ଭୁବନେଶ୍ବର : ଭୁବନେଶ୍ବର ଏମ୍ସରେ ଗତ ୨୭ ତାରିଖ ସୁଦ୍ଧା କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ୮ ହଜାର ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ହୋଇସାରିଛି। ଆର୍ଏମ୍ଆର୍ସି ପରେ ରାଜ୍ୟରେ ଭୁବନେଶ୍ବର ଏମ୍ସ ଏହି ନମୁନା ପରୀକ୍ଷାରେ ଦ୍ବିତୀୟ ସ୍ଥାନ ହାସଲ କରିଛି। ଏଥିସହିତ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍) ପକ୍ଷରୁ ଭୁବନେଶ୍ବର ଏମ୍ସକୁ ପଶ୍ଚିମବଙ୍ଗ ଓ ଓଡ଼ିଶାର ସମସ୍ତ ୩୦ କୋଭିଡ୍-୧୯ ନମୁନା ପରୀକ୍ଷା କେନ୍ଦ୍ରର ମେଣ୍ଟର୍ ଇନ୍ଷ୍ଟିଚ୍ୟୁଟ୍ ଭାବେ ସ୍ବୀକୃତି ମିଳିଛି। ଏହି ୩୦ ନମୁନା ପରୀକ୍ଷା କେନ୍ଦ୍ର ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକ ଅନ୍ତର୍ଭୁକ୍ତ।
ଏମ୍ସ ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ତଥା ବିଶିଷ୍ଟ ଭାଇରୋଜିଷ୍ଟ ଡାକ୍ତର ବୈଜୟନ୍ତୀମାଳା ମିଶ୍ରଙ୍କ ଟିମ୍ ବିଭିନ୍ନ ସମୟରେ ସମସ୍ତ କେନ୍ଦ୍ରଗୁଡ଼ିକୁ ଗସ୍ତ କରି ନମୁନା ପରୀକ୍ଷା ଦାୟିତ୍ବରେ ଥିବା ଡାକ୍ତର ଓ କର୍ମଚାରୀମାନଙ୍କୁ ତାଲିମ୍ ପ୍ରଦାନ କରୁଛନ୍ତି। ଏହି ଟିମ୍ ଓଡ଼ିଶାର ୭ଟି ମେଡିକାଲ କଲେଜ ଓ ପଶ୍ଚିମବଙ୍ଗର ୪ ମେଡିକାଲ କଲେଜରେ ଆର୍ଟି ପିସିଆର୍ ପରୀକ୍ଷା ପ୍ରଶିକ୍ଷଣ ଦେଇସାରିଛନ୍ତି।