଼କୁ ଯାଉଥିଲେ। ଏହି ସମୟରେ ବାବୁ ସ୍କୁଟିରେ ଆସି ବୃଦ୍ଧ ଦମ୍ପତିଙ୍କ ନିକଟରେ ଅଟକିଯାଇଥିଲା। ସେମାନେ କେଉଁଠିକୁ ଯିବେ  ବୋଲି ପଚାରି ବୁଝିଥିଲା। ଯୁବକଙ୍କୁ ଜାଣି ନଥିବାରୁ ଦମ୍ପତି ପ୍ରଥମେ କିଛି କହିବାକୁ କୁଣ୍ଠାବୋଧ କରିଥିଲେ। ହେଲେ ସେ ନିଜକୁ ଜଣେ ସମାଜସେବୀ ବୋଲି କହିଥିଲା। ତାର ବେଶପୋଷାକ ସାଙ୍ଗକୁ କଥାବାର୍ତ୍ତାରେ ଶାଳୀନତା ଦେଖି ଦମ୍ପତି ପୁରୀ ଯିବେ  ବୋଲି କହିଥିଲେ। ଠିକଣା ବୁଝିବା ପରେ କହିଥିଲା ଯେ ଏଠାରେ ବସ୍‌ ମିଳିବ ନାହିଁ। ଗାଡ଼ି ସବୁ ବନ୍ଦ ଅଛି। ଆପଣ ବରମୁଣ୍ଡା ଚାଲନ୍ତୁ ସେଠାରେ ବସ୍‌ ମିଳିଯିବ। ଯଦି କିଛି ଖରାପ ଭାବିବେ ନାହିଁ ମୁଁ ସ୍କୁଟିରେ ଛାଡ଼ିଦେବି। ଏମିତି ମିଠା ମିଠା କଥାରେ ଫସାଇ ବୃଦ୍ଧ ଦମ୍ପତିଙ୍କୁ  ସ୍କୁଟିରେ ବସିବା ପାଇଁ ରାଜି କରିବା ପରେ ଭ୍ୟାନିଟି ବ୍ୟାଗ୍‌କୁ ସ୍କୁଟି ଡିକିରେ ରଖିଲା। ଦମ୍ପତିଙ୍କୁ ନେଇ ବରମୁଣ୍ଡା ବାହାରିଥିଲା। ବଣିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ନିକଟରେ ହଠାତ୍‌ ଅଟକି ଯାଇ ବୃଦ୍ଧ ଦମ୍ପତିଙ୍କୁ ଓହ୍ଲାଇ ଦେଇଥିଲା। ନିକଟ ଦୋକାନରେ କାମ ଥିବା କହି ଯାଇଥିଲା। ‌ହେଲେ ଆଉ ଫେରିନଥିଲା। ବହୁ ସମୟ ଅପେକ୍ଷା ପରେ ଠକ ଯୁବକ ନଫେରିବାରୁ ଦମ୍ପତି ପୁଲିସକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଖବରପାଇ ନୂଆପଲ୍ଲୀ ଥାନା ପୁଲିସ ସେଠାରେ ପହଞ୍ଚି ଦମ୍ପତିଙ୍କୁ ଥାନାକୁ ନେଇ ତଥ୍ୟ ହାତାଇବା ପରେ ସେମାନେ ଯାଇଥିବା ରାସ୍ତାର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଫୁଟେଜ୍‌ରୁ ସ୍କୁଟିକୁ ଚିହ୍ନଟ କରି ନମ୍ବରରୁ ଯୁବକର ଠିକଣା ଠାବ କରିଥିଲା। ଗତକାଲି ରାତିରେ ପୁଲିସର ଏକ ଟିମ୍‌ ଗଣ୍ଡରପୁରସ୍ଥିତ ଘରେ ଚଢ଼ଉ କରି ତାକୁ ଗିରଫ କରିବା ସହ ଟଙ୍କା ଜବତ କରିଥିଲା। ଥାନାକୁ ଆଣି ଜେରା ପରେ ଆଜି ତାକୁ କୋର୍ଟଚାଲାଣ କରିଛି।