ଋଣଭାର ଅସହ୍ୟ ହେଲା : ସ୍ତ୍ରୀ ବିଷ ପିଇଥିଲେ, ସ୍ୱାମୀ ବି ଜୀବନ ହାରିଲେ

ସାତ ଦିନ ଭିତରେ ଉଜୁଡ଼ି ଗଲା ସଂସାର

ବାଲିଅନ୍ତା : ଋଣଭାର ଅସହ୍ୟ ହେବାରୁ ଏକ ଦମ୍ପତି ଜୀବନ ହାରିଛନ୍ତି। ସ୍ତ୍ରୀ ବିଷ ଖାଇ ମରିବାର ୭ ଦିନ ମଧ୍ୟରେ ସ୍ୱାମୀ ଦୁଃଖରେ ମ୍ରିୟମାଣ ହୋଇ ଶେଷରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଦମ୍ପତି ହେଲେ ବାଲିଅନ୍ତା ବ୍ଲକ ଝିଣ୍ଟି ପଞ୍ଚାୟତ ଅଧୀନ ମେଳକ ଗ୍ରାମ ଗୌରଚରଣ ପାଳ(୫୪) ଓ ତାଙ୍କ ପତ୍ନୀ ପ୍ରବୀଣା। ଏଭଳି ଅଭାବନୀୟ ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଘୋର ଆର୍ଥିକ ଅନଟନରୁ ଦୁହେଁ ଏପରି ଚରମ ନିଷ୍ପିତ୍ତି ନେଇଥିବା ଚର୍ଚା ହେଉଛି।

ଗୌର ଚରଣ ଜଣେ ଗରିବ ଚାଷୀ। ସେ ଗାଁର ଅନ୍ୟମାନଙ୍କ ଜମି ଭାଗ ନେଇ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିଲେ। ବର୍ଷକର ଭାତ ଯୋଗାଡ଼ ପାଇଁ ସେ ଏ ବର୍ଷ ଭାଗ ନେଇଥିବା ପ୍ରାୟ ଦେଢ଼ ଏକର ଜମିରେ ଧାନଚାଷ ବି କରିଥିଲେ। ଏଥିପାଇଁ ପତିପତ୍ନୀ ଗ୍ରାମ ମହିଳାମଣ୍ଡଳ ଓ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାଙ୍କଠାରୁ ୩୦ ହଜାର ଟଙ୍କା ଋଣ ଆଣିଥିଲେ। ବିଲରେ ଫସଲ ବି ଭଲ ହୋଇଥିଲା। ହେଲେ ଏ ବର୍ଷ ଲଗାଣ ବର୍ଷା ବିତ୍ପାତ ସାଙ୍ଗକୁ ଚକଡ଼ା ପୋକ ଦାଉ ସାଧିଲା । ଖଳାକୁ ଧାନ ଆଣିବା ପୂର୍ବରୁ କ୍ଷେତରେ ଉଜୁଡ଼ିଗଲା ତାଙ୍କର ଦେଢ଼ ଏକରର ଧାନଫସଲ। ଫସଲ କ୍ଷତିକ୍ଷତି ଜନିତ ଦୁଃଖଠାରୁ ପରିବାର ପାଇଁ ବଳିପଡ଼ିଲା ଋଣବୋଝର ଚିନ୍ତା। ସୁଧମୂଳ ମିଶାଇ ଋଣଟଙ୍କା ଏତେ ବଢ଼ିଗଲା ଯେ କିପରି ଋଣ ଟଙ୍କା ପରିଶୋଧ କରିବେ ସେହି ଚିନ୍ତାରେ ଭାଙ୍ଗି ପଡ଼ିଲେ ଗୌର ଓ ପ୍ରବୀଣା। ଗତ ମାସ ୨୦ ତାରିଖ ସକାଳେ ମାନସିକ ଭାରସାମ୍ୟ ହରାଇ ପ୍ରଥମେ ପ୍ରବୀଣା ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ପ୍ରବୀଣାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ହେଲେ ଏହାର ଦିନକ ପରେ ପ୍ରବୀଣାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏ ପଟେ ପ୍ରବୀଣାଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କର ଏକମାତ୍ର ପୁଅ ପ୍ରଦୀପ ପ୍ରସ୍ତୁତି ଚଳାଇଥିବା ବେଳେ ପୁଣି ଘରେ ଘଟିଲା ଆଉ ଗୋଟିଏ ଅଘଟଣ। ଋଣ ଚିନ୍ତା ସାଙ୍ଗକୁ ପତ୍ନୀଙ୍କ ଅକାଳ ମୃତ୍ୟୁ ତାଙ୍କୁ ଏମିତି ମ୍ରିୟମାଣ କରିଦେଲା ଯେ ଗତ ୨୭ ତାରିଖ ଅପରାହ୍ନରେ ଗୌର ମଧ୍ୟ ବିଷ ପିଇ ଦେଇଥିଲେ। ଗୌର ବିଷ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖି ବନ୍ଧୁ ପରିଜନ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ଗୌର ଚିକିତ୍ସା ହୋଇ ଘରକୁ ଫେରିଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପ୍ରାପ୍ତ ସୂଚନାନୁଯାୟୀ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ପରିବାରକୁ ଏକ ଇନ୍ଦିରା ଆବାସ ନିର୍ମାଣ ପାଇଁ ୭୦ ହଜାର ଟଙ୍କାର କାର୍ଯ୍ୟାଦେଶ ମିଳିଛି। ଘର ନିର୍ମାଣ କାମ ମଧ୍ୟ ବେଶ୍‌ କିଛି ବାଟ ଆଗେଇ ଯାଇଛି। ହେଲେ ଅବଶିଷ୍ଟ ଟଙ୍କା ଏଯାଏ ମିଳିନଥିବାରୁ ଛାତ ପଡ଼ିପାରୁନଥିବା ପ୍ରଦୀପ କହିଛନ୍ତି। ସେହିପରି ଶବଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ପଞ୍ଚାୟତ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ମିଳିପାରିନି। ଖୋର୍ଧା ଜିଲ୍ଲାପାଳଙ୍କ ସହିତ ବାଲିଅନ୍ତା ତହସିଲଦାର ଓ ବିଡିଓ ତୁରନ୍ତ ସଂପୃକ୍ତ ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି।

ସମ୍ବନ୍ଧିତ ଖବର