କୁଆଖାଇକୁ ଡେଇଁଲେ, ବାଙ୍କୁଆଳରୁ ଉଦ୍ଧାର

ଭୁବନେଶ୍ୱର : ସମୟ ଅପରାହ୍‌ଣ ସାଢ଼େ ୧୨ଟା। କୁଆଖାଇ ନଦୀ ଓଭରବ୍ରିଜ୍‌ ଉପରେ ଶହଶହ ଗାଡ଼ିର ଲମ୍ବା ଲାଇନ୍‌୍‌ ଲାଗିଥାଏ। ଜଣେ ଯୁବକ ଜୋର୍‌ରେ ଚିଲେଇ କହୁଥାଆନ୍ତି, ଆଜ୍ଞା ଏଠିକୁ ଆସନ୍ତୁ ମାଡାମ ନଦୀକୁ ଡେଇଁ ପଡ଼ିଲେ। ଚାହୁଁଚାହୁଁ ମହିଳା ଜଣକ ନଦୀରେ ଆସିଥିବା ବନ୍ୟାଜଳରେ ଭାସିଯାଇଥିଲେ। ଅଗ୍ନିଶମ ବିଭାଗ ଖବର ପାଇ ମହିଳାଙ୍କୁ ଉଦ୍ଧାର ପାଇଁ ପହଞ୍ଚିଥିଲା। ମହିଳା ଜଣକ ପ୍ରାୟ ୭ କିମି ବାଙ୍କୁଆଳ ପର୍ଯ୍ୟନ୍ତ ଭାସି ଯିବା ପରେ ଅଗ୍ନିଶମ ବିଭାଗ ତାଙ୍କୁ ସେଠାରୁ ଉଦ୍ଧାର କଲା। ମାତ୍ର ଆଶ୍ଚର୍ଯ୍ୟ, ମହିଳାଙ୍କର କୌଣସି ବଡ଼ ଧରଣର ଶାରୀରିକ କ୍ଷତ ହୋଇ ନଥିଲା। ଏହିଭଳି ଏକ ବିଚିତ୍ର ଘଟଣାର ମୂକସାକ୍ଷୀ ଥିବା ଅଗ୍ନିଶମ ବିଭାଗର ଉଦ୍ଧାର ଟିମ୍‌ ବି ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମଞ୍ଚେଶ୍ୱର ଥାନା ଅଧୀନ କୁଆଖାଇ ବ୍ରିଜ୍‌ ଉପରେ ଦେଖିବାକୁ ମିଳିଥିଲା ଏହି ଅଭାବନୀୟ ଘଟଣା। ପାଣିରେ ଭାସି ଯାଇଥିବା ମହିଳା ଜଣକ ହେଉଛନ୍ତି ସୁମିତ୍ରା ଦାସ(୫୫)। ନୂଆପଲ୍ଲୀ ବେହେରା ସାହିରେ ରହୁଥିବା ମହିଳା ଜଣକ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ଟିକେ ସୁସ୍ଥ ହେବା ପରେ ଯେଉଁ କାହାଣୀ ବଖାଣିଥିଲେ ତାହା ପୁଲିସ୍‌କୁ ହତବାକ କରି ଦେଇଥିଲା। କିନ୍ତୁ ସବୁରି ମନରେ ସେଇ ଗୋଟିଏ କଥା ଉଙ୍କି ମାରୁଥିଲା ‘ରଖିଲେ ହରି ମାରିବ କିଏ…

ସ୍ୱାମୀ ନିଖୋଜ, ପୁଅ ଆରପାରିରେ

କୋରାପୁଟ ଦାମନଯୋଡ଼ିରେ କର୍ମଚାରୀ ଭାବେ କାର୍ଯ୍ୟରତ ସୁମିତ୍ରାଙ୍କ ସ୍ୱାମୀ ଦୀର୍ଘ ୩ ବର୍ଷ ତଳୁ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି ଯେ ଏଯାଏଁ ଫେରିନାହାନ୍ତି। ଏତିକିରେ ତାଙ୍କ ଦୁଃଖ ସରିଲାନି। ଶେଷରେ ପୁଅ ବି ସଡ଼କ ଦୁର୍ଘଟଣାରେ ଆରପୁରକୁ ଚାଲିଗଲା। ଅନ୍ୟ ଜଣେ ପୁଅ ଥିଲେ ହେଁ ସେ ପତ୍ନୀଙ୍କ ସହ ଅନ୍ୟତ୍ର ରହୁଛନ୍ତି। ତେଣୁ ପରିବାରରେ ସେ ଯେମିତି ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲେ। ତାଙ୍କର ମାନସିକ ଅବସ୍ଥା ଠିକ୍‌ ନଥିବାରୁ ସେ ଏକଦମ ନିଃସହାୟ ଜୀବନ ଜିଉଁଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିଛି। ମହିଳାଙ୍କୁ ତାଙ୍କ ପିଲାମାନେ ନିର୍ଯାତନା ଦେଉଥିବା ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଞ୍ଚେଶ୍ୱର ଥାନା ପୁଲିସ କହିଛି।

ଝିଅ ଘରକୁ ଯିବା ବେଳେ ନଦୀକୁ ଡେଇଁ ପଡ଼ିଲେ

ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର କୃଷ୍ଣ ପ୍ରସାଦ ମିଶ୍ରଙ୍କଠାରୁ ମିଳିଥିବା ସୂଚନା ମୁତାବକ, ସୁମିତ୍ରାଙ୍କର ଝିଅ ହଂସପାଳରେ ରହୁଥିବାରୁ ଆଜି ସେ ଝିଅ ପାଖକୁ ଆସିଥିଲେ। କିିନ୍ତୁ ମାନସିକ ଅଶାନ୍ତିରେ ରହୁଥିବା ସୁମିତ୍ରା ଅଟୋରେ ଯାଉଥିବା ବେଳେ ଓହ୍ଲାଇ ପଡ଼ିଥିଲେ। ଓଭରବ୍ରିଜ୍‌ ଉପରକୁ ଯାଇ ୩୦ ଫୁଟ ବ୍ରିଜ୍‌ ତଳ ନଦୀକୁ ଡେଇଁ ପଡ଼ିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେ ଏବେ ଚିକିତ୍ସା ହୋଇ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

୨ଘଣ୍ଟାର ପରିଶ୍ରମ ପରେ ପାଇଲେ

ନଦୀରେ ବନ୍ୟାଜଳ ଆସିଯାଇଥିବାରୁ ମହିଳା ଜଣଙ୍କ ପ୍ରାୟ ୭ କିମି ଭାସି ଯାଇଥିଲେ। କିନ୍ତୁ ବିଧିର ବିଧାନ ତାଙ୍କୁ ବଞ୍ଚାଇ ଦେଇଥିଲା। ପୁଲିସ ପକ୍ଷରୁ ଅଗ୍ନିଶମ ବିଭାଗକୁ ତୁରନ୍ତ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ କୁଆଖାଇ ନଦୀପଠାରେ ପହଞ୍ଚି ମହିଳାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ପାଖାପାଖି ୨ ଘଣ୍ଟା କାଳ ଅକ୍ଳାନ୍ତ ପରିଶ୍ରମ କରିବା ପରେ ତାଙ୍କୁ ବାଙ୍କୁଆଳ ନିକଟରୁ ଠାବ କରାଯାଇଥିଲା।

ସମ୍ବନ୍ଧିତ ଖବର