ଭୁବନେଶ୍ବର: ନୂଆ କୋର୍ଟ ଉଦ୍ଘାଟନକୁ ମାସେ ପୂରିଲା। ହେଲେ ଏଯାଏ ଖୋଲିଲାନି ପାର୍କିଂ। ତେଣୁ ଏବେ ବି ପୂର୍ବ ପରି ରାସ୍ତା ଉପରେ ଗାଡ଼ି ପାର୍କିଂ ହେଉଛି। ପ୍ରତିଦିନ କୋର୍ଟ ସମ୍ମୁଖ ରାସ୍ତାରେ ଭୀଷଣ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଜରୁରିକାଳୀନ ଗାଡ଼ି ଫସୁଛି। ତଥାପି ଦାୟିତ୍ବରେ ଥିବା ବାବୁଙ୍କ ଚେତା ପଶୁନି। ୨୦୧୭-୧୮ ମସିହାରେ ୧୦୦ କୋଟି ଟଙ୍କାର ଏହି କାମକୁ ଦିଲୀପ କନ୍ଷ୍ଟ୍ରକସନ ନେଇଥିଲା। ହେଲେ ଠିକ୍ ସମୟରେ ସାରି ପାରିଲା ନାହିଁ। ସୌଭାଗ୍ୟବଶତଃ ନିର୍ମାଣ ଆରମ୍ଭ ହେବାର ସାତ ବର୍ଷ ପରେ ଅର୍ଥାତ ଗତ ଡିସେମ୍ବର ୫ ତାରିଖରେ ରାଷ୍ଟ୍ରପତି କୋର୍ଟ ନୂଆ କୋଠାକୁ ଉଦ୍ଘାଟନ କଲେ। ହେଲେ ଆଶ୍ଚର୍ଯ୍ୟର କଥା ଉଦ୍ଘାଟନ ପରେ ମଧ୍ୟ ଏହି କୋଠାକୁ ପୂର୍ତ୍ତ ବିଭାଗ ହସ୍ତାନ୍ତର କରିନାହିଁ। କୋର୍ଟ ଖୋଲିଲା ହେଲେ ଆଇନଜୀବୀମାନେ ସେମିତି ରାସ୍ତାକଡ଼ରେ ବସୁଛନ୍ତି। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବାର୍ ଆସୋସିଏସନ ହଲ୍ ଖୋଲାଯାଉନି। ତେଣୁ ପୂର୍ବ ପରି ଆଜବେଷ୍ଟସ୍ ତଳେ କିମ୍ବା ପାଲ ଟାଣି ଆଇନଜୀବୀମାନେ କାମ କରୁଛନ୍ତି। ସେହିପରି କୋର୍ଟ ବେସ୍ମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋର୍କୁ ମିଶାଇ ଏହି ୫ ମହଲା କୋଠା ନିର୍ମାଣ ହୋଇଛି। ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବେସ୍ମେଣ୍ଟରେ କେବଳ ବିଚାରପତିଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି, ଯେଉଁଠି ଏକକାଳୀନ ୭୦ଟି କାର୍ ପାର୍କିଂ ହୋଇପାରିବ। ଏହାବାଦ୍ ଅନ୍ୟମାନଙ୍କ ପାଇଁ କୋର୍ଟ ସମ୍ମୁଖରେ ପ୍ରାୟ ୭୦ କୋଟି ଟଙ୍କାର ବହୁତଳ କାର୍ ପାର୍କିଂ କରାଯାଇଛି। ଯେଉଁଠି ୪୬୦ଟି କାର୍ ଓ ୫୦୦ ବାଇକ୍ ରହିବାର ବ୍ୟବସ୍ଥା ହୋଇଛି। ହେଲେ ପାର୍କିଂକୁ ଖୋଲାଯାଉ ନଥିବାରୁ ସମସ୍ୟା ବଢ଼ୁଛି।
କଡ଼ରେ ଆଇନଜୀବୀ, ଉଦ୍ଘାଟନକୁ ମାସେ ପୂରିଲା
