ହ˚ସପାଳ ଭୋଇ ସାହି ବାସିନ୍ଦାଙ୍କୁ ଜମି ପ୍ରଦାନ ମାମଲା: ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍

କଟକ: ୧୬ ନମ୍ବର ଜାତୀୟ ରାଜପଥ ସ˚ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟାର ଶିକାର ହୋଇଥିବା ହ˚ସପାଳ ନିକଟସ୍ଥ ଭୋଇ ସାହି ବାସିନ୍ଦାଙ୍କୁ ବିକଳ୍ପ ଆବସ ଯୋଗ୍ୟ ଜମି ପ୍ରଦାନ ପ୍ରସଙ୍ଗକୁ ନେଇ ଦାୟର ଅଦାଲତ ଅବମାନନା ମାମଲାରେ କାରଣ ଦର୍ଶାଇବାକୁ ସାଧାରଣ ପ୍ରଶାସନ ବିଭାଗ ସ୍ବତନ୍ତ୍ର ସଚିବ ଗିରୀଶ ଏସ୍.ଏନ୍‌ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ୨୦୧୯, ଜାନୁଆରି ୨୯ର ନିର୍ଦ୍ଦେଶ କାହିଁକି ପାଳନ ହୋଇ ନାହିଁ ସେ ନେଇ ସ୍ବତନ୍ତ୍ର ସଚିବ ଅଗଷ୍ଟ ୨୮ ସୁଦ୍ଧା କାରଣ ଦର୍ଶାଇବେ। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ କରୁଣାକର ନାୟକଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଭୋଇ ସାହିରେ ଦୀର୍ଘ ବର୍ଷବର୍ଷ ଧରି ୧୯ଟି ପରିବାର ରହି ଆସୁଥିଲେ। ରାଜପଥ ସ˚ପ୍ରସାରଣ ପାଇଁ ସେମାନଙ୍କୁ ଉଚ୍ଛେଦ ପାଇଁ ନୋଟିସ ଜାରି କରାଯାଇଥିଲା। ଏପରି ନିଷ୍ପତ୍ତିର ଆବେଦନକାରୀ ଓ ଅନ୍ୟମାନେ ପ୍ରତିବାଦ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ରୁଦ୍ରପୁର ମୌଜା‌େର ଏହି ୧୯ଟି ପରିବାରକୁ ଥଇଥାନ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଥଇଥାନ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଅନ୍ୟପକ୍ଷରେ ସ˚ପୃକ୍ତ ସ୍ଥାନରେ ଜାତୀୟ ରାଜପଥ ସ˚ପ୍ରସାରଣ କାମ ଅଟକି ରହିଥିଲା। ସରକାରଙ୍କ ପକ୍ଷରୁ ଜଗନ୍ନାଥ ସଡକ ନିକଟ ଏକ ସ୍ଥାନରେ ଆବେଦନକାରୀଙ୍କୁ ଅସ୍ଥାୟୀ ଭାବେ ଥଇଥାନ କରିବା ପାଇଁ ଯୋଜନା କରାଯାଇଥିଲା। ଏପରି ପରିସ୍ଥିତି ଲାଗି ରହିଥିବା ବେଳେ ଭୋଇସାହିର ୧୯ଟି ପରିବାରକୁ ଉଚ୍ଛେଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଥଇଥାନ ନ କରି ଉଚ୍ଛେଦ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର