ଭୁବନେଶ୍ବର : ବିଭିନ୍ନ ଜରୁରୀକାଳୀନ କାର୍ଯ୍ୟ ପାଇଁ ସହରରେ ଚଳପ୍ରଚଳ କରିବାକୁ କମିସନରେଟ୍ ପୁଲିସ ବିଭିନ୍ନ ଗାଡ଼ିକୁ ପାସ୍ ଦେଉଛି। ହେଲେ ଲୋକମାନେ ତା’ର ଅପବ୍ୟବହାର କରୁଥିବାରୁ ପୁଲିସ ପାଇଁ ଉଦ୍ବେଗର କାରଣ ହୋଇଛି। କେତେକ ବାଇକ୍ପାସ୍ କାର୍ରେ ଲଗାଇ ବୁଲୁଥିବା ବେଳେ ଆଉ କେତେକ ମାଲ୍ବାହୀ ଯାନର ପାସ୍ କାର୍ରେ ଲଗାଇବାକୁ ବି ପଛାଉ ନାହାନ୍ତି। ପରିବା ବୋହିବା ପାଇଁ ଗାଡ଼ିର ପାସ୍ କରି ସପରିବାରେ ସହର ବୁଲୁଛନ୍ତି। ଏଭଳି ପାସ୍ ଅପବ୍ୟବହାର ହେଉଥିବା ବେଳେ ଆଜି କ୍ୟାପିଟାଲ ଥାନା ପୁଲିସ ଜଣେ ବ୍ୟକ୍ତିଙ୍କୁ ଧରିଛି। ତାଙ୍କ ଠାରୁ ପାସ୍ଟି ଜବତ କରାଯିବା ସହ ଜରିମାନା ମଧ୍ୟ ଆଦାୟ କରାଯାଇଛି।
ଧରାପଡ଼ି ଜରିମାନା ଗଣିଥିବା ବ୍ୟକ୍ତି ହେଉଛନ୍ତି କଟକ ତିଗିରିଆ ନୂଆସାହିର ପ୍ରଦୀପ କୁମାର ଦେବତା। ଆଜି ସକାଳେ ରାଜମହଲ ଛକରେ ତାଙ୍କୁ ପୁଲିସ ଧରିବା ପରେ ଚିନ୍ତା ବଢ଼ିଛି। ଆଉ କେତେ ପାସ୍ର ଏଭଳି ଅପବ୍ୟବହାର ହେଉଛି ତାହାକୁ ନେଇ ତନାଘନା ଚାଲିଛି। ଆଜି ଦିନ ସାରା ବିଭିନ୍ନ ଛକରେ ପୁଲିସ ସମସ୍ତ ଗାଡ଼ିର ପାସ୍ ତନ୍ନତନ୍ନ କରି ପରୀକ୍ଷା କରିଛି। ପୂର୍ବରୁ ଗାଡ଼ିର ପାସ୍କୁ କେବଳ ଦୂରରୁ ଦେଖି ପୁଲିସ ଛାଡ଼ି ଦେଉଥିବା ବେଳେ ଆଜି ସମସ୍ତ ଗାଡ଼ିର ପାସ୍ ସହ ନମ୍ବର ମେଳ କରିଛି। ଯଦିଓ ଆଜି ଏହି କାର୍ ଛଡ଼ା ଅନ୍ୟ ଉଲ୍ଲଂଘନ ଧରାପଡ଼ି ନାହିଁ, ତେବେ ଆସନ୍ତାକାଲି ଠାରୁ ଏହାକୁ ଆହୁରି କଡ଼ାକଡ଼ି କରାଯିବ ବେଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଉଛି।
ଆଜି ଧରାପଡ଼ିଥିବା ପ୍ରଦୀପ ପରିବା ବ୍ୟବସାୟ କରନ୍ତି। କଟକ ମାଲଗୋଦାମରୁ ପରିବା ଆଣି ଭୁବନେଶ୍ବର ୧ ନମ୍ବର ମାର୍କେଟ୍ରେ ବିକ୍ରି କରନ୍ତି। ପରିବା ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହି ବେପାର ପାଇଁ କମିସନରେଟ୍ ପୁଲିସ ତାଙ୍କୁ ଏକ ଗାଡ଼ି (ମାଲବାହୀ)ପାସ୍ ପ୍ରଦାନ କରିଥିଲା। ତେବେ ସେ ଏହି ପାସ୍କୁ ଏକ ଯାତ୍ରୀବାହୀ ଅଟୋରେ ଲଗାଇ ସହରସାରା ଘୂରି ବୁଲୁଥିଲେ। ଏଭଳି ପ୍ରାୟ ମାସେ ହେବ ସେ ବୁଲିବା ପରେ ଆଜି ସକାଳେ ରାଜମହଲ ଛକ ଚେକିଂ ପଏଣ୍ଟରେ ଫସି ଯାଇଥିଲେ। ସେଠାରେ କାର୍ଯ୍ୟରତ କ୍ୟାପିଟାଲ ଥାନା ଏସ୍ଆଇ ଅସିତ ବଳବନ୍ତରାୟ ନମ୍ବର ମେଳ କଲାବେଳେ ତାହା ମିଶି ନ ଥିଲା। ଫଳରେ ସେ ଧରା ପଡ଼ି ଯାଇଥିଲେ। ମାଲ୍ ପରିବହନ ପାଇଁ ପାସ୍ କରି ଯାତ୍ରୀ ବୋହୁ ଥିବା ଜଣା ପଡ଼ିବା ପରେ ତାଙ୍କ ନାମରେ ୫ଶହ ଟଙ୍କା ଜରିମାନା କଟା ଯାଇଥିଲା। ଆଗକୁ ଏହି ଯାଞ୍ଚ କଡ଼ାକଡ଼ି ହେବ ବୋଲି କମିସନରେଟ୍ ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/road-2a.jpg)