ବାର୍ ଆସୋସିଏସନ ହଲ୍ ଓ ବହୁତଳ ପାର୍କିଂ ଖୋଲିଲେ କଳ୍ପନା ଛକରୁ ରବି ଟକିଜ୍ ମୁଖ୍ୟରାସ୍ତାରେ ଟ୍ରାଫିକ୍ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି। ଅନ୍ୟପଟେ କଳ୍ପନା ଛକରୁ ମାଉସୀ ମା’ ଛକ ଟ୍ରାଫିକ୍ ସମସ୍ୟା ଦୂର ହେବ ନାହିଁ ବୋଲି ଆଶଙ୍କା କରାଯାଉଛି। କାରଣ ପୁରୁଣା ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ବସୁଥିବା ଆଇନଜୀବୀ, ଷ୍ଟାମ୍ପ ଭେଣ୍ଡରମାନେ ନୂଆ ସବ୍ରେଜିଷ୍ଟ୍ରାର ଓ ତହସିଲକୁ ଆସୁଥିବା ଲୋକଙ୍କୁ ସେବା ଯୋଗାଉଛନ୍ତି। ତେଣୁ କୋର୍ଟରେ ସୁବିଧା ଥିଲେ ବି ଏମାନେ ଯିବାକୁ ଅମଙ୍ଗ। ରାସ୍ତାକଡ଼ରେ ଷ୍ଟାମ୍ପ ଭେଣ୍ଡର ଓ ଅନ୍ୟମାନେ ବସିବାରୁ ଲୋକେ ରାସ୍ତାର ଦୁଇ କଡ଼ରେ ବେପରୁଆ ଭାବେ ଗାଡ଼ି ପାର୍କିଂ କରି ରାସ୍ତା ଜାମ୍ କରୁଛନ୍ତି। ୮ ତାରିଖରୁ ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ରାଜଧାନୀକୁ ସଜା ଯାଉଛି। ରାସ୍ତା ମରାମତି ସହ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଧାରିବାକୁ ଚେଷ୍ଟା କରାଯାଉଛି। କିନ୍ତୁ ଏହି ସମସ୍ୟା ଉପରେ ପ୍ରଶାସନର ନଜର ପଡ଼ୁନି। ଏ ସମସ୍ୟାର ସମାଧାନ ନହେଲେ ରାଜାରାଣୀ, ମୁକ୍ତେଶ୍ବର ମହୋତ୍ସବ ସହ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସିବାକୁ ଥିବା ପ୍ରବାସୀମାନେ ଟ୍ରାଫିକ୍ରେ ଫସିବେ।
ଭୁବନେଶ୍ବର ବାର୍ ଆସୋସିଏସନର ସଭାପତି କୁନ୍ଦନ ରଥ କହିଛନ୍ତି ଖୁବଶୀଘ୍ର ବାର୍ ଆସୋସିଏସନ ହଲ୍ ଏବଂ ପାର୍କିଂ ଖୋଲିଯିବ ବୋଲି ଆମେ ଶୁଣୁଛୁ। ଆଇନଜୀବୀ ମୁରଲୀ ମନୋହର ପାତ୍ର କହିଛନ୍ତି ବାହାରେ ଗାଡ଼ି ରଖିବାରୁ ଅନେକ ସମୟରେ ଆମ୍ବୁଲାନ୍ସ ଫସି ରହୁଛି। ଆମେ ଠିକ୍ ଭାବେ କାମ କରିପାରୁନୁ। ତୁରନ୍ତ ବାର୍ ଓ ପାର୍କିଂ ଖୋଲିବାକୁ ଦାବି କରୁଛୁ। ଏନେଇ ପୂର୍ତ୍ତ ବିଭାଗର ଅଧିକାରୀ କହିଛନ୍ତି ପାର୍କିଂରେ ଟେକ୍ନିକାଲ ସମସ୍ୟା ରହିଛି। ସପ୍ତାହକ ଭିତରେ କାମ ସରିଯିବ। ବାର୍ ଆସୋସିଏସନ ହଲ୍ର ସବୁ କାମ ସରିଛି। କେବଳ ଫର୍ଣ୍ଣିଚର ପଡ଼ିବା ପରେ ଖୋଲିଯିବ।