ଭୁବନେଶ୍ୱର : ରାଜ୍ୟରେ କରୋନା ଚିକିତ୍ସାର ଗୋଟିଏ ପରେ ଗୋଟିଏ ବିକଳ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ନାଇଜର୍ରେ ପଢ଼ୁଥିବା ଜଣେ ଛାତ୍ର କରୋନା ଆକ୍ରାନ୍ତ ଥିବା ନିଜ ମା’ଙ୍କୁ କୋଭିଡ୍ ହସ୍ପିଟାଲରେ କିଭଳି ଚିକିତ୍ସା ଦିଆଯାଉଛି, ତାହା ବର୍ଣ୍ଣନା କରିଛନ୍ତି। ସଂପୃକ୍ତ ଟ୍ବିଟ୍କୁ ସେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟ୍ୟାଗ୍ କରି ଉଲ୍ଲେଖ କରିବା ପରେ ସ୍ବାସ୍ଥ୍ୟ ବିଭାଗଠାରୁ ଆରମ୍ଭ କରି ବିଏମ୍ସି ପର୍ଯ୍ୟନ୍ତ ତାଙ୍କୁ ସହାୟତା ପାଇଁ ତତ୍ପର ହୋଇଉଠିଛନ୍ତି।
ରସୁଲଗଡ଼ ପାଣ୍ଡରା ଅଞ୍ଚଳର ଏହି ଛାତ୍ରଜଣକ ଉଲ୍ଲେଖ କରିଛନ୍ତି ଯେ ଗତକାଲି ତାଙ୍କ ମା’ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତକାଲିଠାରୁ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ହେଁ ତାଙ୍କୁ କିଛି ଖାଇବାକୁ ଦିଆଯାଇନାହିଁ। ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ପରିବାରଲୋକଙ୍କ କୋଭିଡ୍ ପରୀକ୍ଷା କରାଯାଇନାହିଁ। ଯେହେତୁ ତାଙ୍କ ବାପା ଜଣେ କିଡ୍ନି ଆକ୍ରାନ୍ତ, ଏଭଳି ପରିସ୍ଥିତିରେ ସାମାନ୍ୟ ଅଣଦେଖା ତାଙ୍କ ପାଇଁ ଘାତକ ହୋଇପାରେ ବୋଲି ସେ ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି।
ଗୋଟିଏ ପରେ ଗୋଟିଏ ଟ୍ବିଟ୍ ଜରିଆରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସାଂସଦ ଅମର ପଟ୍ଟନାୟକ, ବୈଜୟନ୍ତ ପଣ୍ଡାଙ୍କୁ ଟ୍ୟାଗ୍ କରି ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ଏପରିକି ରାଜ୍ୟରେ କୋଭିଡ୍ ପରିଚାଳନା ବିଫଳ ହୋଇଥିବା କ୍ଷୋଭର ସହ କହିଛନ୍ତି। ତାଙ୍କର ଟ୍ବିଟ୍ ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗର ଓ ବିଏମ୍ସି ସହାୟତା ପାଇଁ ଆଗେଇ ଆସିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକାଧିକ ଟ୍ବିଟ୍ କରି ଘରେ ସଙ୍ଗରୋଧରେ ରହିବା ସହ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଖୁବଶୀଘ୍ର ଯୋଗାଯୋଗ କରିବା ସହିତ ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗ ପକ୍ଷରୁ ଟ୍ବିଟ୍ ଜରିଆରେ ତାଙ୍କୁ କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ କଟକର ଜଣେ ଆକ୍ରାନ୍ତ ଯୁବତୀ ରାଜଧାନୀର ଏକ କୋଭିଡ ହସ୍ପିଟାଲରେ ଆଡମିଟ୍ ହେବା ଲାଗି ୫ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା।